ରାଫେଲ୍ କାହାଣୀରେ ନୂଆ ମୋଡ଼ ! ରାହୁଲ ମାଗିଲେ ମୋଦିଙ୍କୁ ଜବାବ୍,  ସେପଟେ ରିଲାଏନ୍ସ ଚୟନରେ ଭୂମିକା ନଥିବା କହିଲେ ଫ୍ରାନ୍ସ ସରକାର ।

42

କନକ ବ୍ୟୁରୋ : ରାଫେଲ୍ ଡିଲ୍ ପ୍ରସଙ୍ଗରେ ମୋଦି ସରକାରଙ୍କୁ କାଠଗଡ଼ାକୁ ଟାଣିଛି କଂଗ୍ରେସ  । ଆଉ ଫ୍ରାନ୍ସର ପୂର୍ବ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ଓଲାନ୍ଦେ ରିଲାଏନ୍ସର ନାଁ ଭାରତ ସରକାର ଦେଇଥିବା କହିବା ପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି  । ଡିଲ୍ ନେଇ ଫ୍ରାନ୍ସ ସରକାର କହିଛନ୍ତି ସହଯୋଗୀ ଚୟନ ନେଇ ଫ୍ରାନ୍ସ ସରକାରଙ୍କର କୌଣସି ଭୂମିକା ନଥିଲା ଓ ଏଥିପାଇଁ ଦାସଲ୍ଟ ଆଭିଏସନ୍ କମ୍ପାନୀ ହିଁ ନିଷ୍ପତି ନେଇଥିଲା । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି  ।

ରାଫେଲ୍ ବିମାନ ନିର୍ମାତା ଦେଇଥିଲେ ରିଲାଏନ୍ସର ନାଁ । ପୂର୍ବରୁ ଓଲାନ୍ଦେ କହିଥିଲେ ଭାରତ ସରକାର ଦାୟୀ । ଆରୋପ, ପ୍ରତ୍ୟାରୋପ ରାଜନୀତି ଭିତରେ କ୍ରମେ ଜଟିଳ ହେବାରେ ଲାଗିଛି ରାଫେଲ୍ ରାଜନୀତି । ଡିଲ୍ ପାଇଁ ଭାରତ ସରକାର ରିଲାଏନ୍ସ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଦେଇନଥିବା ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି କହିବା ପରେ ଫ୍ରାନ୍ସ ସରକାର ରଖିଛନ୍ତି ଜବାବ୍  । ଭାରତର ସହଯୋଗୀ କମ୍ପାନୀ ଚୟନରେ ଫ୍ରାନ୍ସ ସରକାରଙ୍କ କୌଣସି ଭୂମିକା ନଥିଲା ଓ ଏଥିପାଇଁ ରାଫେଲ୍ ତିଆରି କରୁଥିବା ଦାସଲ୍ଟ କମ୍ପାନୀକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିବା ଫ୍ରାନ୍ସ ସରକାର ବିଧିବଦ୍ଧ ଘୋଷଣା କରିଛନ୍ତି  । ସେପଟେ ଦାସଲ୍ଟ ମଧ୍ୟ କହିଛି, ଡିଲ୍ ପାଇଁ ଭାରତୀୟ ସହଯୋଗୀ ଭାବେ ରିଲାଏନ୍ସର ନାଁ କମ୍ପାନୀ ହିଁ ଚୟନ କରିଥିଲା  ।

ଜାଣନ୍ତୁ କ’ଣ କହିଛନ୍ତି ଫ୍ରାନ୍ସ ସରକାର ? 

ରାଫେଲ୍ କିଣାବିକା ବେଳେ ଭାରତର ସହଯୋଗୀ କମ୍ପାନୀର ଚୟନରେ ଫ୍ରାନ୍ସ କିମ୍ବା ଭାରତ ସରକାରଙ୍କର କୌଣସି ଭୂମିକା ନଥିଲା  । ଏଥିପାଇଁ ଦାସଲ୍ଟ କମ୍ପାନୀକୁ ପୂର୍ଣ୍ଣ ସ୍ୱାଧୀନତା ଦିଆ ଯାଇଥିଲା  । ଭାରତୀୟ ଅଧିଗ୍ରହଣ ପ୍ରକ୍ରିୟା ଅନୁଯାୟୀ ଫ୍ରାନ୍ସ କମ୍ପାନୀ ନିକଟରେ ସହଯୋଗୀ ଚୟନ ନେଇ ପୂର୍ଣ୍ଣ ଅଧିକାର ରହିଛି ଓ ଚୟନ ପରେ ଭାରତ ସରକାରଙ୍କ ନିକଟକୁ ରାଫେଲ୍ ବିମାନ ତିଆରି କରୁଥିବା ଦାସଲ୍ଟ କମ୍ପାନୀ ରିଲାଏନ୍ସ କମ୍ପାନୀର ନାଁକୁ ପ୍ରସ୍ତାବିତ କରିଥିଲା  ।

ତେବେ ଏ ନେଇ କ’ଣ କହିଛି ଦାସଲ୍ଟ ଆଭିଏସନ୍ ?

ମେକ୍ ଇନ୍ ଇଣ୍ଡିଆ ଆଧାରରେ ଦାସଲ୍ଟ ରିଲାଏନ୍ସକୁ ଚୟନ କରିଛି  । ୨୦୧୭ ଫେବୃଆରୀରେ ଦୁଇ କମ୍ପାନୀକୁ ନେଇ ଯୌଥ କମ୍ପାନୀ ଗଠନ ହୋଇଥିଲା  । ମିଳିତ ଉଦ୍ୟୋଗ ନାଗପୁରରେ ବିମାନ ନିର୍ମାଣ ପ୍ଲାଂଟ୍ ସ୍ଥାପନା କରିବ  । ରାଫେଲକୁ ଚୟନ କରିଥିବାରୁ ଦାସଲ୍ଟ ଗର୍ବିତ  । ରାଜନୀତିର ଜାଲରେ ରାଫେଲ୍ ଡିଲ୍  । ସଂସଦରୁ ନିର୍ବାଚନୀ ମଇଦାନ ଯାଏଁ ସବୁଠି ଏନେଇ କେନ୍ଦ୍ର ସରକାରଙ୍କୁ କଡ଼ା ବିରୋଧ କରାଯାଇଛି  । ଅନ୍ୟପଟେ ଫ୍ରାନ୍ସ ସରକାର ତଥା ରାଫେଲ୍ ନିର୍ମାତା ଦାସଲ୍ଟ ସ୍ପଷ୍ଟୀକରଣ ଦେବାପରେ ପ୍ରସଙ୍ଗ ଆହୁରି ରୋଚକ ହୋଇଛି ଓ ଏହାକୁ ନେଇ ଉଠିଛି ଝଡ଼  ।