ନ୍ୟୁଜିଲାଣ୍ଡ ଟିମରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ସଚିନ ଓ ଦ୍ରାବିଡଙ୍କ ସହ ରହିଛି ଖାସ୍ ସମ୍ପର୍କ, ଜାଣନ୍ତୁ କିଏ ଏହି ରଚୀନ ରବିନ୍ଦ୍ର ।

231

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ଟିମରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ବୁଧବାର ଜୟପୁରରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲା ସତ କିନ୍ତୁ ଟିମରେ ସ୍ଥାନ ପାଇଥିବା ଜଣେ ଖେଳାଳୀଙ୍କ ବାବଦରେ ଜାଣିବାକୁ ଚାହିଁଥିଲା ପୂରା ଦେଶ । ଭାରତ ବିପକ୍ଷ ପ୍ରଥମ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡ ପକ୍ଷରୁ ମୈଦାନକୁ ଓହ୍ଲାଇଥିଲେ ରଚିନ ରବୀନ୍ଦ୍ର । ନାଁ ସହ ଚେହେରା ବି ପୂରା ଭାରତୀୟଙ୍କ ଭଳି । ଆଉ ପଡିଆରେ ରଚୀନଙ୍କୁ ଦେଖିବା ପରେ ତାଙ୍କ ବାବଦରେ ଜାଣିବାକୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଥିଲା । ଆଉ ମ୍ୟାଚ୍ ସରିବାର କିଛି ଘଣ୍ଟା ମଧ୍ୟରେ ରଚୀନଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । କାରଣ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ୨୨ ବର୍ଷୀୟ ରଚୀନଙ୍କର ଭାରତ ସହ ବହୁ ଆଗରୁ ସମ୍ପର୍କ ରହିଛି । ଏପରିକି ଦୁଇ ଜଣ ଭାରତୀୟ କ୍ରିକେଟରଙ୍କ ନାଁ ସହ ରଚୀନଙ୍କ ନାଁର ସମ୍ପର୍କ ରହିଛି ।

 

ମିଳିଥିବା ସୂଚନା ମୁତାବକ, ରଚୀନ ରବୀନ୍ଦ୍ରଙ୍କ ବାପା ଆର. କୃଷ୍ଣମୂର୍ତ୍ତି ୯୦ ଦଶକରେ କାର୍ଯ୍ୟ ଅନ୍ୱେଷଣରେ ନ୍ୟୁଜିଲାଣ୍ଡ ଚାଲି ଯାଇଥିଲେ । ଆଉ ସେଠାରେ ରଚୀନଙ୍କର ଜନ୍ମ ହୋଇଥିଲା । ରଚୀନଙ୍କ ବାପା ଆର କୃଷ୍ଣମୂର୍ତ୍ତିଙ୍କର କ୍ରିକେଟ ପ୍ରତି ଦୁର୍ବଳତା ରହିଥିଲା । ଏପରିକି କୃଷ୍ଣମୂର୍ତ୍ତି ଏବଂ ଭାରତର ପୂର୍ବତନ ବୋଲର ଶ୍ରୀନାଥ ଭଲ ସାଙ୍ଗ ମଧ୍ୟ । ଉଭୟ ବାଙ୍ଗାଲୋରରେ ସାଙ୍ଗ ହୋଇ କ୍ରିକେଟ ଖେଳିଛନ୍ତି । ଆଉ କ୍ରିକେଟ ପ୍ରତି ଥିବା ଦୁର୍ବଳତା ତାଙ୍କୁ ନ୍ୟୁଜିଲାଣ୍ଡରେ ଏକ କ୍ରିକେଟ କ୍ଲବ ଖୋଲିବାକୁ ପ୍ରେରଣା ଯୋଗାଇଥିଲା । ତେବେ ରଚୀନଙ୍କ ନାଁ ପଛରେ ଦୁଇ ଭାରତୀୟ କ୍ରିକେଟରଙ୍କ ନାଁ ଲୁଚି ରହିଛି ।

କୃଷ୍ଣମୂର୍ତ୍ତିଙ୍କ ଅନୁଯାୟୀ, ଭାରତର ଦୁଇ ଲୋକପ୍ରିୟ କ୍ରିକେଟର ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କ ନାଁରୁ ଅକ୍ଷରକୁ ଆଣି ରଚୀନଙ୍କ ନାଁ ରଖାଯାଇଛି । କାରଣ ରଚୀନଙ୍କ ବାପା କୃଷ୍ଣମୂର୍ତ୍ତି ଏହି ଦୁଇ ଭାରତୀୟ ଖେଳାଳୀଙ୍କର ବଡ ପ୍ରଂଶସକ । ରଚୀନ ଏହା ପୂର୍ବରୁ ମଧ୍ୟ ଭାରତରେ ଖେଳି ସାରିଛନ୍ତି । ଏହାସହ ନ୍ୟୁଜିଲାଣ୍ଡ ପକ୍ଷରୁ ୧୯ ବର୍ଷରୁ କମ ବିଶ୍ୱକପ ଟିମରେ ଖେଳି ସାରିଛନ୍ତି । ୨୦୧୬ ଓ ୨୦୧୮ରେ ୧୯ ବର୍ଷରୁ କମ ବିଶ୍ୱକପ ଟିମରେ ସ୍ଥାନ ପାଇବା ସହ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳିଛନ୍ତି ରଚୀନ । ନ୍ୟୁଜିଲାଣ୍ଡର ଘରୋଇ କ୍ରିକେଟରେ ଷ୍ଟାର ଖେଳାଳୀ ଭାବେ ରଚୀନ ଜଣାଶୁଣା । ୨୦୨୧ରେ ବାଂଲାଦେଶ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ନ୍ୟୁଜିଲାଣ୍ଡ ପକ୍ଷରୁ ପଦାର୍ପଣ କରିଥିଲେ ରଚୀନ । କିନ୍ତୁ ଏହି ସିରିଜରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲା । ଏହାପରେ ଟିମ୍ ଇଣ୍ଡିଆ ବିରୋଧରେ ଖେଲିବାକୁ ରଚୀନ ସୁଯୋଗ ପାଇଥିଲେ । କିନ୍ତୁ ଏହି ମ୍ୟାଚରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ରଚୀନ । ମାତ୍ର ୮ ବଲରୁ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ ରଚୀନ । ଏଯାବତ ମୋଟ ୬ଟି ଅର୍ନ୍ତଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିବା ରଚୀନ ନ୍ୟୁଜିଲାଣ୍ଡ ପକ୍ଷରୁ ୬ଟି ୱିକେଟ ହାସଲ କରିଛନ୍ତି । କିନ୍ତୁ ଭାରତ ବିପକ୍ଷରେ ରଚୀନଙ୍କୁ ବୋଲିଂ କରିବାକୁ ମିଳିନଥିଲା ।