କନକ ବ୍ୟୁରୋ :ଇତିହାସ ରଚିଲେ ମହାନ ଟେନିସ୍ ଖେଳାଳି ରାଫେଲ ନାଦାଲ । ନାଟକୀୟ ତଥା ମାରାଥନ ଫାଇନାଲରେ ରୁଷିଆର ଡାନିଲ ମେଦଭେଦଭଙ୍କୁ ପରାସ୍ତ କରି ଅଷ୍ଟ୍ରେଲିଆନ୍ ଓପନ ପୁରୁଷ ଏକକ ଟ୍ରଫି ଜିତିଛନ୍ତି । ଏହି ବିଜୟ ସହ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ନାଦାଲ । ଗ୍ରାଣ୍ଡ ସ୍ଲାମ ଇତିହାସଲରେ ସର୍ବାଧିକ ୨୧ ଏକକ ଟ୍ରଫି ଜିତି ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦି ସ୍ବିଜରଲାଣ୍ଡର ରୋଜରେ ଫେଡେରର ଓ ସର୍ବିଆର ନୋଭାକ୍ ଜୋକୋଭିକଙ୍କ ୨୦ ଗ୍ରାଣ୍ଡ ସ୍ଲାମ ଟ୍ରଫି ବିଜୟକୁ ପଛରେ ପକାଇ ଦେଇଛନ୍ତି ନାଦାଲ । ଏହି ମହାନ ଖେଳାଳିଙ୍କ ନାଁରେ ୨୧ଟି ଗ୍ରାଣ୍ଡ ସ୍ଲାମ, ୨ଟି ଅଷ୍ଟ୍ରେଲିଆନ୍, ୧୩ଟି ଫ୍ରେଂଚ, ୨ଟି ୱିମ୍ବଲଡନ୍ ଓ ୟୁଏସ୍ ଟ୍ରଫି ରହିଛି ।

Advertisment

ରବିବାର ଅପରାହ୍ନର ବହୁ ପ୍ରତୀକ୍ଷିତ ଫାଇନାଲ୍‌ରେ ବିଶ୍ବମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ମେଦଭେଦେଭ କିନ୍ତୁ କ୍ଲେ କୋର୍ଟ ମହାରାଜା ଭାବେ ପରିଚିତ ନାଦଲଙ୍କୁ ପୂରା ନୟାନ୍ତ କରି ଦେଇଥିଲେ। ଏପରିକି ପ୍ରଥମ ଦୁଇ ସେଟ୍‌କୁ ଜିତି ନେଇ ୨-୦ରେ ଆଗୁଆ ହୋଇଯାଇଥିଲେ । ଦ୍ବିତୀୟ ସେଟ୍‌କୁ ମେଦଭେଦେଭ ଯେତେବେଳେ ଜିତିନେଲେ ନାଦାଲଙ୍କ ଇତିହାସ ରଚିବା ସ୍ବପ୍ନ ସ୍ବପ୍ନରେ ରହିଯିବ ବୋଲି ପ୍ରଶଂସକ ଭାବି ନେଇଥିଲେ। ହେଲେ ରଡ୍ ଲେଭର ଏରିନା ଦର୍ଶକଙ୍କ ବିପୁଳ ସମର୍ଥନ ଏବଂ ନିଜ ଅଦମ୍ୟ ଆତ୍ମବିଶ୍ବାସ ବଳରେ ତୃତୀୟ ଓ ଚତୁର୍ଥ ସେଟ୍‌କୁ ଲଗାତାର ଜିତି ଫାଇନାଲ୍‌କୁ ପଞ୍ଚମ ସେଟ୍‌କୁ ନେଇଯାଇଥିଲେ ନାଦାଲ । ସେଠାରେ ୫-୪ରେ ଆଗୁଆ ଥିଲା ବେଳେ ମେଦଭେଦେଭ ସଫଳତାର ସହ ସର୍ଭିସ୍ ବ୍ରେକ୍ କରିଥିଲେ । ହେଲେ ନାଦାଲ ହାର ମାନି ନଥିଲେ ।

