ସୁପ୍ରିମକୋର୍ଟରେ ପହଁଚିଲା ରାଫେଲ୍ ଡିଲ୍ ମାମଲା ! ଆସନ୍ତା ସପ୍ତାହରେ ହେବ ଶୁଣାଣି ।

42

କନକ ବ୍ୟୁରୋ : ଥମୁନି ରାଫେଲ୍ ଡିଲ୍ ବିବାଦ । ରାଫେଲ ଡିଲକୁ ନେଇ ସଡକରୁ ସଂସଦ ପର୍ଯ୍ୟନ୍ତ ହଙ୍ଗାମା ଜାରି ରଖିଛନ୍ତି ବିରୋଧୀ । ଏବେ ଏହି ବିବାଦ ଆଉ ପାଦେ ଆଗେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଁଚିଛି । ରାଫେଲ ଡିଲକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିରୋଧୀ । ଆସନ୍ତା ସପ୍ତାହରେ ଏହି ଆବେଦନ ଉପରେ ଶୁଣାଣି ହେବ । ବରିଷ୍ଠ ଆଇନଜୀବି ମନୋହର ଲାଲ ଶର୍ମା ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି । ରାଫେଲ ଡିଲକୁ ଏକ ବଡ ଦୁର୍ନୀତି ବୋଲି ଦର୍ଶାଇ ଏହାକୁ ରଦ୍ଧ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଛନ୍ତି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ଡିଲକୁ ଏକ ବଡ ଦୁର୍ନୀତି କହିବା ସହ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିବା ଜାରି ରଖିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି ।

ଲୋକସଭାରେ ଭାଷଣ ଦେବା ଅବସରରେ ରାହୁଲ ଗାନ୍ଧି କହିଥିଲେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଦେଶବାସୀଙ୍କୁ ଏହି ପ୍ରସଙ୍ଗରେ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଉପା ସରକାର ସମୟରେ ଯେଉଁ ବିମାନର ଡିଲ୍ କରାଯାଇଥିଲା ସେହି ବିମାନକୁ ମୋଦି ସରକାର ତିନି ଗୁଣା ଅଧିକ ଦାମରେ କିଣିବାକୁ ଡିଲ୍ କରିଛନ୍ତି ବୋଲି ଅଭିଯୋଗ କରି ଆସୁଛି କଂଗ୍ରେସ । ଏହା ସହିତ କଂଗ୍ରେସ ଅଭିଯୋଗ କରିଛି ଯେ ଏହି ବୁଝାମଣାରେ ପୂର୍ବ ତୁଳନାରେ କୌଣସି ପ୍ରକାରର ଟେକ୍ନୋଲୋଜିର ପରିବର୍ତନ ନେଇ କୌଣସି ଡିଲ୍ ହୋଇନି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଂଟୋନିଙ୍କ କହିବା ଅନୁଯାୟୀ ୟୁପିଏ ସରକାର ସମୟରେ ୧୨୬ଟି ବିମାନରୁ ମାତ୍ର ୧୮ଟି ଫ୍ରାନ୍ସରେ ନିର୍ମାଣ କରାଯିବାର ଥିଲା । ଓ ଅବଶିଷ୍ଟ ଭାରତରେ ହାଲ୍ ଦ୍ୱାରା ନିର୍ମାଣ କରାଯିବାର ବୁଝାମଣା ହୋଇଥିଲା ।