ଅପେକ୍ଷାର ଅନ୍ତ ! ଗଣେଶ ପୂଜାରେ ଆସିଲା ରେଡିଓ ଚକଲେଟର ନୂଆ ଆପ୍, ଗୋଟେ ଆପରେ ୬ଟି ରେଡିଓ ଷ୍ଟେସନରେ ମଜା ଉଠାଇପାରିବେ ଶ୍ରୋତା

131

କନକ ବ୍ୟୁରୋ : ୨୦୦୭ରୁ ରେଡିଓ ଚକଲେଟ ଭୁବନେଶ୍ୱର ଓ ରାଉରକେଲାରୁ ପ୍ରସାରଣ ଆରମ୍ଭ କରି ଅଳ୍ପ ଦିନ ମଧ୍ୟରେ ଶ୍ରୋତାମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇ ପାରିଥିଲା । କେବଳ ଗୀତ ନୁହେଁ, ରେଡିଓ ଚକଲେଟ କାହାଣୀ, ନାଟକ, ପାଲା, ଗିତିନାଟ୍ୟ ସବୁ କ୍ଷେତ୍ରରେ ମନୋରଂଜନର ମାଧ୍ୟମ ହେଲା । ବର୍ଷ ପରେ ବର୍ଷ ଲୋକପ୍ରିୟତାର ଶୀର୍ଷରେ ରହି ବାରବର୍ଷ ଅତିକ୍ରମ କରିସାରିଲାଣି ରେଡିଓ ଚକଲେଟ । ବର୍ତମାନ ସମୟରେ ଇଂଟରନେଟର ଚାହିଦା ଖୁବ ବଢି ଯାଇଥିବା ବେଳେ, କେବଳ ଓଡ଼ିଶାର ସୀମିତ ନେଟୱର୍କ ମଧ୍ୟରେ ନୁହେଁ ଓଡ଼ିଶା ବାହାରେ ଓ ଦେଶବିଦେଶରେ ଶ୍ରୋତାମାନେ ରେଡିଓ ଚକଲେଟକୁ ଇଂଟରନେଟରେ ଆପ୍ ମାଧ୍ୟମରେ ଶୁଣିବାକୁ ଦାବୀ ଓ ଅନୁରୋଧ କରିଆସୁଥିଲେ । ଶ୍ରୋତାମାନଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ଯାଇ ରେଡିଓ ଚକଲେଟର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଆପ କରିବା ପାଇଁ ପ୍ରୟାସ ଆରମ୍ଭ କଲେ, ଯାହା ଆଜି ଗଣେଶ ପୂଜାରେ ଇଂଟରନେଟରେ ଶ୍ରୋତାମାନଙ୍କ ପାଇଁ ଉପଲବ୍ଧ ହୋଇସାରିଛି । ଏବେ ରେଡିଓ ଚକଲେଟ ଶୁଣିବାକୁ ଓଡ଼଼ିଶାରେ ରହିବାକୁ ପଡ଼ିବନି । ବିଶ୍ୱର ଯେଉଁଠି ବି ରହିଲେ ବି ରେଡିଓ ଚକଲେଟକୁ ଶୁଣି ହେବ ମୋବାଇଲର ଗୋଟେ କ୍ଲିକରେ ।

ରେଡିଓ ଚକଲେଟର ଏହି ଆପର ଆଉ ଏକ ବିଶେଷତ୍ୱ ହେଲା, ଗୋଟେ ଆପରେ ଶ୍ରୋତା ମାନେ ୬ଟି ରେଡିଓ ଷ୍ଟେସନ ଶୁଣି ପାରିବେ । ରେଡିଓ ଚକଲେଟ ସହିତ ରେଡିଓ ଭକ୍ତି, ଷ୍ଟୋରୀ ଷ୍ଟେସନ, ରେଡିଓ ନାଟକ, ଲଭ୍ ଷ୍ଟେସନ, ଚକଲେଟ ମଜାକଥା ଏହି ପରି ଛଅଟି ଷ୍ଟେସନ । ରେଡିଓ ଭକ୍ତିରେ ୨୪ ଘଂଟା ଭଜନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ଷ୍ଟୋରୀ ଷ୍ଟେସନରେ ଚବିଶ ଘଂଟା କାହାଣୀ, ଲଭ୍ଷ୍ଟେସନରେ ପ୍ରେମକୁ ନେଇ କାହାଣୀ, ନାଟକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ, ରେଡିଓ ନାଟକରେ ଚବିଶ ଘଂଟା ଓଡ଼ିଆ ନାଟକ, ଚକଲେଟ ମଜାକଥାରେ କମେଡି କ୍ୟାପସୁଲଠୁ ନେଇ ନାଟକ ଯାଏ । ଏମିତି ଶ୍ରୋତାମାନେ ନିଜ ରୁଚି ଅନୁସାରେ ଯେକୈାଣସି ଷ୍ଟେସନ ଶୁଣିପାରିବେ । ଏହି ଆପକୁ ନିର୍ମାଣ କରିବାକୁ ୟୁନିଡ୍ରିମ କନସଲଟାନସି ସର୍ଭିସେସ ପ୍ରାଇଭେଟ ଲିମିଟେଡ ସହାୟତା ଯୋଗାଇ ଦେଇଛନ୍ତି ।

ଏହି ଆପଟି ଆଣ୍ଡ୍ରଏଡ ମୋବାଇଲରେ ଗୁଗଲ ପ୍ଲେଷ୍ଟୋରରେ ଓ ଆପଲ୍ ମୋବାଇଲରେ ଆପଲ୍ ଷ୍ଟୋରରେ ଉପଲବ୍ଧ ହେବ । ରେଡିଓ ଚକଲେଟର ଲୋଗୋ ଥିବା ଅଫିସିଆଲ ଆପକୁ ଶ୍ରୋତା ମାନେ ଡାଉନଲୋଡ କରି ରେଡିଓ ଚକଲେଟର ଏହି ଛଅଟି ଷ୍ଟେସନ ଶୁଣି ପାରିବେ ।