ଆଗ ଚୀନ୍ ପରେ ପାକିସ୍ତାନ । ଚୀନ୍ ବର୍ଡରରେ ପ୍ରଥମେ ଘାତକ ରାଫେଲ ଯୁଦ୍ଧ ବିମାନ ନିୟୋଜିତ କରିବ ଭାରତ ।

524

ଆସନ୍ତା ବିଜୟାଦଶମୀ ଦିନ ଭାରତରେ ପହଞ୍ଚିବ ବିଧ୍ୱଂସକାରୀ ଯୁଦ୍ଧ ବିମାନ ରାଫେଲ । ଶତ୍ରୁପକ୍ଷକୁ କଡା ଜବାବ ଦେବାକୁ ଫାଇଟର ଜେଟ୍ ରାଫେଲକୁ ସୀମରେ ନିୟୋଜିତ କରାଯିବ । ଏହାଦ୍ୱାରା ସୀମାରେ ଭାରତୀୟ ସେନାର ଶକ୍ତି ବଢିବ । ସବୁଠୁ ବଡ କଥା ହେଲା ଏହାକୁ ଚୀନ୍ ସୀମାରେ ନିୟୋଜିତ କରିବ ଭାରତ ।

ରାଫେଲ ବିମାନକୁ ଭାରତ ପ୍ରଥମେ ନିଜର ପୂର୍ବସୀମାରେ ନିୟୋଜିତ କରିବାକୁ ନିଷ୍ପତି ନେଇଛି । ଏହି ଯୁଦ୍ଧ ବିମାନକୁ ପାକିସ୍ତାନ ସଂଲଗ୍ନ ସୀମା ପୂର୍ବରୁ ଚୀନ୍ ସୀମାରେ ନିୟୋଜିତ କରାଯିବ । ଚିନୁକ ଓ ଆପାଚେ ହେଲିକପ୍ଟର ସହ ରାଫେଲକୁ ଚୀନ୍ ସଂଲଗ୍ନ ସୀମାରେ ନିୟୋଜିତ କରିବ ଭାରତୀୟ ବାୟୁସେନା । ଅରୁଣାଚଳ ପ୍ରଦେଶକୁ ନେଇ ଚୀନ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଉଥିବା ବେଳେ ରାଫେଲ ବିମାନ ଚୀନ୍ ସୀମାରେ ନିୟୋଜିତ କରିବା ଅନେକ ଗୁରୁତ୍ୱ ବହନ କରୁଛି ।

ରାଫେଲ ଫାଇଟର ଜେଟ ବିଶ୍ୱର ଘାତକ ଯୁଦ୍ଧବିମାନ ମଧ୍ୟରୁ ଅନ୍ୟତମ । ଉଭୟ ଆକାଶପଥ ଓ ଆକାଶପଥରୁ ସ୍ଥଳଭାଗକୁ ଆକ୍ରମଣ କରିବାରେ ମାହିର ରାଫେଲ । ଏହି ବିମାନରୁ ପରମାଣୁ ଆକ୍ରମଣ ମଧ୍ୟ କରାଯାଇପାରିବ । ଗୋଟିଏ ମିନିଟ୍ ମଧ୍ୟରେ ବିମାନରେ ଲାଗିଥିବା ତୋପରୁ ୨୫୦୦ ରାଉଣ୍ଡ ଗୁଳି ଚଲାଇହେବ । ରାଫେଲରେ ଏମିତି ଅତ୍ୟାଧୁନିକ ଜ୍ଞାନକୌଶଳ ରହିଛି ଯାହା ଶତ୍ରୁ ଶିବିରରେ ଆକ୍ରମଣ କରିବା ପରେ ବିମାନକୁ ଫେରି ଆସିବାରେ ସାହାଯ୍ୟ କରିଥାଏ ।