ଆତଙ୍କବାଦୀଙ୍କୁ ଖାତିର ନକରି ବିମାନ ଉଡାଇଲେ ପାଇଲଟ, ବଞ୍ଚିଗଲା ହଜାର ହଜାର ଜୀବନ

303

କନକ ବ୍ୟୁରୋ : ଅଗଷ୍ଟ ୧୫ ତାରିଖରେ ତାଲିବାନୀମାନେ କାବୁଲ ଦଖଲ କରିବା ପରେ ଆଫଗାନବାସୀ ନିଜ ନିଜର ଜୀବନ ବଞ୍ଚାଇ ଦେଶ ବାହାରକୁ ପଳାଇ ଯିବାକୁ କାବୁଲ ବିମାନବନ୍ଦର ନିକଟରେ ଦୈଡୁଥିବାର ଦୃଶ୍ୟ ସମସ୍ତେ ଦେଖିଥିବେ । ଫଳରେ ବିମାନବନ୍ଦରର ରନୱେ ଠାରୁ ଆରମ୍ଭ କରି ଟର୍ମିନାଲ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ସମସ୍ତ ଲୋକଙ୍କର ଗୋଟିଏ ଉଦ୍ଦେଶ୍ୟ ଥିଲା କି କୌଣସି ପରିସ୍ଥିତିରେ ବିମାନରେ ଚଢି ଅନ୍ୟ ଦେଶକୁ ପଳାୟନ କରିବା । ଏନେଇ କିଛି ଲୋକ ବି ବିମାନ ଉପରେ ଓ ବିମାନ ଡେଣାରେ ଝୁଲି ରହିି ପଳାଇ ଯିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ କାବୁଲ ବିମାନବନ୍ଦରରୁ ଲୋକଙ୍କୁ ଉଦ୍ଧାର କରିଥିବା ଏକ ବିମାନର ପାଇଲଟ ସେଦିନର କାହାଣୀ କହିଛନ୍ତି । ସେ କହିଛନ୍ତି କି ସେହି ସମୟରେ ବିମାନବନ୍ଦରରୁ ବିମାନ ଉଡାଇବା ସହଜସାଧ୍ୟ ନଥିଲା । କାରଣ ବିମାନ ଚାରିପଟେ ଏତେ ଲୋକଙ୍କର ଭିଡ ଥିଲା ଯେ ଟିକେ ଏପଟ ସେପଟେ ହୋଇଗଲେ ହଜାର ହଜାର ଲୋକଙ୍କର ଜୀବନ ଚାଲିଯାଇଥାନ୍ତ ।

ବ୍ରିଟିସ (ଆରଏଏଫ) ବାୟୁସେନାର ୱିଙ୍ଗ କମାଣ୍ଡର ଓ ପାଇଲଟ କେବ ଲେଚମେନ କହିଛନ୍ତି କି ଅଗଷ୍ଟ ୨୬ ତାରିଖରେ ଏୟାରପୋର୍ଟରେ ହୋଇଥିବା ବିସ୍ଫୋରଣ ପରେ ଯେତେବେଳେ ସେ କାବୁଲ ବିମାନବନ୍ଦରରୁ ବିମାନ ଉଡାଣ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଅଚାନକ ୩ ଟି ଗାଡି ରନୱେ ନିକଟକୁ ଆସିଯାଇଥିଲା । ହେଲେ ସୌଭାଗ୍ୟବସତଃ ବିମାନ ଉଡାଣ କରିଥିଲା   ।

ସେ କହିଛନ୍ତି କି ଗାଡିରେ ଆତଙ୍କବାଦୀମାନେ ଅସ୍ତ୍ର ଶସ୍ତ୍ର ଧରି ବିମାନ ରୋକିବାକୁ ଆସୁଥିବାର ଦେଖି ସେ ବିମାନକୁ ତୁରନ୍ତ ଉଡାଣ ଆରମ୍ଭ କରିଦେଇଥିଲେ । ଫଳରେ ହଜାରେ ଲୋକଙ୍କର ଜୀବନ ବଞ୍ଚିଯାଇଥିଲା । ସେ କହିଥିଲେ କି ବିମାନ ଉଡାଣ ଭରିବା ଗତିକୁ ଆସିନଥିଲେ ବି ଆତଙ୍କବାଦୀଙ୍କ କବଳରୁ ଲୋକଙ୍କୁ ରକ୍ଷା କରିବାକୁ ସେ ବିପଦପୂର୍ଣ୍ଣ ଭାବେ ଉଡାଣ ଭରିଥିଲେ ।