ବିଜେପିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି । ୨୦୧୯ରେ ବିଜେପି ଟିକେଟରୁ ଲଢି ହୋଇଥିଲେ ପରାଜିତ ।

942

କନକ ବ୍ୟୁରୋ : ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଘୁ । ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କୁ ପଠାଇଛନ୍ତି ରଘୁ ମହାନ୍ତି । ୨୦୧୯ ନିର୍ବାଚନରେ ରଘୁ ମହାନ୍ତି ବିଜେପିରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ ।

୨୦୧୯ରେ ବିଜେପିରେ ଯୋଗ ଦେବା ପୂର୍ବରୁ ବସ୍ତାରୁ ୫ଥର ବିଧାୟକ ହୋଇଥିଲେ ରଘୁନାଥ ମହାନ୍ତି । ନବୀନ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ରଘୁ । ତେବେ ବଧୂ ନିର୍ଯାତନା ମାମଲାରେ ଛନ୍ଦି ହେବା ପରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ରଘୁ । ପରବର୍ତ୍ତୀ ସମୟରେ ଦଳୀୟ ଟିକେଟ ନ ମିଳିବାରୁ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ ରଘୁନାଥ ମହାନ୍ତି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ରଘୁନାଥ ବିଜେପିକୁ ବାଏ ବାଏ କରିଛନ୍ତି । ତେବେ ଦଳ କାହିଁକି ଛାଡିଲେ ତାହାର କାରଣ ସ୍ପଷ୍ଟ କରିନାହାନ୍ତି । ବିଜେପି ଛାଡିବା ପରେ ରଘୁନାଥ ମହାନ୍ତି ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ପୁୁଣିଥରେ ପୁରୁଣା ଦଳକୁ ରଘୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯେହେତୁ ବାଲେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ ତେଣୁ ରଘୁଙ୍କ ଇସ୍ତଫା ପରେ ବାଲେଶ୍ୱରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ରଘୁଙ୍କ ଆଗାମୀ ରାଜନୈତିକ ପଦକ୍ଷେପ କଣ ହେବ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଅପରାହ୍ନ ୪ଟା ସମୟରେ ବିଜେପି କାହିଁକି ଛାଡିଲେ ସେନେଇ ସ୍ପଷ୍ଟ ଉତ୍ତର ରଖିବେ ରଘୁନାଥ ମହାନ୍ତି ।