ରାଫେଲ ମାମଲାରେ ନୂଆ ମୋଡ! ସୁପ୍ରିମକୋର୍ଟରେ ସରକାର କହିଲେ, ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଯାଇଛି ରାଫେଲ ଡିଲ୍ ସମ୍ପର୍କିତ କାଗଜପତ୍ର

297

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଯାଇଛି ରାଫେଲ ଡିଲ୍ ସଂପର୍କିତ ଗୁରୁତ୍ୱପୂର୍ଣ କାଗଜପତ୍ର । ସୁପ୍ରିମକୋର୍ଟରେ ସରକାରଙ୍କ ପକ୍ଷରୁ କହିଛନ୍ତି ଆଟର୍ଣ୍ଣିଂ ଜେନେରାଲ୍ କେକେ ଭେନୁଗୋପଳ । ରାଫେଲ ଡିଲରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କୁ ବିରୋଧୀ କାଠଗଡ଼ାରେ ଠିଆ କରିଥିବା ବେଳେ ଏହି ମାମଲାରେ ଆସିଛି ନୂଆ ମୋଡ଼ । ଆଜି ଏ ନେଇ ସୁପ୍ରିମକୋର୍ଟରେ ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି ବେଳେ ଆଟର୍ଣ୍ଣିଂ ଜେନେରାଲ୍ କହିଛନ୍ତି ଚୋରି ହୋଇଥିବା ଡକ୍ୟୁମେଂଟ ନେଇ ତଦନ୍ତ ଚାଲିଛି । ତେବେ ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୧୪ ତାରିଖରେ ମାମଲାର ପରବର୍ତି ଶୁଣାଣି ହେବ ।

ରାଫେଲକୁ ନେଇ ସାରା ଦେଶରେ ତମ୍ବିତୋଫାନ ଚାଲିଥିବା ବେଳେ ଏହି ମାମଲାରେ ଆସିଛି ନୂଆ ମୋଡ଼ । ସୁପ୍ରିମକୋର୍ଟଙ୍କୁ ସରକାର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଯାଇଛି ରାଫେଲ୍ ବିମାନ ଡିଲ୍ ସଂପର୍କିତ କିଛି ଡକ୍ୟୁମେଂଟ । ଖବରକାଗଜରେ ପ୍ରକାଶିତ ଲେଖା ଚୋରି ହୋଇଥିବା ଡକ୍ୟୁମେଂଟ ଆଧାରରେ ହୋଇଥିବା ନେଇ ସୁପ୍ରିମକୋର୍ଟରେ କହିଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଳ । ମାମଲାର ଶୁଣାଣି ବେଳେ କଡ଼ା ଟିପ୍ପଣୀ ଦେଇ ଜଷ୍ଟିସ୍ କେ.ଏମ୍. ଯୋଶେଫ୍ କହିଛନ୍ତି, ଯଦି ଦୁର୍ନୀତି ହୋଇଥିବାର ପକ୍କା ପ୍ରମାଣ ରହିଛି, ତେବେ ତଦନ୍ତ ହେବା ଜରୁରୀ ।

ରାଫେଲ ଫାଇଲ୍ ଚୋରି ହୋଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ମାର୍ଚ୍ଚ ୧୪ ତାରିଖରେ ଏ ନେଇ ପରବର୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ସରକାର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଉଥିବା ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା, ଅରୁଣ ସୌରୀ ଓ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମିଳିତ ଭାବେ ପିଟିସନ ଦାଖଲ କରିଥିଲେ । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରୁଛନ୍ତି ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ବିଚାରପତି ଏସ୍.କେ. କୌଲ ଓ ବିଚାରପତି କେ.ଏମ୍. ଯୋଶେଫଙ୍କ ତିନିଜଣିଆ ଖଣ୍ଡପୀଠ ।

ଇଂରାଜୀ ଖବରକାଗଜ ଦି ହିନ୍ଦୁରେ ପ୍ରକାଶିତ ବରିଷ୍ଠ ସାମ୍ବାଦିକ ଏନ୍. ରାମଙ୍କ ଲେଖାକୁ ଉଲ୍ଲେଖ କରି ପ୍ରଶାନ୍ତ ଭୂଷଣ ଯୁକ୍ତି ଆରମ୍ଭ କରିଥିଲେ । ଏହାକୁ ବିରୋଧ କରିଥିଲେ ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଳ । ସେ କହିଥିଲେ ହିନ୍ଦୁରେ ପ୍ରକାଶିତ ଆର୍ଟିକିଲ୍ ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଥିବା ଡକ୍ୟୁମେଂଟ୍ ଆଧାରରେ ଲେଖା ଯାଇଛି । ଆଉ ଏ ନେଇ ତଦନ୍ତ ଚାଲିଛି । ତେଣୁ ରିଭ୍ୟୁ ପିଟିସନକୁ ଖାରଜ କରାଯାଉ ବୋଲି ଯୁକ୍ତି ବାଢ଼ିଥିଲେ ଭେନୁଗୋପାଳ । ଏହାସହ ମାମଲା କୋର୍ଟରେ ଥିବା ବେଳେ ‘ହିନ୍ଦୁ’ର ଲେଖାକୁ କୋର୍ଟ ଅବମାନନା ଭାବେ ଗ୍ରହଣ କରିବାକୁ ମଧ୍ୟ ଦାବି କରିଥିଲେ । ସେପଟେ ପ୍ରଶାନ୍ତ ଭୂଷଣ ଯୁକ୍ତି କରିଥିଲେ ଯେ ରାଫେଲ ତଦନ୍ତ ନେଇ ପିଟିସନ୍ ଦାଖଲ ହେବା ପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡିକୁ ଚାପି ଦିଆଯାଇଛି ।

ପ୍ରଧାନ ବିଚାରପତି କହିଛନ୍ତି, ରିଭ୍ୟୁ ପିଟିସନର ଶୁଣାଣି ଅର୍ଥ ନୁହେଁ ଯେ ରାଫେଲ ଡିଲ୍ ସଂପର୍କିତ ଡକ୍ୟୁମେଂଟକୁ ରେକର୍ଡ ଭୁକ୍ତ କରାଯାଉଛି । ସେହିପରି ଡିଲ୍ ସଂପର୍କିତ ଫାଇଲ୍ ଚୋରି ହୋଇଯିବା ଘଟଣାରେ କି ପଦକ୍ଷେପ ନିଆଯାଇଛି ଆଟର୍ନି ଜେନେରାଲଙ୍କ ଠାରୁ ଜାଣିବାକୁ ଚାହିଁଥିଲେ ପ୍ରଧାନ ବିଚାରପତି ।