ପରିଣତ ବୟସରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି କଣାସ ଅଂଚଳର ରବିନ୍ଦ୍ର ମଉସା: ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି ଅଳତା ସିନ୍ଦୂର
କନକ ବ୍ୟୁରୋ: ଯେଉଁ ବୟସରେ ବଂଚିବା ପାଇଁ ଅନ୍ୟର ସାହାରା ଅବଶ୍ୟକ ସେହି ବୟସରେ ଜୀବନ ଜିଇବା ପାଇଁ କରୁଛନ୍ତି ସଂଘର୍ଷ । ପରିଣତ ବୟରେ ପରିବାର ଲୋକେ ପର କରିଦେବା ପରେ ସେ ଜୀବନରେ ହାର ମାନିନାହାନ୍ତି । ବରଂ ପୁରୀ ଜିଲ୍ଲା କଣାସ ଅଂଚଳରେ ସିନ୍ଦୂର ଓ ଅଳତା ବିକ୍ରି କରି ପେଟ ପୋଷୁଛନ୍ତି ରବିନ୍ଦ୍ର ମଉସା ।

Kanak News is now on WhatsApp
Join and get latest news updates delivered to you via WhatsApp
ବୟସ ୭୫ ଟପିଲାଣି । ହାତରେ ଦୁଇଟି ପୁରୁଣା ବ୍ୟାଗ୍ । ପାଦ ମଧ୍ୟ ଆଉ ବୋଲମାନୁନି । ଅଙ୍କାବଙ୍କରା ରାସ୍ତାରେ ଏଠି ସେଠି ପଡ଼ୁଛି ପାଦ । ୧୦ ହାତ ଚାଲି ଚାଲି ଗଲେ ବିଶ୍ରାମ ନେବାକୁ ପଡ଼ୁଛି । ତଥାପି ହାର ମାନି ନାହାଁନ୍ତି ଏହି ବୁଢ଼ା ମଉସା ଜଣକ । ପରିଣତ ବୟସରେ ଅନ୍ୟ କାହା ଉପରେ ନିର୍ଭର ନକରି ନିଜସ୍ୱ ଉଦ୍ୟମରେ ନିଜେ ରୋଜଗାର କରୁଛନ୍ତି । ସକାଳୁ ସଂଜ ହେବା ଯାଏଁ ଏ ଗାଁରୁ ସେ ଗାଁ ବୁଲି ବୁଲି ଅଳତା ସିନ୍ଦୁର ବିକ୍ରି କରୁଛନ୍ତି । ପେଟପାଟଣା ପାଇଁ ସେ କେବେ କାହା ପାଖରେ ହାତ ପତାଇନାହାନ୍ତି । ସ୍ୱାଭିମାନ ସହ ବଂଚିବା ପାଇଁ ଜୀବନର ଶେଷ ସମୟରେ ବି ସେ ସଂଘର୍ଷ କରୁଛନ୍ତି ।
ରବିନ୍ଦ୍ର ମଉସା ତଥା ସିନ୍ଦୁର ମଉସା ନାଁର ସେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ । ତାଙ୍କ ଡାକ ଶୁଣି ଘରୁ ବାହାରି ଆସନ୍ତି ଝିଅ ବୋହୁ । ଆଉ ବ୍ୟାଗରେ ଆଣିଥିବା ସିନ୍ଦୁର କିଣିବାକୁ ତାଙ୍କ ପାଖରେ ଜମେ ଗହଳି । ଯୁବକ ସମୟରୁ ଗଂଜାମ ଜିଲ୍ଲାରୁ ଆସି ପୁରୀ ଜିଲ୍ଲା କଣାସ ଅଂଚଳରେ ସେ ରହୁଛନ୍ତି ।
ଦୀର୍ଘ ୪୦ ବର୍ଷ ହେଲା କଣାସ ଅଂଚଳରେ ଗାଁ ଗହଳିରେ ବିକ୍ରି କରୁଛନ୍ତି ଅଳତା ସିନ୍ଦୁର । ହେଲେ ସବୁ ଠାରୁ ଦୁଃଖର କଥା ହେଲ ଏହି ପରିଣତ ବୟସରେ ତାଙ୍କର ସାହାରା ବୋଲି କେହିନାହିଁ । ପରିବାର ଲୋକ ତାଙ୍କୁ ପର କରିଦେଇଥିବା ବେଳେ ଏଭଳି ସଂଘର୍ଷମୟ ଜୀବନ ବିତାଉଛନ୍ତି ରବିନ୍ଦ୍ର ମଉସା ।