କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଏଥର ଦମ୍ ଦେଖାଇବ ରାଫେଲ୍ । ସାରା ବିଶ୍ୱ ଦେଖିବ ରାଫେଲ୍ ଯୁଦ୍ଧ ବିମାନର ବଳ । ଜାନୁଆରୀ ୨୬ ତାରିଖ ପରେଡରେ ଏଥର ଅନ୍ୟ ଲଢୁଆ ବିମାନ ସହ ପ୍ରଥମ କରି ରାଫେଲ୍ ଯୁଦ୍ଧ ବିମାନ ସ୍ଥାନ ପାଇବ ।
ଗଣତନ୍ତ୍ର ଦିବସକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଏହାପୂର୍ବରୁ ଭାରତୀୟ ବାୟୁ ସେନା ପରେଡକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଏଥର ପରେଡରେ ପ୍ରଥମ କରି ରାଫେଲ ବିମାନର ସାର୍ବଜନୀନ ପ୍ରଦର୍ଶନ କରାଯିବ ।
ରାଫେଲ୍ ସହିତ ଗଣତନ୍ତ୍ର ଦିବସ ପରେଡରେ ସୁଖୋଇ-୩୦, ମିଗ୍ ୨୯, ଜାଗୁଆର୍ ଭଳି ଯୁଦ୍ଧ ବିମାନ ମଧ୍ୟ ସାମିଲ ହେବେ । ଚଳିତ ବର୍ଷ ମୋଟ ୪୨ଟି ବିମାନ ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ କରାଯିବ ।
ଅନ୍ୟପଟେ ଗଣତନ୍ତ୍ର ଦିବସର ପୂର୍ବରୁ ରାଜଧାନୀ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି । ଚଳିତ ବର୍ଷ କରୋନା କାରଣରୁ କେବଳ ୨୫ ହଜାର ଦର୍ଶକଙ୍କୁ ଗଣତନ୍ତ୍ର ଦିବସ ଉତ୍ସବ ଦେଖିିବାକୁ ସୁଯୋଗ ମିଳିବ । ୧୫ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସର ଲୋକେ ଏହି ଉତ୍ସବରେ ସାମିଲ ହୋଇପାରିବେ ନାହିଁଁ ।