କନକ ବ୍ୟୁରୋ : ବାଲେଶ୍ୱର ନୀଳଗିରିରେ ଲୋକଙ୍କ ଗହଳି । ପଂଚଲିଙ୍ଗେଶ୍ୱରଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଆସୁଛନ୍ତି ପର୍ଯ୍ୟଟକ । ଶୀତର କଅଁଳ ସ୍ପର୍ଶ ସାଙ୍ଗକୁ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟ ଏଠାରେ ପର୍ଯ୍ୟଟକଙ୍କୁ ବାନ୍ଧି ରଖେ । କିଏ ପରିବାର ସହ ଅନ୍ୟ କିଏ ବନ୍ଧୁ ସହ ଏଠାକୁ ବୁଲିଆସନ୍ତି । ଖାଲି ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଏଠାରେ ଗହଳି ଲାଗେ ।
ନୂଆବର୍ଷ ପାଇଁ ଖାସ କରି ଚଳିିତ ସପ୍ତାହରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । ବାବା ପଂଚଲିଙ୍ଗେଶ୍ୱର ପୀଠରେ ପର୍ଯ୍ୟଟକ ପ୍ରକୃତି ଉପଭୋଗ କରିବା ସହ ଠାକୁରଙ୍କୁ ସ୍ପର୍ଶ କରି ଆର୍ଶିବାଦ ନିଅନ୍ତି । ପର୍ଯ୍ୟଟକଙ୍କ ଗହଳିକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପୋଲିସ ପ୍ରଶାସନ ମୁତୟନ କରାଯାଇଛି । ପର୍ଯ୍ୟଟକ ବୁଲିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
ବାହାରୁ ବୁଲି ଆସୁଥିବା ପର୍ଯ୍ୟଟକ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ସହ ବଣଭୋଜି କରି ନୂତନ ବର୍ଷକୁ ସ୍ୱାଗତ କରୁଛନ୍ତି ।
ବର୍ଷର ଶେଷ ଦିନକୁ ମନଭରି ଉପଭୋଗ କରିଛନ୍ତି ଲୋକେ । ୨୦୨୩ର ଶେଷ ଦିନଟି ରବିବାର ପଡିଥିବାରୁ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ ଲାଗିଛି । ଗଂଜାମ ଜିଲ୍ଲାର ମା’ ନାୟାରଣୀଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ପର୍ଯ୍ୟଟକ । ମା’ଙ୍କ ଦର୍ଶନ କରି ବର୍ଷ ୨୦୨୩କୁ ବିଦାୟ ଦେବା ସହ ନୂତନ ୨୦୨୪ର ସ୍ୱାଗତ କରିବାକୁ ପ୍ରସ୍ତୁତି କରିଛନ୍ତି ।
ଚାନ୍ଦିପୁର । ରାଜ୍ୟ ପର୍ଯ୍ୟଟନ ସ୍ଥଳୀରେ ସ୍ୱତନ୍ତ୍ର ସ୍ଥାନ ବହନ କରୁଛି ଏକ ସ୍ଥାନ । କ୍ଷପଣାସ୍ତ୍ର ଘାଟି ସାଙ୍ଗକୁ ଚାନ୍ଦିପୁର ବେଳାଭୂମୀ । ଥରେ ଯିଏ ଦେଖିଛି, ସେ ଆଉ ଥରେ ଆସିବାକୁ ନିଶ୍ଚୟ ମନେ କରିବ । ଆଉ ଆଜି ରବିବାର, ବର୍ଷର ଶେଷଦିନ । ତେଣୁ ପରିବାର ଓ ସାଙ୍ଗ ସାଥୀଙ୍କ ସହ ଚାନ୍ଦିପୁରରେ ଭିଡ ଜମାଇଥିଲେ ପର୍ଯ୍ୟଟକ ।
