କନକ ବ୍ୟୁରୋ : ଓଡ଼ିଶାକୁ ମିଳିଛି ନୂଆ ରାଜ୍ୟପାଳ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ଓଡିଶାର ପରବର୍ତୀ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ । ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ମେ’ ମାସ ୩୦ ତାରିଖରୁ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି । କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଅଧିକ ୫ ମାସ ଧରି ଦାୟିତ୍ୱରେ ଅଛନ୍ତି ପ୍ରଫେସର ଗଣେଶୀ ଲାଲ । ଏବେ ସେ କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏବେ ରଘୁବରଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରଘୁବର ଦାସଙ୍କୁ ରାଜ୍ୟପାଳ ଦାୟିତ୍ୱ ମିଳିବା ପରେ କ’ଣ ରହିବ ତାଙ୍କ ଆଭିମୁଖ୍ୟ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

କାରଣ, ପ୍ରଫେସର ଗଣେଶୀ ଲାଲ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ମଧ୍ୟରେ ଏକାଧିକ ଭିନ୍ନତା ରହିଛି । ଗଣେଣୀ ଲାଲ୍ ଯେଉଁ ଭଳି ଢ଼ଙ୍ଗରେ ଓଡ଼ିଶାର ଦାୟିତ୍ୱ ତୁଳାଇଥିଲେ ସେହିଭଳି ଢ଼ଙ୍ଗରେ ରଘୁବର ଦାସ ସେ ଦାୟିତ୍ୱ ତୁଳାଇବେ ନା ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗଣେଣୀ ଲାଲ୍ ଅଧ୍ୟାପନାରୁ ରାଜନୀତିକୁ ଆସିଥିବା ବେଳେ ରଘୁବର ଦାସ ଟାଟା କର୍ମଚାରୀରୁ ରାଜନୀତିକୁ ଆସିଛନ୍ତି । ଗଣେଶୀ ଲାଲଙ୍କ ଆରଏସଏସ ପୃଷ୍ଠଭୂମୀ ଥିବା ବେଳେ ଆଧ୍ୟାତ୍ମିକତା ଓ ପରମ୍ପରା ସହ ଜଡ଼ିତ ରହୁଥିଲେ । ଅନ୍ୟପଟେ ରଘୁବର ଦାସ ରାଜନୀତିରେ ସକ୍ରିୟ ରହୁଥିଲେ । । ୫-୫ ଥର ବିଧାୟକ, ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଭଳି ସରକାରର ଶୀର୍ଷ ସ୍ଥାନରେ ପହଂଚିଥିବା ରଘୁବର ଦାସ, ବିଜେପି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିଛନ୍ତି । ଯଦିଓ ଗଣେଶୀ ଲାଲ୍ ବିଧାୟକ ନିର୍ବାଚିତ ହୋଇଥିଲେ, ହରିୟାଣା ସରକାରରେ ମନ୍ତ୍ରୀ ଥିଲେ, ତଥାପି ରାଜନୀତି ଅପେକ୍ଷା ଜଣେ ଅଧ୍ୟାପକ ଭାବେ ବେଶ ଜଣାଶୁଣା ।

