ପବିତ୍ର ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ଆଜି ରାଧା ପାଦ ଦର୍ଶନ । ଓଡିଆଣୀ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ

141

କନକ ବ୍ୟୁରୋ : ଆଜି ପବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ପାଳିତ ହେଉଛି ଅଁଳା ନବମୀ । ଭକ୍ତଙ୍କୁ ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା ରାଧା । ଦର୍ଶନ ପାଇଁ ଅନୁମତି ରହିଥିଲା ବେଳେ ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲାଗୁକରା ଯାଇଛି । ମନ୍ଦିରରେ ରାଧାଙ୍କ ଦର୍ଶନ କରିପାରିବେ ଭକ୍ତ କିନ୍ତୁ ପାଦ ଛୁଇଁବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏଥିପାଇଁ ରାତି ୨ଟାରୁ ମନ୍ଦିରର ନୀତିକାନ୍ତି ଆରମ୍ଭ ହୋଇଥିଲା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି ।
କରୋନା କଟକଣା ହଟିଥିବାରୁ ଚଳିତ ବର୍ଷ ସାକ୍ଷୀଗୋପାଳ ମନ୍ଦିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ଆଶଙ୍କା ରହିଛି । ଭକ୍ତଙ୍କ ଭିଡକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଛି । ଆଇନ ଶୃଙ୍ଖଳା ରକ୍ଷା ପାଇଁ ତିନି ଜଣ ଆଡସିନାଲ ଏସପି, ୮ଜଣ ଡିଏସପି, ୭୪ଜଣ ଏସଆଇ, ୧୦୦ଜଣ ହାବିଲଦାର ଓ କନେଷ୍ଟବଳ ନିୟୋଜିତ ହୋଇଛନ୍ତି । ଭିଡ ନିୟନ୍ତ୍ରଣ ପାଇଁ ମନ୍ଦିର ଆଗରେ ବ୍ୟାରିକେଡିଂ କରାଯାଇଛି । ଏହାଛଡା ବରିଷ୍ଠ ନାଗରିକଙ୍କ ପାଇଁ କୋଟ ଉପରପଡିଆ ଠାରୁ ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ପର୍ଯ୍ୟନ୍ତ ୪ଟି ବ୍ୟାଟେରି ଗାଡିର ବ୍ୟବସ୍ଥା କରାଯାଇଛି ।