ପୁରୀରେ ଭଙ୍ଗା ଚାଲିଛି ରାଧାବଲ୍ଲଭ ମଠ : ଆଜି ବି ଜାରି ରହିବ ଉଚ୍ଛେଦ; ମାଟିରେ ମିଶିଲା ମଠ ପକ୍ଷରୁ ଭଡ଼ାରେ ଲାଗିଥିବା ୧୦ରୁ ଅଧିକା ଦୋକାନ ଘର

ପୁରୀରେ ଭଙ୍ଗା ଚାଲିଛି ରାଧାବଲ୍ଲଭ ମଠ : ଆଜି ବି ଜାରି ରହିବ ଉଚ୍ଛେଦ; ମାଟିରେ ମିଶିଲା ମଠ ପକ୍ଷରୁ ଭଡ଼ାରେ ଲାଗିଥିବା ୧୦ରୁ ଅଧିକା ଦୋକାନ ଘର

କନକ ବ୍ୟୁରୋ :  ଶ୍ରୀମନ୍ଦିର ଐତିହ୍ୟ କରିଡରର ବିକାଶ ପାଇଁ କଂସାରିପଟିକୁ ଆଜି ମାଟିରେ ମିଶାଇ ଦିଆଯାଇଛି । ଏହା ସହ ଶ୍ରୀକ୍ଷେତ୍ରର ପଟି ପରମ୍ପରା ବିସ୍ମୃତି ଗର୍ଭକୁ ଚାଲିଯାଇଛି । ଶ୍ରୀକ୍ଷେତ୍ରର ‘ପଟି’ ପରମ୍ପରା ଏକ ସ୍ବତନ୍ତ୍ର ପରିଚୟ ବହନ କରେ । ବର୍ଷ ବର୍ଷ ଧରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏହି ‘ପଟି’ ପରମ୍ପରା ଚାଲି ଆସୁଥିଲା । ଯେଉଁଥିରେ ଲୁଗାପଟି, ଚୁଡ଼ାପଟି, ସୁନାପଟି, କଂସାରିପଟି ଅନ୍ୟତମ ।

‘ଲୁଗାପଟି’ରେ କେବଳ ଲୁଗା ଦୋକାନ ହିଁ ରହିଥିଲା । ଗୋଟିଏ ଜାଗାରେ ଏକାଧିକ ଲୁଗା ଦୋକାନୀ ବ୍ୟବସାୟର ପସରା ମେଲାଇଥିଲେ । ‘ଚୁଡ଼ାପଟି’ରେ ଚୁଡ଼ା ଆଦି ମିଳୁଥିଲା । ଏଠାରେ ଏକାଧିକ ଚୁଡ଼ା ଦୋକାନୀ ଥିଲେ। ‘ସୁନାପଟି’ରେ ସୁନା ଦୋକାନୀ ଓ କଂସାରିପଟିରେ କଂସାବାସନ ଦୋକାନୀ ବ୍ୟବସାୟର ପସରା ମେଲାଇଥିଲେ । ପୁରୀବାସୀ ‌ହୁଅନ୍ତୁ କି ପର୍ଯ୍ୟଟକ, ଆବଶ୍ୟକ ଜିନିଷ ଖରିଦ ପାଇଁ ସିଧାସଳଖ ଏଠାରେ ପହଞ୍ଚୁଥିଲେ । କିନ୍ତୁ ଏହି ପଟି ପରମ୍ପରା ଆଜି ଧ୍ବଂସ ପାଇଛି । ଐତିହ୍ୟ କରିଡର ପାଇଁ ଜିଲ୍ଲା ପ୍ରଶାସନ ପ୍ରଥମେ ଲୁଗାପଟିକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲା । ଏହା ପରେ ଚୁଡ଼ାପଟି ଓ ସୁନାପଟିକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା। ଆଜି କଂସାରିପଟିକୁ ଭାଙ୍ଗି ଦିଆଯାଇଛି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଉଚ୍ଛେଦକ୍ରମରେ ସିଂହଦ୍ବାର ସମ୍ମୁଖରେ ଥିବା ରାଧାବଲ୍ଲଭ ମଠ ଭଙ୍ଗା ଜାରିରହିଛି । ମଠର ଉପର ମହଲା ଭଙ୍ଗାଯିବା ପରେ ତଳ ମହଲା ଭଙ୍ଗା କାର୍ଯ୍ୟ ଆଜି ବି ଜାରି ରହିବ । ମଠ ପକ୍ଷରୁ ଭଡ଼ା ଲାଗିଥିବା ୧୦ରୁ ଅଧିକ ଦୋକାନ ଘରକୁ ଭଙ୍ଗାଯାଇଛି । ଆଗରୁ ଏହା କଂସାରିପଟି ଭାବେ ପରିଚୟ ଲାଭ କରିଥିଲା ।

