କିଟିମିଟି ଅନ୍ଧାର ରାତିର ଫାଇଦା ନେଇ ପାରିବନି ଶତ୍ରୁ । ରାତିରେ ବି ମଝି ଆକାଶରେ ପଇଁତରା ମାରୁଛି ଭାରତୀୟ ବାୟୁସେନାର ବାହୁବଳୀ । ଚାଲବାଜ୍ ଚୀନର ଉଦ୍ୟମ ପଣ୍ଡ କରିବାକୁ ଉପରୁ ଜଗିଛି ରାଫେଲ୍

1,361

କନକ ବ୍ୟୁରୋ: ଅନ୍ଧାର ରାତିର ଫାଇଦା ନେଇ ପାରିବେ ନାହିଁ ଶତ୍ରୁ । କାରଣ ଆକାଶର ଏବେ ପଇଁତରା ମାରୁଛି ଭାରତର ବାୟୁସେନାର ବାହୁବଳୀ । ହିମାଚଳର ଉଚ୍ଚ ପର୍ବତମାଳା ଉପରେ ଉଡାଣ କରୁଛି ଦେଶର ସଦ୍ୟତମ ସତର୍କ ପ୍ରହରୀ । କେବଳ ଦିନରେ ନୁହେଁ ରାତିରେ ଉଡାଣ କରୁଛି ଅମ୍ବାଲା ଏୟାର ବେସରେ ମୁତୟନ ହୋଇଥିବା ୫ଟି ରାଫେଲ । ଫଳରେ ଚୀନର ସମସ୍ତ ପ୍ରକାର ଉଦ୍ୟମ ପଣ୍ଡ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଥିବା ନେଇ ପରୋକ୍ଷରେ ଦିଆଯାଇଛି ସଂକେତ ।

ଶତ୍ରୁ ସାବଧାନ । ରାତିରେ ଉଡୁଛି ରାଫେଲ । ନିକଟରେ ଭାରତକୁ ଆସିଥିବା ୫ଟି ରାଫେଲ ଲଢୁଆ ବିମାନ ରାତିରେ ଉଡିବା ଅଭ୍ୟାସ ଆରମ୍ଭ କରିଦେଇଛି । ହିମାଚଳ ପ୍ରଦେଶର ପାର୍ବତ୍ୟ ଅଂଚଳରେ ଏହିସବୁ ବିମାନ ତାର ଅଭ୍ୟାସ ଚଳାଇଛି । ୧୫୯୭ କିଲୋମିଟର ଲାଇନ ଅଫ ଆକଚୁଆଲ କଂଟ୍ରୋଲ ଲଦାଖରେ ସ୍ଥିତି ଯଦି ଅଣାୟତ ହୁଏ ତେବେ ରାଫେଲରେ ପ୍ରସ୍ତୁତ ହୋଇ ରହିଛି ଆକାଶରୁ ଆକାଶ ଓ ଆକାଶରୁ ଭୂପୃଷ୍ଠକୁ ମାଡ କରିପାରୁଥିବା ଅସ୍ତ୍ରଶସ୍ତ୍ର ।

ଜୁଲାଇ ୨୯ ତାରିଖରେ ଅମ୍ବାଲାର ଏୟାରବେସରେ ଅବତରଣ କରିଥିବା ରାଫେଲ ଫାଇଟର ବିମାନର ପ୍ରଥମ ବ୍ୟାଚ ଏବେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ । ରାଫେଲ ଉଡିବା ପାଇଁ ୧୮ଟି ପ୍ଲାଟଫର୍ମ ଅମ୍ବାଲାରେ ପ୍ରସ୍ୁତ ହୋଇରହିଥିବା ବେଳେ ବାକି ୧୮ଟି ପ୍ଲାଟଫର୍ମ ଭୁଟାନ ସୀମାରେ ଥିବା ପଶ୍ଚିମ ବଙ୍ଗର ହସିମରା ଏୟାରବେସରେ ମୁତୟନ ରହିବ । ଡସଲ୍ଟ ଆଭିଏସନ ଠାରୁ ଭାରତ ୩୬ଟି ରାଫେଲ ଆଣିବାକୁ ଯାଉଛି ।

ଲଢୁଆ ବିମାନ ବିଶେଷଜ୍ଞଙ୍କ ମତରେ
• ଲଦାଖ ଅଂଚଳରେ ପ୍ରଶିକ୍ଷଣ ପାଇଁ ବର୍ତମାନ ରାଫେଲକୁ ବ୍ୟବହାର କରାଯାଇପାରିବ ।
• ଶତ୍ରୁପକ୍ଷ ସହିତ ଉତେଜନାମୂଳକ ସ୍ଥିତି ସୃଷ୍ଟି ହେଲେ ରାଫେଲ ତାର ପରିବର୍ତନଶୀଳ ସିଗ୍ନାଲ ବ୍ୟବସ୍ଥା ମାଧ୍ୟମରେ ସିଗ୍ନାଲ ବଦଳାଇ ପାରିବ ।
• କାରଣ ଭାରତ ଉପରେ ନଜର ରଖିବା ପାଇଁ ଚୀନର ପିପୁଲସ ଲିବରେସନ ଆର୍ମି ଅକ୍ସାଇ ଚୀନ ଅଂଚଳରେ ଥିବା ପର୍ବତ ଉପରେ ଇଲେକଟ୍ରୋନିକ ଇଂଟେଲିଜେନ୍ସ ରାଡାର ଅବସ୍ଥାପିତ କରିଛି ।
• ଏପରି ସମୟରେ ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ ତେବେ ରାଫେଲ ଚାଇନା ରାଡାରରୁ ବଂଚିବା ପାଇଁ ସଠିକ ସମୟରେ ସିଗନାଲ ଫ୍ରିକ୍ୟୁଏନସି ବଦଳାଇ ପାରିବ ।
• ଫଳରେ ଶତ୍ରୁ ପକ୍ଷର ନଜର ଆଢୁଆଳକୁ ଚାଲିଯିବ ଏହି ଲଢୁଆ ବିମାନ ରାଫେଲ ।

ଗଲୱାନ ଘାଟିରେ ବିବାଦ ପରେ ଭାରତ ଓ ଚୀନ ମଧ୍ୟରେ କୁଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି । ପୂର୍ବ ଲଦାଖରୁ ସେନା ଅପସାରଣ ପାଇଁ ସାମରିକ ସ୍ତରରେ ମଧ୍ୟ ଚାଲିଛି କଥାବାର୍ତା । ଏସବୁ ଭିତରେ ଜଳ, ସ୍ଥଳ ଏବଂ ଆକାଶ ବାହିନୀ ଏଲଏସି ଉପରେ ନଜର ରଖିଛନ୍ତି । ଲଦାଖ ଅଂଚଳରେ ପିଏଲଏର କାର୍ଯ୍ୟଧାରା ପୂର୍ବ ତୁଳନାରେ ବଦଳିଥିଲେ ମଧ୍ୟ ଭାରତ କୌଣସି ମତେ ଏହାକୁ ହାଲୁକା ଭାବେ ଗ୍ରହଣ କରିନାହିଁ । ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତୀୟ ସେନା ।