ରଘୁନନ୍ଦନ ପାଠାଗାରର ଆଧୁନିକୀକରଣ କାମ ଆରମ୍ଭ: ନିୟୋଜିତ ଅଛନ୍ତି ୧୦ରୁ ଅଧିକ କର୍ମଚାରୀ, ରହିଛି ୫ ହଜାର ପୁରୁଣା ପୁସ୍ତକ ଓ ପାଣ୍ଡୁଲିପି

241

କନକ ବ୍ୟୁରୋ: ଏମାର ମଠରେ ଥିବା ବ୍ରିଟିସ୍ ଅମଳର ରଘୁନନ୍ଦନ ପାଠାଗାରର ପୁନରୁଦ୍ଧାର ସହ ବିଶ୍ବସ୍ତରୀୟ ପାଠାଗାର ଶୈଳୀରେ ପୁନଃନିର୍ମାଣ ପାଇଁ ନିଷ୍ପତ୍ତି ପରେ ଏଥି ଲାଗି ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ପ୍ରାଥମିକ ପର୍ଯ୍ୟାୟରେ ଏହି ପୁରାତନ ପାଠାଗାରରୁ ମିଳିଥିବା ପୁସ୍ତକ, ପାଣ୍ଡୁଲିପି ଆଦିର ଆଧୁନିକୀକରଣ (ଡିଜିଟାଇଜେସନ୍) କାମ ଆରମ୍ଭ ହୋଇଛି। ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ପାଠାଗାର ଓ ରାଜ୍ୟ ଅଭିଲେଖାଗାରର ୧୦ରୁ ଅଧିକ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଥିବା ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରକାଶ କରିଛନ୍ତି।

ବ୍ରିଟିସ୍ ଅମଳର ରଘୁନନ୍ଦନ ପାଠାଗାରର ସ୍ବତନ୍ତ୍ରତା ରହିଛି। ପାଠାଗାର ଉଚ୍ଛେଦ ପୂର୍ବରୁ ବୁଦ୍ଧିଜୀବୀମାନେ ଏହାର ବିରୋଧ ବି କରିଥିଲେ। ପାଠାଗାରର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ଏହାକୁ ବିଶ୍ବସ୍ତରୀୟ କରି ଗଢ଼ି ତୋଳିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ ଉଚ୍ଛେଦ ପୂର୍ବରୁ ସତର୍କତାର ସହ ସୁରକ୍ଷିତ ପାଠାଗାରରୁ ସବୁ ପୁସ୍ତକ ଖାଲି କରିବା ପରେ ଏହାକୁ ଅସ୍ଥାୟୀ ଭାବେ ଭୂଅର୍ଜନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରଖାଯାଇଛି। ଏଠାରେ ରାଜ୍ୟ ପାଠାଗାର, ରାଜ୍ୟ ସଂଗ୍ରହାଳୟ ଓ ରାଜ୍ୟ ଅଭିଲେଖାଗାରର ଅଭିଜ୍ଞ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି କର୍ମଚାରୀମାନେ ଗତକାଲିଠାରୁ ପୁରୁଣା ବହିଗୁଡ଼ିକର ଡିଜିଟାଇଜେସନ୍ କାମ ଆରମ୍ଭ କରିଛନ୍ତି। ୭/୮ ଦିନ ଭିତରେ ଏହି କାର୍ଯ୍ୟ ଶେଷ ହୋଇଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି। ପାଠାଗାର ଭିତରୁ ପ୍ରାୟ ୫ ହଜାର ପୁରାତନ ପୁସ୍ତକ, ପାଣ୍ଡୁଲିପି ମିଳିଥିବା ବେଳେ ବହୁ ପୁସ୍ତକ ନଷ୍ଟ ଅବସ୍ଥାରେ ଦେଖିବାକୁ ମିଳିଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୮ ତାରିଖ ରାତିରେ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀ ଡାକି ପାଠାଗାରର ସମ୍ବେଦନଶୀଳତା କଥା ଉଠାଇଥିଲେ। ଏହାକୁ ଆଖି ଆଗରେ ରଖି ବିକଳ୍ପ ବ୍ୟବସ୍ଥା ସ୍ବରୂପ ଏହାର ପୁସ୍ତକ ସବୁକୁ ନେଇ ବିଶ୍ବସ୍ତରୀୟ ପାଠାଗାର ନିର୍ମାଣ ପାଇଁ ଯୋଜନା ରଖାଯାଇଛି ବୋଲି କହିଥିଲେ। ପୁସ୍ତକ, ପାଣ୍ଡୁଲିପି ସବୁର ଡିଜିଟାଇଜେସନ୍ ସହ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ। ସେହି ଅନୁଯାୟୀ ଏହାର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି।