ଦାମଙ୍କୁ ପରାସ୍ତ କରି ପୁରସ୍କାର ପାଇଲେ ରଘୁନନ୍ଦନ! ନବୀନଙ୍କ ହୃଦୟ ଜିତିଲେ, ପ୍ରଥମ ବିଜୟରେ ମନ୍ତ୍ରିମଣ୍ଡଳରେ ପାଇବେ ସ୍ଥାନ ।

1,185

କନକ ବ୍ୟୁରୋ : ପରାସ୍ତ କଲେ ପୁରସ୍କାର ପାଇଲେ । ଆସନ୍ତାକାଲି ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ନୂଆ ମନ୍ତ୍ରିମଣ୍ଡଳ ସହ ଶପଥ ଗ୍ରହଣ କରିବେ ନବୀନ । ଏଥିପାଇଁ ନବୀନ ନିବାସରେ ଆଜି ଚୂଡାନ୍ତ ମନ୍ତ୍ରୀ ତାଲିକାରେ ମୋହର ମରାଯାଇଛି । ଏଥିସହ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା ବିଧାୟକ ମାନଙ୍କୁ ନବୀନ ନିବାସରୁ ଫୋନ୍ କଲ୍ ଯାଇଛି । ଯେଉଁଥିରେ ଅଧିକାଂଶ ନୂଆ ମୁହଁ ରହିଛି । ଏହି ତାଲିକା ଉପରେ ନଜର ପକାଇଲେ ପ୍ରଥମଥର ବିଧାୟକ ନିର୍ବାଚିତ ହୋଇଥିବା ବିଧାୟକଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସୁଯୋଗ ଦିଆଯିବା ନେଇ ସଂକେତ ମିଳିଛି । ଯେଉଁଥିରେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାଶଙ୍କ ନାଁ ମଧ୍ୟ ସାମିଲ ଅଛି ।

ରଘୁନନ୍ଦନ ଦାଶ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ମଧ୍ୟ ତାଙ୍କୁ ଦଳ ପକ୍ଷରୁ ବଡ ପୁରସ୍କାର ମିଳିଛି । ବିଜେଡି ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପି ନେତା ଦାମୋଦର ରାଉତଙ୍କୁ ବଡ ବ୍ୟବଧାନରେ ମାତ୍ ଦେଇଥିବାରୁ ରଘୁନନ୍ଦନ ଦାଶଙ୍କୁ ଏହି ପୁରସ୍କାର ମିଳିଛି । ଖାସକରି ଦାମଙ୍କ ଗଡ କୁହାଯାଉଥିବା ବାଲିକୁଦା-ଏରସମାରେ ତାଙ୍କୁ ମାତ୍ ବିଜେଡିର ବିଜୟ ବାନା ଉଡାଇଥିବାରୁ ରଘୁନନ୍ଦନଙ୍କୁ ଏହି ପୁରସ୍କାର ଦେଇଛନ୍ତି ନବୀନ । ବିଜେଡିରୁ ବିଦା ହେବା ପରେ ବିଜେପିରେ ସାମିଲ ହୋଇ ଦଳ ଉପରେ ଷଣ୍ଢୁଆସୀ ଆକ୍ରମଣ କରିଥିଲେ ଦାମୋଦର ରାଉତ । ଖାସକରି ନିର୍ବାଚନ ସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇ ନବୀନ ସରକାର ଉପରେ ବର୍ଷିଥିଲେ ଏହି ବରିଷ୍ଠ ନେତା ।

ଏପରିକି ଜଗତସିଂହପୁର ଜିଲ୍ଲାରେ ବିଜେଡି ପ୍ରାର୍ଥୀଙ୍କୁ ହରାଇବା ସହ ନବୀନ ସରକାରର ପତନ କରିବି ବୋଲି ଦମ୍ଭ ଦେଖାଇଥିଲେ ଦାମ । ଆଉ ଏହି ବୟାନ ପରେ ଜଗତସିଂହପୁରରେ ଦାମଙ୍କୁ ମାତ୍ ଦେବାକୁ ବିଜେଡି ରଚିଥିଲା ବ୍ଲୁ-ପ୍ରିଣ୍ଟ । ବିଜେପିର ଟାଣୁଆ ସଙ୍ଗଠକ ରଘୁନନ୍ଦନ ଦାଶଙ୍କୁ ଦଳରେ ମିଶାଇ ଦାମଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା ବିଜେଡି । ଆଉ ବିଜେଡିର ଏହି ନିଷ୍ପତିକୁ ସଠିକ୍ ପ୍ରମାଣିତ କରିଥିଲେ ରଘୁନନ୍ଦନ । ନିଜ ବିଜୟ ନେଇ ଦମ୍ଭ ଦେଖାଉଥିବା ଦାମଙ୍କୁ ବାଲିକୁଦା-ଏରସମା ଆସନରେ ବଡ ବ୍ୟବଧାନରେ ପରାସ୍ତ କରି ବିଜେଡିର ସମ୍ମାନ ରକ୍ଷା କରିଥିଲେ ରଘୁନନ୍ଦନ । ଯେଉଁଥିପାଇଁ ରଘୁନନ୍ଦନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ପୁରସ୍କୃତ କରିବାକୁ ନିଷ୍ପତି ନେଇଛନ୍ତି ନବୀନ ।

ଏହାଛଡା ରଘୁନନ୍ଦନଙ୍କୁ ମନ୍ତ୍ରୀ କରିବା ପଛରେ ଅନ୍ୟ ଏକ କାରଣ ମଧ୍ୟ ରହିଛି । ବିଜେଡିରୁ ଦାମ ରାଉତ ବିଦା ହେବା ପରେ ଜଗତସିଂହପୁର ରାଜନୀତିରେ ବିଷ୍ଣୁ ଦାସଙ୍କର କାଟତି ବଢିଛି । ତେଣୁ ଜଗତସିଂହପୁର ରାଜନୀତିରେ ବିଷ୍ଣୁ ଦାଶଙ୍କ ପ୍ରଭାବକୁ ହ୍ରାସ କରିବାକୁ ହୁଏତ ରଘୁନନ୍ଦନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ନିଷ୍ପତି ନେଇଥାଇପାରନ୍ତି ବିଜେଡି ସୁପ୍ରିମୋ ।