ସିଡନୀ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କ ରକେଟ୍ ଥ୍ରୋ । ଦୁଇ ରନ୍ ନେବା ଲୋଭରେ ୱିକେଟ ହରାଇଲେ ଷ୍ଟିଭେନ୍ ସ୍ମିଥ୍ 

259

କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଟିମଇଣ୍ଡିଆ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ଏବେ ଚର୍ଚାରେ । ଜାଡେଜାଙ୍କ ରକେଟ୍ ପରି ଥ୍ରୋରେ ରନଆଉଟରୁ ବର୍ତି ପାରିଲେନି ଷ୍ଟିଭେନ୍ ସ୍ମିଥ୍ । ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ଏ କାହାଣୀ ସିଡନୀ ଟେଷ୍ଟର  । କ୍ରିକେଟ୍ ପଡିଆରେ ଆପଣ ଅନେକ ରନ୍ ଆଉଟ୍ ଦେଖିଥିବେ । ହେଲେ ଏହି ରନ୍ ଆଉଟ୍ ଆପଣଙ୍କୁ ଅଧିକ ଆକର୍ଷିତ କରିବ ନିଶ୍ଚୟ । କାରଣ ଏହି ରନ୍ ଆଉଟ୍ ଆସିଛି ସାର୍ ଜାଡେଜାଙ୍କ ହାତରୁ । ଏହା ବଳରେ ସ୍ମିଥଙ୍କୁ ଶିକାର କରିଛନ୍ତି ସାର୍ ଜାଡେଜା । ଯାହାଙ୍କୁୁଆଉଟ୍ କରିବାକୁ ଭାରତୀୟ ବୋଲର ନାକେଦମ୍ ହୋଇଥିଲେ, ରକେଟ୍ ଥ୍ରୋ କରି କାମ ଶେଷ କରିଦେଲେ ଜାଡେଜା ।

ସିଡନୀ ଟେଷ୍ଟରେ ମ୍ୟାଚରେ ମୋଡ ଏପରି ଆସିଥିଲା , ଲାଗୁଥିଲା ଘରୋଇ ଅଷ୍ଟ୍ରେଲିଆ ଟିମ୍ , ଭାରତ ବିପକ୍ଷରେ ସ୍ଥିତି ଆହୁରି ମଜବୁତ୍ କରିନେବ । କ୍ରିଜରେ ଶତକ ହାସଲ କରି ବ୍ୟାଟିଂ ଜାରି ରଖିଥିଲେ ଷ୍ଟିଭେନ୍ ସ୍ମିଥ୍ । ପ୍ରଥମ ଇନିଂସର ୧୦୬ ଓଭରର ବୋଲିଂ ପାଇଁ ଆସିଥିଲେ ଯଶପ୍ରୀତ ବୁମରା । ଆଉ ବୁମରାଙ୍କ ବଲକୁ ସ୍କୋୟାର ଲେଗ୍ ଅଂଚଳକୁ ଖେଳି , ଡବଲ୍ ରନ୍ ନେବାକୁ ଉଦ୍ୟମ କରୁଥିଲେ ସ୍ମିଥ୍ ।

ଏତିକି ବେଳେ ବଲ ଆଡକୁ ବିଜୁଳି ପରି ମାଡି ଆସିଲେ ଜାଡେଜା,  କରିଥିଲେ ରକେଟ୍ ପରି ଥ୍ରୋ । ଜାଡେଜାଙ୍କ ଥ୍ରୋକୁ ଦେଖି ସ୍ମିଥ୍ ବୁଝିପାରିଥିଲେ ଏଥିରୁ ବର୍ତିବା କଷ୍ଟକର । ସିଧା ଡାଇଭ୍ ମାରିଥିଲେ । କିନ୍ତୁ ଏତିକି ବେଳକୁ ଷ୍ଟମ୍ପ ଭାଙ୍ଗି ସାରିଥିଲା ଜାଡେଜାଙ୍କ ରକେଟ୍ ଥ୍ରୋ । ଏଇଠି ବଦଳି ଯାଇଥିଲା ସିଡନୀ ଟେଷ୍ଟର ମୋଡ୍ ।

ସ୍ମିଥଙ୍କ ୱିକେଟ୍ ପତନ ପରେ ବଦଳି ଯାଇଥିଲା ମ୍ୟାଚର ମୋଡ । ପୁରା ଟିମ୍ ୩୩୮ ରନରେ ଅଲଆଉଟ୍ ହୋଇଥିଲା । ପ୍ରଥମ ଇନିଂସରେ ଘାତକ ବୋଲିଂ କରିଥିଲେ ରବୀନ୍ଦ୍ର ଜାଡେଜା । ୬୨ ରନରେ ହାସଲ କଲେ ୪ ୱିକେଟ୍ । ଜାଡେଜାଙ୍କ ଏହି ଘାତକ ବୋଲିଂ ଭାଙ୍ଗି ଯାଇଥିଲା ଅଷ୍ଟ୍ରେଲିଆର ମେରୁଦଣ୍ଡ । ଏବେ ସିଡନୀ ଟେଷ୍ଟର ଏହି ରନ ଆଉଟ୍ ସୋସିଆଲ୍ ମିଡିଆରେ ବେଶ୍ ଟ୍ରେଣ୍ଡ୍ କରୁଛି ।