ଅକ୍ଟୋବର ୧ ତାରିଖରୁ ବଦଳିବାକୁ ଯାଉଛି ଅନେକ ନିୟମ । ଆପଣଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ । ଜାଣନ୍ତୁ କେଉଁ କେଉଁ ନିୟମ ବଦଳିବ ।

635

କନକ ବ୍ୟୁରୋ : ଅକ୍ଟୋବର ୧ରୁ ବଡ଼ ପରିବର୍ତ୍ତନ । ବଦଳିବ ଅନେକ ନିୟମ, ଆପଣଙ୍କ ଉପରେ ପଡ଼ିବ ପ୍ରଭାବ । ଅକ୍ଟୋବର ୧ ତାରିଖରୁ ହେବାକୁ ଯାଉଛି ଅନେକ ପରିବର୍ତ୍ତନ । ଅକ୍ଟୋବର ପହିଲାରୁ ଆପଣଙ୍କ ବ୍ୟାଙ୍କ ଏବଂ ଏଟିଏମ୍ ସହ ଜଡିତ ଅନେକ ନିୟମ ବଦଳିବାକୁ ଯାଉଛି । କେବଳ ଏତିକି ନୁହେଁ ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ମଧ୍ୟ ପରିବର୍ତନ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିୟମ ବଦଳିବାକୁ ଯାଉଛି ।

୧.ପେନସନ୍ ନିୟମରେ ହେବ ପରିବର୍ତ୍ତନ
ଅକ୍ଟୋବର ୧ ତାରିଖରୁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ସହ ଜଡିତ ନିୟମ ବଦଳିବ । ଦେଶର ସମସ୍ତ ପେନସନଭୋଗୀ ଯେଉଁମାନଙ୍କ ବୟସ ୮୦ କିମ୍ବା ତାଠୁ ଅଧିକ, ସେମାନେ ଦେଶର ସବୁ ହେଡ୍ ପୋଷ୍ଟ ଅଫିସର ଜୀବନ ପ୍ରମାଣ ସେଂଟରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ ଜମା କରିପାରିବେ । ଏଥିପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

୨. ଚଳିବନି ପୁରୁଣା ଚେକବୁକ୍
ଅକ୍ଟୋବର ୧ ତାରିଖରୁ ତିନୋଟି ବ୍ୟାଙ୍କର ଚେକବୁକ୍ ଏବଂ MICR କୋଡ୍ ଇନଭାଲିଡ୍ ହୋଇଯିବ । ଏହି ବ୍ୟାଙ୍କ ଗୁଡିକ ହେଉଛି, ଓରିଏଂଟାଲ ବ୍ୟାଙ୍କ ଅଫ୍ କମର୍ସ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଆଲ୍ଲାହାବାଦ ବ୍ୟାଙ୍କ । ତେବେ ଏଗୁଡିକ ହେଉଛି ସେହି ବ୍ୟାଙ୍କ, ଯେଉଁଗୁଡିକର ନିକଟରେ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ ହୋଇଥିଲା । ତେଣୁ, ଖାତାଧାରୀଙ୍କ ଆକାଉଂଟ ନମ୍ବର, IFSC କୋଡ୍, MICR କୋଡରେ ପରିବର୍ତନ ହେବା କାରଣରୁ ଆସନ୍ତା ଅକ୍ଟୋବର ୧ ତାରିଖରୁ ବ୍ୟାଙ୍କ ସିଷ୍ଟମ ପୁରୁଣା ଚେକକୁ ରିଜେକ୍ଟ କରିଦେବ । ଏହି ବ୍ୟାଙ୍କଗୁଡିକର ସମସ୍ତ ପୁରୁଣା ଚେକବୁକ୍ ଅମାନ୍ୟ ହୋଇଯିବ ।

୩. ବଦଳିବ ଅଟୋ ଡେବିଟ୍ କାର୍ଡ ନିୟମ
ଅକ୍ଟୋବର ୧ ତାରିଖରୁ ଆପଣଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡରେ ହେଉଥିବା ଅଟୋ ଡେବିଟ୍ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ନୂଆ ନିୟମ ଅନୁଯାୟୀ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ, ଏବଂ ମୋବାଇଲ୍ ୱାଲେଟରୁ ହେଉଥିବା କିଛି ଅଟୋ ଡେବିଟ୍ ସେତେବେଳ ପର୍ଯ୍ୟନ୍ତ ହୋଇପାରିବ ନାହିଁ, ଯେଉଁପର୍ଯ୍ୟନ୍ତ ଗ୍ରାହକ ମଞ୍ଜୁରୀ ଦେଇନାହାନ୍ତି । ଅର୍ଥାତ କଷ୍ଟମରଙ୍କ ଖାତାରୁ ଟଙ୍କା ସେତେବେଳେ ଡେବିଟ୍ ହେବ, ଯେତେବେଳେ ସେ ଏହାକୁ କନଫର୍ମ କରିବେ । ଏହି ନୋଟିଫିକେସନ୍ ଆପଣଙ୍କୁ ଏସଏମଏସ କିମ୍ବା ଇମେଲ୍ ଜରିଆରେ ମିଳିବ ।

୪. ଏଲପିଜି ଗ୍ୟାସ ଦରରେ ହେବ ପରିବର୍ତ୍ତନ
ଅକ୍ଟୋବର ୧ ତାରିଖରୁ ଏଲପିଜି ସିଲିଣ୍ଡର ଦରରେ ପରିବର୍ତନ ହେବ । କାରଣ ପ୍ରତି ମାସର ପ୍ରଥମ ତାରିଖରେ ଘରୋଇ ରୋଷେଇ ଗ୍ୟାସ ଏବଂ କମର୍ସିଆଲ୍ ସିଲିଣ୍ଡରର ନୂଆ ଦର ଧାର୍ଯ୍ୟ କରାଯାଇଥାଏ ।

୫. ବନ୍ଦ ହେବ ବେସରକାରୀ ମଦ ଦୋକାନ
ଅକ୍ଟୋବର ୧ ତାରିଖରୁ ଦିଲ୍ଲୀରେ ବନ୍ଦ ହେବାକୁ ଯାଉଛି ବେସରକାରୀ ମଦଦୋକାନ । ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲ୍ୀ ସରକାର । ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କେବଳ ସରକାରୀ ଦୋକାନରେ ମଦ ବିକ୍ରି ହେବ । ଏବଂ ୧୭ ନଭେମ୍ବରରୁ ନୂଆ ନିୟମ ଅନୁଯାୟୀ, ଦୋକାନ ଖୋଲିବ ।