କଂସାର ବାସନକୁସନଠାରୁ ଆରମ୍ଭ କରି ଦେବାଦେବୀ ମୂର୍ତ୍ତି, ଘଣ୍ଟ ଓ ଘଣ୍ଟି ଆଦି ପୂଜା ସରଞ୍ଜାମ ଏଠାରେ ବିକ୍ରି ହେଉଥିବାରୁ ଏହା କଂସାରିପଟି ଭାବେ ପରିଚିତ ଥିଲା । ପୂର୍ବରୁ ଏହି ଦୋକାନୀମାନଙ୍କୁ ଜିଲ୍ଲା ପ୍ରଶାସନ ନୋଟିସ୍‌ ଜାରି କରିଥିଲା । ନୋଟିସ୍‌ ପାଇ ଦୋକାନୀମାନେ ଦୋକାନ ଖାଲି କରିଥିଲେ । ପୂର୍ବରୁ ସିଂହଦ୍ବାରରେ ଭୀଷଣ ଟ୍ରାଫିକ୍‌ ସମସ୍ୟା ଦେଖା ଦେଉଥିଲା । ରାଜନଅରଠାରୁ ଦୋଳମଣ୍ଡପ ସାହି ଭିତରେ ଅସମ୍ଭାଳ ଭିଡ଼ ଲାଗି ରହୁଥିଲା। ମଠ ଘର ଓ ଏହି ସବୁ ଦୋକାନ ଉଚ୍ଛେଦ ପରେ ସିଂହଦ୍ବାରରେ ଏହି ସମସ୍ୟା ଦୂର ହେବ ବୋଲି ଆଶା ରହିଛି ।

ଉଚ୍ଛେଦ ପୂର୍ବରୁ ଅଘଟଣ ଏଡ଼ାଇବା ପାଇଁ ଆଜି ରାଜନଅରଠାରୁ ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ଥିବା ରାସ୍ତାକୁ ସିଲ୍‌ କରି ଦିଆଯାଇଥିଲା। ଧୂଳି ତଥା ପରିବେଶ ପ୍ରଦୂଷଣକୁ ଏଡ଼ାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସିଞ୍ଚନ କରାଯିବା ପରେ ଘର ସବୁ ଭଙ୍ଗାଯାଇଥିଲା। ୧୭୩୭ ମସିହାରେ ଲାଲା ସେବକ ରାମ ନିଜେ ଜାଗା କିଣି ରାଧାବଲ୍ଲଭ ମଠର ପ୍ରତିଷ୍ଠା କରିଥିଲେ। ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ ମହାପ୍ରଭୁଙ୍କ ଚାମରସେବା ତୁଲାଉଛନ୍ତି । ଶ୍ରୀମନ୍ଦିର ଭିତରେ ମଠର ମନ୍ଦିର ରହିଛି ଓ ଏଠାରେ ପ୍ରଭୁ ରାଧାବଲ୍ଲଭ ବି ପୂଜା ପାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe