କନକ ବ୍ୟୁରୋ: ଏବେ ବି ଗାଁ ଗହଳିରେ ବାସନ୍ଦ ଓ ଜାତି ପ୍ରଥା ଭଳି କୁସଂସ୍କାର ବଞ୍ଚି ରହିଛି । ପୁଅ ଭିନ୍ନ ଜାତିରେ ବିବାହ କରିବାରୁ ପୁରା ପରିବାରକୁ ବାସନ୍ଦ କରାଯାଇଛି । ପୁଅ କାହିଁକି ଭିନ୍ନ ଜାତି ବାହା ହେଲା ? ଏହାକୁ ନେଇ ଗାଁରେ ବୈଠକ ବସିଲା । ଆଉ ଗାଁ କମିଟି ଓ ମୁରବୀମାନେ ବିଚାର କରି ବାସନ୍ଦ ଭଳି ଏକ ଘୃଣ୍ୟ ପ୍ରଥାକୁ ଆପଣେଇଛନ୍ତି । ପୁରା ପରିବାରକୁ ୬ ମାସ ଧରି ନିଆଁ ପାଣି ବନ୍ଦ କରିଛନ୍ତି । ପରିବାରର କୌଣସି ଶୁଭ କାମ ପାଇଁ ବ୍ରାହ୍ମଣ ଓ ସେବାକାରୀଙ୍କୁ ମଧ୍ୟ ଗ୍ରାମବାସୀ ବାରଣ କରିଛନ୍ତି । ଏଭଳି ଦୁଃର୍ଭାଗ୍ୟ ଜନକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଂଚଳରେ ।
ରାଜନଗର ଥାନା ଅନ୍ତର୍ଗତ ବଳରାମପୁର ଗାଁର ଦୀପୁ ରଂଜନ ପରିଡା ଡେରା ଗାଁର ମାୟାଧର ସ୍ୱାଇଁଙ୍କ ଝିଅକୁ ପ୍ରେମ ବିବାହ କରିଛନ୍ତି । ପୁଅ ଜାତିରେ ଖଣ୍ଡାୟତ ହୋଇଥିବା ବେଳେ ଝିଅ ଜାତିରେ ପ୍ରଧାନ । ଖଣ୍ଡାୟତ ପୁଅ କାହିଁକି ପ୍ରଧାନ ଜାତିରେ ବିବାହ କଲା? ଏହାଦ୍ୱାରା ଗାଁର ସମ୍ମାନ ହାନୀ ହୋଇଥିବା ଦର୍ଶାଇ ଦୀପୁଙ୍କ ପରିବାରକୁ ୬ ମାସ ହେବ ବାସନ୍ଦ କରାଯାଇଛି ।
ପୁଅ ଭିନ୍ନ ଜାତିରେ ବାହା ହୋଇଥିବାରୁ ପୁରା ପରିବାରକୁ ଗାଁ ମନ୍ଦିର, ଦୋକାନ ଯିବାକୁ ମନା । ଗାଁରେ କାହା ସହିତ କଥା ହେଲେ ୨୦ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ଗାଁ ମୂରବୀ ହୁଇପ ଜାରି କରିଛନ୍ତି । ଯହି କୌଣସି ପରିବାର କି ବ୍ୟକ୍ତି ବାସନ୍ଦ ପରିବାର ସହ ସମ୍ପର୍କ ରଖନ୍ତି, ତେବେ ତାଙ୍କୁ ୫ଶହ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଗାଁ କମିଟି ମୁଖ୍ୟ କଳ୍ପତରୁ ପରିଡା ଘୋଷଣା କରିଛନ୍ତି । ଏମିତିକି ଦୀପୁଙ୍କ ଘରର ପିଲାଙ୍କୁ ଟିଉସନ କରିବାକୁ ଆସୁଥିବା ଶିକ୍ଷକଙ୍କୁ ବି ବାରଣ କରାଯାଇଛି । ଏନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ସବୁଠୁ ବଡକଥା ହେଲା ବଳରାମପୁର ଗାଁର ମୁରବୀ ବୋଲାଉ ଥିବା କଳ୍ପତରୁ ପରିଡା ଜଣେ ସରକାରୀ ଶିକ୍ଷକ । ସମାଜକୁ ଆଦର୍ଶ ଶିଖାଉଥିବା ଜଣେ ଶିକ୍ଷକ କେମିତି ଏଭଳି ସ୍କୁସଂସ୍କାରକୁ ପ୍ରସୟ ଦେଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ରାଜନଗର ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ଥାନା ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/17-18.jpg)