ରବୀନ୍ଦ୍ରଙ୍କୁ ଆଉଟ କଲେ ରବୀନ୍ଦ୍ର । କାନପୁର ଟେଷ୍ଟରେ ଦେଖିବାକୁ ମିଳିଲା ଅଜବ ଦୃଶ୍ୟ ।

297

କନକ ବ୍ୟୁରୋ : କାନପୁର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଜବରଦସ୍ତ କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ୧୫୦ ରନ୍ ପର୍ଯ୍ୟନ୍ତ ୱିକେଟ ହରାଇନଥିବା କିୱି ଦଳ ୨୯୬ ରନରେ ଅଲଆଉଟ ହୋଇଛି । ଆଉ ନ୍ୟୁଜିଲାଣ୍ଡ ଟିମର ବ୍ୟାଟିଂ ଲାଇନକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି ଭାରତୀୟ ବୋଲର । ଟିମ୍ ଇଣ୍ଡିଆର ସ୍ପିନରଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଛନ୍ତି ନ୍ୟୁଜିଲାଣ୍ଡ ବ୍ୟାଟର । ଏହାସହ ପ୍ରଥମ ଇନିଂସରେ ୪୯ ରନର ଅଗ୍ରଣୀ ହାସଲ କରିଛି ଭାରତୀୟ ଦଳ । ତେବେ ଏହି ମ୍ୟାଚରେ ଏକ ରୋଚକ ଘଟଣା ଘଟିଥିଲା ଯେତେବେଳେ ରବୀନ୍ଦ୍ରଙ୍କୁ ଆଉଟ କରିଥିଲେ ରବୀନ୍ଦ୍ର ।

କାନପୁର ଟେଷ୍ଟର ତୃତୀୟ ଦିନର ଖେଳ ଚାଲିଥିବା ବେଳେ ୧୧୧ ତମ ଓଭର ନେଇ ଆସିଥିଲେ ରବୀନ୍ଦ୍ର ଜାଡେଜା । ଆଉ କ୍ରିଜରେ ବ୍ୟାଟିଂ କରୁଥିଲେ ନ୍ୟୁଜିଲାଣ୍ଡର ରଚିନ୍ ରବୀନ୍ଦ୍ର । ୧୩ ରନ କରି ରବୀନ୍ଦ୍ର କ୍ରିଜରେ ସେଟ୍ ହେଉଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ । ଏହି ମ୍ୟାଚରେ ଉଭୟ ଟିମରେ ରବୀନ୍ଦ୍ର ନାଁରେ ଖେଳାଳୀ ରହିଥିବା ବେଳେ ପଟେଲ ସରନେମ ଥିବା ଦୁଇ ଖେଳାଳୀ ମଧ୍ୟ ରହିଛନ୍ତି । ଭାରତ ପକ୍ଷରୁ ଅକ୍ଷର ପଟେଲ ଖେଳୁଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ଖେଳୁଛନ୍ତି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ରଚିନ ରବୀନ୍ଦ୍ରଙ୍କ ନାଁ ପଛରେ ଭାରତୀୟ କନେକ୍ସନ ରହିଛି । ରଚିନଙ୍କ ବାପା ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କର ବଡ ପ୍ରଂଶସକ । ତେଣୁ ଉଭୟଙ୍କ ନାମକୁ ମିଶାଇ ପୁଅ ନାଁ ରଚିନ ରଖିଥିଲେ । ଆଉ ସଂଯୋଗ ଦେଖନ୍ତୁ ରଚିନ ଯେତେବେଳେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳୁଛନ୍ତି ସେତେବେଳେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ରହିଛନ୍ତି ରାହୁଲ ଦ୍ରାବିଡ ।