ଓଡ଼ିଶା ଆସି, ଓଡ଼ିଆ ଲୋକଙ୍କ ସହ ମିଶିଯିବା, ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆପଣାଇ ନେବା, ଗଣେଶୀ ଲାଲଙ୍କ ଭିନ୍ନ ଏକ ପରିଚୟ ଦେଇଛି । ଅନ୍ୟପଟେ ରଘୁବର ଦାସ କେଉଁ ଭଳି ଢଙ୍ଗରେ ନଜର ଆସିବେ ତାହା ଗୁରୁତ୍ୱପୂର୍ଣ୍ଣ । କାରଣ ରଘୁବର ଦାସ ସଂପୂର୍ଣ୍ଣ ଭାବେ ରାଜନୈତିକ ଲୋକ । ଯଦିଓ ତାଙ୍କୁ ସାମ୍ବିଧାନିକ ପଦରେ ନିଯୁକ୍ତ ରଖାଯାଇଛି, ତଥାପି ରାଜନୈତିକ ବ୍ୟକ୍ତି ହୋଇଯିବାରୁ ରାଜ୍ୟ ପରିଚାଳନା ବେଳେ ଏହା ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି । ବଡ଼ କଥା ହେଉଛି- ଗଣେଶୀ ଲାଲଙ୍କ କାର୍ଯ୍ୟକାଳରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ଭିତରେ କୌଣସି ବିବାଦ ଦେଖା ଯାଇନଥିଲା । ଉଭୟେ ପରସ୍ୱରର ପରିପୂରକ ଭାବେ ରାଜ୍ୟ ପରିଚାଳନା କରୁଥିଲେ । ଦିଲ୍ଲୀ, ପଶ୍ଚିମବଙ୍ଗ, ପଞ୍ଜାବ ଭଳି ରାଜ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶାର ନୂଆ ରାଜ୍ୟପାଳ କେଉଁ ଢ଼ଙ୍ଗରେ ନଜର ଆସିବେ ତାହା ବେଶ ଗୁରୁତ୍ୱପୂର୍ଣ୍ଣ ।

ଏସବୁ ଭିତରେ ଚର୍ଚ୍ଚା ହେଉଛି ଝାଡଖଣ୍ଡ ରାଜନୀତିରୁ ରଘୁବର ଦାସଙ୍କୁ ଦୂରେଇ ଦେଇ କେନ୍ଦ୍ରର ଶାସକ ଦଳ ବିଜେପି ରାଜ୍ୟର ଅନ୍ୟତମ ପ୍ରମୁଖ ଚେହେରା ବାବୁଲାଲ ମାରାଣ୍ଡିଙ୍କୁ ଫ୍ରି ହ୍ୟାଣ୍ଡ ଦେଇଛି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ବିଜେପି ବିରୋଧୀ ଆସନରେ ରହିଛି । ବିରୋଧୀ ଦଳ ନେତା ଭାବେ ଉମର ବାଉରୀ ନିଯୁକ୍ତ ହୋଇଛନ୍ତି । ଯିଏକି ବାବୁଲାଲଙ୍କ ଗୋଷ୍ଠୀର । ବାବୁଲାଲ ଏବେ ଝାଡଖଣ୍ଡରେ ସଂକଳ୍ପ ଯାତ୍ରା କରୁଛନ୍ତି । ରଘୁବର ଦାସ ବି ନିଜ ସ୍ତରରେ ରାଜନୀତିରେ ସକ୍ରିୟ ଥିଲୋ ଏବେ ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ବାବୁଲାଲ ଶୁଭେଛା ଜଣାଇଛନ୍ତି । କୁହାଯାଉଛି ରଘୁବରଙ୍କ ପାରମ୍ପରିକ ଆସନ ପୂର୍ବ ଜାମସେଦପୁରରୁ ଅଭୟ ସିଂହ ବିଜେପିକୁ ଫୋକସ କରିପାରେ । ଏହି ଅଭୟ ସିଂହ ବାବୁଲାଲଙ୍କ ଗୋଷ୍ଠୀର ।

ଗଣେଶୀ ଲାଲ୍                                                                          ରଘୁବର ଦାସ
ଅଧ୍ୟାପନାରୁ ରାଜନୀତି                                                              ଶ୍ରମିକରୁ ରାଜନେତା
ଆରଏସଏସ୍ ପୃଷ୍ଠଭୂମି                                                              ଦଳୀୟ ପୃଷ୍ଠଭୂମି
ହରିୟାଣା ବିଜେପି ସଭାପତି ଥିଲେ                                      ଝାଡ଼ଖଣ୍ଡ ବିଜେପି ସଭାପତି(୨ଥର)
ବିଜେପି ସରକାରରେ ମନ୍ତ୍ରୀ                                                      ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ
ସିରସା ଆସନରୁ ବିଧାୟକ                                               ଜାମସେଦପୁର ଆସନରୁ ବିଧାୟକ
ଓଡ଼ିଶାର ରାଜ୍ୟପାଳ                                                            ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