ଖୁବକମ୍ ସମୟ ଭିତରେ ପୁଣି ଥରେ ‌ମେଦେଭେଦେଭଙ୍କ ସର୍ଭିସ୍ ବ୍ରେକ୍ କରି ବ୍ୟାକହ୍ୟାଣ୍ଡ୍ ଭଲିରେ ମ୍ୟାଚ୍ ପଏଣ୍ଟ ଜିତିବା ସହ ଦୀର୍ଘ ୧୩ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତି ନେଇଥିଲେ। ସେ ୨୦୦୯ରେ ପ୍ରଥମ ଓ ଶେଷ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଏକକ ଟ୍ରଫି ଜିତିଥିଲେ। ସେପଟେ ରବିବାର ଫାଇନାଲ୍ ଅଷ୍ଟ୍ରେଲିଆନ୍ ଓପନ୍ ଇତିହାସର ଦ୍ବିତୀୟ ସବୁଠାରୁ ଲମ୍ବା ଫାଇନାଲ୍ ଥିଲା। ଏହି ମ୍ୟାଚ୍‌ ୫ ଘଣ୍ଟା ୨୪ ମିନିଟ୍‌ରେ ଶେଷ ହୋଇଥିଲା । ଯାହାକି ୨୦୧୯ ୟୁଏସ୍‌ ଓପନ୍‌ ଫାଇନାଲର ୪ ଘଣ୍ଟା ୫୩ ମିନିଟ୍‌ର ଅବଧିକୁ ପଛ‌ରେ ପକାଇ ଦେଇଥିଲା । ଅନ୍ୟପକ୍ଷରେ ଏହି ପରାଜୟ ପରେ ମେଦଭେଦେଭଙ୍କ ହୃଦୟ କିନ୍ତୁ ଭାଙ୍ଗି ଯାଇଥିଲା। କାରଣ ୨୦୧୯ ୟୁଏସ୍ ଓପନ୍ ଫାଇନାଲ୍‌ରେ ମଧ୍ୟ ନାଦାଲ ଠିକ୍ ଏହିଭଳି ଭାବେ ୫ ସେଟ୍ ବିଶିଷ୍ଟ ଫାଇନାଲ୍‌ରେ ତାଙ୍କୁ ପରାସ୍ତ କରିଥିଲେ ।

ତେବେ ନାଦାଲଙ୍କୁ ‌ ଦେଇଥିବା କଡ଼ା ଟକ୍କର ପାଇଁ ସେ ପ୍ରଶଂସାର ପାତ୍ର ହୋଇଥିଲେ । ସୂଚନାଯୋଗ୍ୟ ଯେ ୩୫ ବର୍ଷୀୟ ନାଦାଲ ପୂର୍ବରୁ ୨୦୧୨, ୨୦୧୪, ୨୦୧୭, ୨୦୧୯ରେ ଅଷ୍ଟ୍ରେଲିଆନ୍ ଓପନ୍‌ ଫାଇନାଲ୍ ଖେଳିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ । ଏବର୍ଷ ଟ୍ରଫି ଜିତିବା ପରେ ଜୋକୋଭିକଙ୍କ ପରେ (୧୯୬୮ ମସିହାରେ ଓପନ୍ ଏରା ଆରମ୍ଭ ହେବା ପରଠାରୁ) ଦ୍ବିତୀୟ ଖେଳାଳି ଭାବେ ସମସ୍ତ ଚାରିଟି ଯାକ ଗ୍ରାଣ୍ଡସ୍ଲାମକୁ ଦୁଇ ଥର ଜିତିବାର ଅନନ୍ୟ ସଫଳତା ହାସଲ କରିଥିଲେ ନାଦାଲ।