ଆଉ ନିର୍ବାଚନ ଲଢିବେନି ରବୀନ୍ଦ୍ର ଜେନା । ବାଲେଶ୍ୱର ସଦର ଉପନିର୍ବାଚନ ପ୍ରାର୍ଥୀ ରେସରେ ନାହାନ୍ତି ଜିଲ୍ଲା ବିଜେଡି ସଭାପତି : ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସହିତ ରୁଦ୍ଧ ଦ୍ୱାର ବୈଠକ ପରେ ରଖିଲେ ମତ

701

କନକ ବ୍ୟୁରୋ : ରାଜନୀତିରେ ସକ୍ରିୟ ରହିବେ କି ନାହିଁ ସେକଥା ସ୍ପଷ୍ଟ କରିନଥିବା ବେଳେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା । ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏନେଇ ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସହ ଚାଲିଥିବା ରୁଦ୍ଧଦ୍ୱାର ବୈଠକରୁ ବାହାରିବା ପରେ ଏଭଳି ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ରବିନ୍ଦ୍ର ଜେନା । ସେ କହିଛନ୍ତି କି ବାଲେଶ୍ୱର ସଦରରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଟିକେଟ ଦୌଡରେ ସେ ନାହାନ୍ତି । ଏହା ସହ ସେ ନିଜ ପାଇଁ ଆଉ ଭୋଟ ମାଗିବେ ନାହି: ବୋଲି ସ୍ପଷ୍ଟ କରିଛନ୍ତି ।

୨୦୧୪ ନିର୍ବାଚନ ପୂର୍ବରୁ ହଠାତ ରାଜନୀତିରେ ପ୍ରବେଶ କରିଥିଲେ ରବିନ୍ଦ୍ର ଜେନା । ସେ ଦିଲ୍ଲୀରେ ଜଣେ ଜମି ବ୍ୟବସାୟ ଭାବେ ବ୍ୟବସାୟ ଚଳାଉଥିବା ବେଳେ ହଠାତ୍ ବିଜେଡିରେ ଯୋଗ ଦେଇ ବାଲେଶ୍ୱର ଭଳି ସମ୍ବେଦନଶୀଳ ଆସନରୁ ଦଳୀୟ ଟିକେଟ୍ ହାତେଇଥିଲେ । ଖାଲି ଦଳୀୟ ଟିକେଟ ହାତେଇନଥିଲେ ଦଳ ପାଇଁ ବି ଶୁଭଙ୍କର ସାବିତ୍ ହୋଇଥିଲେ । ସେ ବାଲେଶ୍ୱରରୁ ସାଂସଦ ଭାବେ ଜିତି ଦଳ ଭିତରେ ନିଜର ସ୍ଥିତି ଜାହିର କରିପାରିଥିଲେ । ହେଲେ ୨୦୧୯ ନିର୍ବାଚନ ବେଳେ ଦଳ ତାଙ୍କୁ ଟିକେଟ ଦେଇଥିଲେ ବି ଆଉ ନବୀନ କି ରବିନ୍ଦ୍ରଙ୍କ ଫେକ୍ଟର ବାଲେଶ୍ୱରରେ କାମ କରିନଥିଲା ।

ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରତାପ ଷଡଙ୍ଗୀ କିନ୍ତୁ ବାଜିମାରି ନେଇଥିଲେ । ଏହା ପରେ ବାଲେଶ୍ୱରରେ ରବିନ୍ଦ୍ରଙ୍କ ଚିତ୍ର ଧିରେ ଧିରେ ମଳିନ ପଡିଥିବା ବେଳେ ରାଜ୍ୟ ସଂଗଠନରୁ ଦୂରେଇ ଯାଇ ବାଲେଶ୍ୱରରେ ସିମିତ ହୋଇଯାଇଛନ୍ତି ରବିନ୍ଦ୍ର ଜେନା । ଏପଟେ ସଦର ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବା ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଏହି ଆସନକୁ ବିଜେଡି ଫେରିବ ବୋଲି ଆଶା କରାଯାଉଛି । ଏଭଳି ସ୍ଥଳରେ ବିଜେପି ମଦନ ମୋହନଙ୍କ ପୁଅ ମାନସଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ମୁୂଳକ ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ବିଜେଡିରୁ ରବିନ୍ଦ୍ର ଜେନା ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । ଯାହାର ପୂର୍ଣ୍ଣଛେଦ ପାକାଇଛନ୍ତି ଶ୍ରୀ ଜେନା ।