ଚତୁର୍ଦ୍ଧା ମୂର୍ତିଙ୍କ ଦୁର୍ଲଭ ବେଶ ! ଭୁବନେଶ୍ୱରରେ ରଘୁନାଥ ବେଶରେ ଦେଲେ ଦର୍ଶନ ।

125

କନକ ବ୍ୟୁରୋ : ଘଣ୍ଟଘଣ୍ଟା ଓ କାହାଳୀର ଆଧ୍ୟତ୍ମିକ ଗୁଞ୍ଜରଣରେ ଉଛୁଳୁଥିଲା ପରିବେଶ । ଚାମର ଓ ଆଲଟ ସେବାରେ ପ୍ରଭୁଙ୍କୁ ତୋଷ କରୁଥିଲେ ସେବକ । ଏଭଳି ଏକ ମନୋରମ ପରିବେଶରେ ରଘୁନାଥ ପରିବେଶରେ ଦର୍ଶନ ଦେଇଥିଲେ ଚତୁର୍ଧା ମୂର୍ତି । ‘ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ୍’ ଏବଂ ‘ନାଲକୋ ନଗର କମିଟି’ର ମିଳିତ ଆନୁକୂଲ୍ୟରେ ନାଲକୋ ନଗର କମ୍ୟୁନିଟି ସେଣ୍ଟର ଦୁର୍ଗା ମଣ୍ଡପରେ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିବାକୁ ଛୁଟି ଆସିଥିଲେ ଭକ୍ତ । ଏହି ଅବସରରେ ଶୋଭା ପାଇଥିଲା ପ୍ରଭୁ ଶ୍ରୀରାମଙ୍କ ଅଭିଷେକ ସମୟର ଦରବାର ଦୃଶ୍ୟ । ଭବ୍ୟ ସିଂହାସନରେ ପ୍ରଭୁ ଚତୁର୍ଧା ମୂର୍ତି ବିରାଜମାନ କରିଥିଲେ । ପାଖରେ ଥିଲେ ଭରତ, ଶତ୍ରୁଘ୍ନ , ହନୁମାନ, ଇନ୍ଦ୍ର, ବ୍ରହ୍ମା, ବିଶ୍ୱାମିତ୍ର, ବଶିଷ୍ଠ ରୁଷିଙ୍କ ସମେତ ବାନରସେନା ।

ମହାପ୍ରଭୁ ଏପର୍ଯ୍ୟନ୍ତ ମାତ୍ର ୯ ଥର ଏହି ବେଶରେ ଦର୍ଶନ ଦେଇଥିବା ବେଳେ ହୀରା, ନୀଳା, ମୋତି, ମାଣିକରେ ପ୍ରଭୁ ସଜେଇ ହୁଅନ୍ତି । ନାଲକୋ ସିଏମଡି ତପନ କୁମାର ଚାନ୍ଦ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସାଂସଦ ତଥା ବିଶିଷ୍ଠ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ରଘୁନାଥ ବେଶ ସମ୍ପର୍କିତ ଏକ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହି ବେଶ ପ୍ରଦର୍ଶିତ ହେବ ।