ସ୍ଥପତି ରଘୁନାଥ ମହାପାତ୍ରଙ୍କ ପରିବାରରେ ଧ୍ୱଂସର ତାଣ୍ଡବ ରଚିଲା କରୋନା । ଆଜି ଆଖି ବୁଜିଲେ ବଡ ପୁଅ ଯଶୋବନ୍ତ । ଗତକାଲି ହୋଇଥିଲା ମଝିଆ ପୁଅର ମୃତ୍ୟୁ

723

କନକ ବ୍ୟୁରୋ: କରୋନା ମହାମାରୀ ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ଆଗ ପଛ କରି ମଶାଣିକୁ ଡାକିନେବାର ଅନେକ ଖବର ସାମ୍ନାକୁ ଆସୁଛି । ହେଲେ ରାଜ୍ୟର ଏକ ସଂଭ୍ରାନ୍ତ ଶିଳ୍ପୀ ପରିବାରର ତିନି ସଦସ୍ୟ ୧୨ ଦିନ ଭିତରେ ଆଖି ବୁଜିବା ଜାତୀୟ କ୍ଷତି ବୋଲି କୁହାଯାଇପାରେ ।

ମହାମାରୀ କରୋନାର କାଳ ଦୃଷ୍ଟି ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଉପରେ ପଡିଛି । ଗୁରୁବାର ଦିନ ପ୍ରାୟ ଗୋଟାଏରେ ଆଖି ବୁଜିଛନ୍ତି ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ର । ବୁଧବାର ତାଙ୍କୁ ଭୁବନେଶ୍ୱର ଏମ୍ସରୁ ସ୍ଥାନାନ୍ତର କରି ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ, ଡାକ୍ତରୀ ଟିମର ସମସ୍ତ ଚେଷ୍ଟା ସତ୍ୱେ ୫୨ ବର୍ଷ ବୟସରେ କରୋନାରେ ଆଖି ବୁଜିଛନ୍ତି ଯଶୋବନ୍ତ ।

କୁହାଯାଉଛି ସ୍ଥପତି ରଘୁନାଥ ମହାପାତ୍ର ହାତକୁ ନେଉଥିବା ସମସ୍ତ କାମ, ବଡପୁଅ ଯଶୋବନ୍ତଙ୍କ ତତ୍ୱାବଧାନରେ ହିଁ ହେଉଥିଲା । ତାଙ୍କରି ନିରୀକ୍ଷଣରେ ଛତିଶଗଡ ରାୟପୁରରେ ଏକ ଜଗନ୍ନାଥ ମନ୍ଦିର ଏବଂ ଲଣ୍ଡନରେ ହେବାକୁ ଥବା ଜଗନ୍ନାଥ ମନ୍ଦିର ପାଇଁ ମହାପ୍ରଭୁ ଶ୍ରୀଜଗନ୍ନଥଙ୍କ ମୂର୍ତି ଅଧାଗଢା ରହିଗଲା ।

କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡିଶାର ଜଣେ ଖ୍ୟାତନାମା ଆଇଏଏସ ଅରବିନ୍ଦ ପାଢୀ ଟ୍ୱିଟ କରିଥିଲେ । ବିଶିଷ୍ଟ ସ୍ଥପତି ଯଶୋବନ୍ତ ମହାପାତ୍ରଙ୍କ ସ୍ମୃତିକୁ ମନେ ପକାଇ ସେ ଉଲ୍ଲେଖ କରିଛନ୍ତି- ହାଇଦ୍ରାବାଦ ଇକ୍ରିସାଟ୍ କ୍ୟାମ୍ପସରେ ରଘୁନାଥ ମହାପାତ୍ରଙ୍କ ମାର୍ଗଦର୍ଶନରେ ଗଢାଯାଇଥିବା କୋଣାର୍କ ଚକକୁ ସ୍ଥାପନା କରାଇଥିଲେ ଯଶୋବନ୍ତ । ଏହାବୋଧେ ତାଙ୍କ ଶେଷକୃତି । ବୁଧବାର ରଘୁନାଥ ମହାପାତ୍ରଙ୍କ ଆଉ ଜଣେ ପୁଅ ପ୍ରଶାନ୍ତ ମହାପାତ୍ରଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଓଡିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ମ୍ୟାଚ ରେଫରୀ ପ୍ରଶାନ୍ତ ମଧ୍ୟ ୪୭ ବର୍ଷ ବୟସରେ କରୋନାରେ ଭୁବନେଶ୍ୱର ଏମ୍ସରେ ଆଖି ବୁଜିଛନ୍ତି ।

ନିଜ ଜୀବଦଶାରେ ଅନେକ ଅପରାଜିତ ପାଳି ଖେଳି ଓଡିଶା କ୍ରିକେଟ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିଲେ ପ୍ରଶାନ୍ତ । ତେଣୁ ସମସ୍ତେ ଆଶା କରୁଥିଲେ ସେ, କରୋନାକୁ ପରାସ୍ତ କରି ଫେରିଆସିବେ । ହେଲେ ବୁଧବାର ସକାଳ ୭ଟା ୪୫ରେ ତାଙ୍କର ଦେହାନ୍ତ ହୋଇଗଲା ।

୧୨ଦିନ ତଳେ ସେହି ମହାମାରୀ କରୋନାରେ ଚାଲିଯାଇଥିଲେ ରାଜ୍ୟର ଶ୍ରେଷ୍ଠ ଭାସ୍କର୍ଯ୍ୟ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । ନିର୍ଜୀବ ପଥର ଦେହରେ ଜୀବନର ସତା ଭରୁଥିବା ପଥର ମଣିଶ ପଥର ପାଲଟି ଯାଇଥିଲେ । ରାଜ୍ୟର ଏହି ଶ୍ରେଷ୍ଠୀ ଶିଳ୍ପୀ ପରିବାରରେ କରୋନାର କଳା ବାଦଲ ଛାଇଯିବା ପରେ ଦ୍ୱିିତୀୟ କୋଣାର୍କ ସ୍ୱପ୍ନରେ ପୂର୍ଣ୍ଣଛେଦ ପଡିଯାଇଛି । କିଛିବର୍ଷ ତଳେ ରଘୁନାଥଙ୍କ ସାନପୁଅ ସୁଶାନ୍ତ ମହାପାତ୍ରଙ୍କର ମଧ୍ୟ ଅକସ୍ମାତ ମୃତ୍ୟୁ ହୋଇଥିଲା ।