ବାୟୁସେନା ଦିବସରେ ରାଫେଲର ଧମାକାଦାର ଏଂଟ୍ରି । ହିଣ୍ଡେନ ଏୟାରବେସରେ ତେଜସ-ଜାଗୁଆର ଦେଖାଇଲା ଦମ : ପ୍ରତିଷ୍ଠା ଦିବସରେ ଭବ୍ୟ ପରେଡ

97

କନକ ବ୍ୟୁରୋ : ଭାରତୀୟ ବାୟୁସେନା ପାଳନ କରୁଛି ୮୮ତମ ପ୍ରତିଷ୍ଠାଦିବସ । ଏହି ଅବସରରେ ଗାଜିଆବାଦର ହିଣ୍ଡେନ୍ ଏୟାରବେସରେ ବିଶେଷ ଉତ୍ସବ ପାଳନ ହୋଇଛି । କରୋନା କଟକଣା ମଧ୍ୟରେ ଏହା ପାଳନ ହୋଇଛି । ତିନି ସେନାର ସେନାମୁଖ୍ୟଙ୍କ ସହିତ ବାୟୁସେନା ଅକ୍ଷ୍ୟକ୍ଷ ଏବଂ ସିଡିଏସ ବିପିନ ରାୱତ ସାମିଲ ହୋଇ ବାୟୁସେନାର ବୀରଙ୍କୁ ଉତ୍ସାହ ଦେଇଛନ୍ତିା ଏହି ଅବସରରେ ଏୟାରବେସରେ ଦେଖିବାକୁ ମିଳିଥିଲା ଭବ୍ୟ ପରେଡ୍ ।

ଆକାଶରେ ଶକ୍ତି ପ୍ରଦର୍ଶନ କରିଥିଲା ରାଫେଲ୍ ସମେତ ବିଭିନ୍ନ ଫାଇଟର ବିମାନ । ଏହି ଅବସରରେ ପ୍ରମୁଖ ଆକର୍ଷଣ ସାଜିଥିଲା ରାଫେଲ୍ ଯୁଦ୍ଧ ବିମାନ । ବାୟୁସେନାର ୮୮ ତମ ପ୍ରତିଷ୍ଠା ଦିବସ ଅବସରରେ ଦମ୍ ଦେଖାଇବ ରାଫେଲ୍ । ଏହା ସହିତ ଆକାଶରେ କୌଶଳ ପ୍ରଦର୍ଶନ କରିଛନ୍ତି ଆକାଶଗଙ୍ଗା ଟିମ୍ । ପାରାଚୁଟ ସହିତ ବିଭିନ୍ନ ବିମାନରେ କଳାକୌଶଳ ପ୍ରଦର୍ଶନ ଦେଖାଇଛନ୍ତି ବାୟୁସେନାର ବୀର ଯବାନ । ପ୍ରତିଷ୍ଠା ଦିବସ ଅବସରରେ ବାୟୁସେନାର ଲଢୁଆ ବୀରଙ୍କୁ ସମ୍ମାନୀତ ମଧ୍ୟ କରାଯାଇଛି ।

ଏୟାରଷ୍ଟ୍ରାଇକର ଯୋଦ୍ଧାଙ୍କୁ ସମ୍ମାନୀତ କରିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ । ଏଥର ପ୍ରତିଷ୍ଠା ଦିବସରେ ପ୍ରମୁଖ ଆକର୍ଷଣ ଥିଲା ରାଫେଲ୍ ଯୁଦ୍ଧ ବିମାନ ।  ପ୍ରତିରକ୍ଷା କ୍ଷେତ୍ରରେ ରାଫେଲ୍ ବର୍ତମାନ ସବୁଠାରୁ ଦୁର୍ଦ୍ଦଶ ବୋଲି ଗଣା ଯାଉଛି । କାରଣ ଆକାଶରେ ଉଡନ୍ତା ଅବସ୍ଥାରେ ଏହା ଏକା ଥରକେ ୬ଟି ସ୍ଥାନକୁ ଟାର୍ଗେଟ୍ କରିପାରିବ । ଗୋଟିଏ ମିନିଟରେ ୬୦ ହଜାରଫୁଟ ଉପରକୁ ଉଠିବା କ୍ଷମତା ରଖିଛି ରାଫେଲ୍ ।

ଘଂଟା ପ୍ରତି ପ୍ରାୟ ୩ ହଜାର କିଲୋମିଟର ବେଗରେ ଏହା ଉଡାଣ ଭରି ଶତ୍ରୁ ଛାତିରେ ଭେଦ କରିପାରିବାର କ୍ଷମତା ରଖିଛି ରାଫେଲ୍ । ରାଫେଲ୍ ସହିତ ସୁଖୋଇ ଏମକେ ଆଇ, ମିଗ୍ ୨୯,  ଚିତା , ସାରଙ୍ଗ ପରି ବିମାନ ମଧ୍ୟ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ବାୟୁସେନା ଏହାର ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ଯୁଦ୍ଧ ଠାରୁ ଆରମ୍ଭ କରି ଦେଶରେ ପ୍ରାକୃତିକ ଦୁର୍ବିପାକ ସମୟରେ ଭାରତୀୟ ବାୟୁସେନା ଏହାର ସାହସ ଓ ଶୌର୍ଯ୍ୟ ପ୍ରଦର୍ଶନ କରିଆସୁଛି ।