କନକ ବ୍ୟୁରୋ: କୃଷକ ଉପରେ ଦାଉ ସାଜୁଛି ପ୍ରକୃତି । କେତେ ବେଳେ ଅଦିନିଆ ବର୍ଷା ଓ ପୁଣି କେତେ ବେଳେ ସ୍ୱଳ୍ପ ବୃଷ୍ଟିପାତ ଜନିତ ଫସଲ କ୍ଷତି । ଏବେ ପୁଣି ଘନ କୁହୁଡିର ଆସ୍ତରଣ ସମସ୍ୟା ବଢାଉଛି । ଶୀତ ସହ ଏବେ ସକାଳ ୯ ଟା ପଯ୍ୟନ୍ତ କୁହୁଡି ଢାଙ୍କି ରହୁଛି । ଫଳରେ ଅଧିକ କୁହୁଡି ରବିଯାତିୟ ଫସଲ ଓ ପନିପରିବା ଚାଷ ରେ ନାନା ରୋଗ ସୃଷ୍ଟି କରୁଛି ।

ଘନ କୁହୁଡିର ଆସ୍ତରଣ ଚାଷୀର ନିଦ ହଜାଇ ଦେଇଛି । ୧୨ ରୁ ଅଧିକ ଦିନ ହେଲାଣି ଗଂଜାମର ବିଭିନ୍ନ ଅଂଚଳରେ ଘନ କୁହୁଡି ଲାଗି ରହୁଛି । ଆସିକା ଓ ଧରାକୋଟ ବ୍ଲକର ବିଭିନ୍ନ ଗାଁରେ ପ୍ରାୟ ସକାଳ ୯ ଯାଏଁ କୁହୁଡିର ଆସ୍ତରଣ ଜମି ରହୁଛି । ଯାହା ଦ୍ୱାରା ସାଧାରଣ ଲୋକେ ପ୍ରଭାବିତ ହେଉଥିବା ବେଳେ ଚାଷୀ ପଡିଛି କ୍ଷତିରେ । ଏକର ଏକର ଚାଷ ଜମିରେ ହୋଇଥିବା ଫସଲ କୁହୁଡି ଯୋଗୁ ପୋଡ଼ିବାରେ ଲାଗିଛି । ଚଳିତ ବର୍ଷ ରବି ଫସଲ ଯେମିତିକି ମୁଗ, ବିରି, କୋଳଥ, ଚଣା ଓ ବଟାଣି ଆଦି ଭଳ ଅମଳ ଆଶାରେ ଥିଲେ । ଆଉ ବୁଣା ଯାଇଥିବା ଏହି ସବୁ ରବି ଫସଲ ବି ଭଲ ହୋଇଛି । ହେଲେ ଏବେ ଯେଉଁ ଘନ କୁହୁଡି ଦେଖା ଦେଉଛି ଏହି କୁହୁଡିର ଆସ୍ତରଣ ଦ୍ୱାରା ଫସଲରେ ଜଉ ପୋକ ଲାଗିଲାଣି । ଯାହାକୁ ନେଇ କ୍ଷତିରେ ପଡିଛି ଚାଷୀ ।

ଘନ କୁହୁଡି ଚାଷୀଙ୍କ ପାଇଁ ବିପଦ ଆଣିଛି । ଏହା ପନିପରିବା ଚାଷ ଉପରେ ଅଧିକ ପ୍ରଭାବ ପକାଉଛି । ବିଶେଷ କରି ବିନିଶ୍ , ବଟାଣି ଓ ଶିମ୍ବ ଆଦି ନଷ୍ଟ ହୋଇଯାଉଥିବା ଚାଷୀ କୁହନ୍ତି । ଅନେକ ସ୍ଥାନରେ ଚାଷ କରାଯାଇଥିବା ଗଛ ବି ମରିଗଲାଣି । ଚଳିତ ବର୍ଷ ସେମାନଙ୍କ ଚାଷ କାମରେ ବିନିଯୋଗ କରିଥିବା ଅର୍ଥ ବି ପାଇ ନାହାନ୍ତି । କୁହୁଡି ଯୋଗୁ ରୋଗ ଧରି ଗଛ ମରିଯାଉଛି । କୌଣସି ଔଷଧ ବି କାମ କରୁନି । ପୁଣି ଏହି କୁହୁଡି ଆହୁରି ଆଧିକ ଦିନ ରହିଲେ ଏହା ଫୁଲ କୋବି ଚାଷରୁ ନେଇ ଅନ୍ୟ ଫସଲ ସବୁ ନଷ୍ଟ ହୋଇଯିବ । ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ । କୁହୁୁଡି ଯୋଗୁ ଚାଷ ନଷ୍ଟ ହେଉଥିବା ବେଳେ ଆଗକୁ କୁହୁଡି ଜାରି ରହିଲେ ଚାଷୀର ଅନେକ କ୍ଷତି ହେବ ।