ଏବେ ଆସନ୍ତୁ ଯିବା କୋରାପୁଟ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳି ରହିଛି । ଆଜି ସବୁ ପିକନିକ୍ ସ୍ପଟ୍ରେ ଚାଲିଛି ବଣଭୋଜି ସାଙ୍ଗକୁ ବୁଲାବୁଲି ।
ବର୍ଷର ଶେଷ ସମୟ । ରାତି ପାହିବା ସହ କ୍ୟାଲେଣ୍ଡ ବଦଳିଯିବ । ୨୦୨୩ର ଶେଷ ଦିନକୁ ସ୍ମରଣୀୟ କରିବା ପାଇଁ ଜମୁଛି ପିକନିକ । ବଣଭୋଜିରେ ମସଗୁଲ୍ ସମସ୍ତେ । ନିଜ ସଂପର୍କୀୟ ଏବଂ ସାଙ୍ଗସାଥୀଙ୍କ ସହିତ କିଛି ଖୁସିର ମୂହୂର୍ତ ବିତାଇବା ପାଇଁ ବିଭିନ୍ନ ପିକନିକ୍ ସ୍ପଟରେ ଲାଗିଛି ଭିଡ । ମା ଅମ୍ବିକାଙ୍କ ଶକ୍ତିପୀଠ ଦେବକୁଣ୍ଡରେ ବି ଲାଗିଥିଲା ଗହଳି ।
ଶିମିଳିପାଳର ପାଦଦେଶରେ ରହିଛି ମା ଅମ୍ବିକାଙ୍କ ଶକ୍ତିପୀଠ ଦେବକୁଣ୍ଡ । ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ଏଠାକୁ ଛୁଟି ଆସନ୍ତି ପର୍ଯ୍ୟଟକ । ମୟୂରଭଂଜ ଜିଲ୍ଲା ଉଦଳା କୁଣ୍ଡାବାଇ ପଂଚାୟତରେ ରହିଛି ଦେବକୁଣ୍ଡ । ପିକ୍ନିକ୍ ପ୍ଲାନିଂ ବେଳେ ସମସ୍ତଙ୍କ ମନକୁ ଆସେ ଦେବକୁଣ୍ଡ । କେବଳ ରାଜ୍ୟ ନୁହେଁ ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡରୁ ମଧ୍ୟ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି । ବଣଭୋଜି କରିବା ସହିତ ମା ଅମ୍ବିକାଙ୍କ ଆଶିର୍ବାଦ ଭିକ୍ଷା କରିଥାନ୍ତି ।
ପାହାଡର ବୁକୁ ଚିରି ବୋହି ଆସିଥିବା କାଚକେନ୍ଦୁ ପାଣି ସମସ୍ତଙ୍କୁ ଆକୃଷ୍ଟ କରୁଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସି ମନଭରି ପ୍ରାକୃତିକ ପରିବେଶକୁ ଉପଭୋଗ କରୁଛନ୍ତି । ପର୍ଯ୍ୟଟକଙ୍କ ଭିଡକୁ ଦେଖି ବନବିଭାଗ ସହିତ ପୋଲିସ୍ ପ୍ରଶାସନ ତତ୍ପର ରହିଛି । ହେଲେ ଦେବକୁଣ୍ଡରେ ଥିବା କିଛି ସମସ୍ୟା ପର୍ଯ୍ୟଟକଙ୍କୁ ବ୍ୟଥିତ୍ କରିଛି । ବୁଢାମରା ଗେଟ ବାହାରେ ବଣଭୋଜି କରି ମା’ ଅମ୍ବିକାଙ୍କୁ ଦର୍ଶନ କରିବାକୁ ଯିବାରେ ରାସ୍ତା ଖରାପ ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ଦେବକୁଣ୍ଡ ପର୍ଯ୍ୟଟନସ୍ଥଳୀକୁ ସରକାରୀ ସ୍ତରରେ ସହାୟତା ମିଳିଥିବା ବେଳେ ଏବେ ଉନ୍ନୟନ କାର୍ଯ୍ୟ ଚାଲିଛି ।