କରୋନା କମିଛି, ହେଲେ ଟଳିନି ସଂକଟ । ଦେଶର ୮ଟି ଜିଲ୍ଳାରେ ୧ ପ୍ରତିଶତ ଉପରେ ଆର୍-ଭାଲ୍ୟୁ

120

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ କମିଥିଲେ ବି ଟଳିନି କରୋନା ସଂକଟ । ଏନେଇ ଆଜି ସତର୍କ କରିଛନ୍ତି କେନ୍ଦ୍ର ସରକାରଙ୍କ କୋଭିଡ୍ ଟାକ୍ସ ଫୋର୍ସ ମୁଖ୍ୟ ଭିକେ ପଲ୍ । କହିଛନ୍ତି , ଏବେ ବି ଦେଶର ୪୪ଟି ଜିଲ୍ଲାରେ କରୋନା ସଂକ୍ରମଣ ହାର ଅଧିକ ରହିଛି । କରୋନାର ଦ୍ୱିତୀୟ ଲହର ଯାଇ ନାହିଁ । ଗତ ୪ ସପ୍ତାହ ହେଲା ଦେଶର ୧୮ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଛି ।

ଦେଶର ୮ଟି ରାଜ୍ୟ କେରଳ, ତାମିଲନାଡୁ, କର୍ଣ୍ଣାଟକ, ପୁଡୁଚେରୀ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର, ମିଜୋରାମରେ ଆର ଫ୍ୟାକ୍ଟର ୧ ପ୍ରତିଶତ ଉପରେ ରହୁଛି । ଆର ଫ୍ୟାକ୍ଟର ୧ ପ୍ରତିଶତ ଉପରେ ରହିବା ଚିିନ୍ତାର କାରଣ । ଏହାକୁ ରୋକିବାକୁ ହେଲେ, କଂଟାକ୍ଟ ଟ୍ରେସିଂକୁ ଗୁରୁତ୍ୱ ଦେବା ସହ କଂଟେନମେଂଟ ଜୋନ କରି ସଂକ୍ରମଣ ରୋକିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଆର ଫ୍ୟାକ୍ଟର ୧ ପ୍ରତିଶତ ଉପରେ ରହିବା, ଭୂତାଣୁ ବ୍ୟାପିବାକୁ ସୁଯୋଗ ଖୋଜୁଥିବାର ସଂକେତ ଦେଉଥାଏ ।

ସେହିପରି କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲଭ ଅଗ୍ରୱାଲ କହିଛନ୍ତି, ଜୁନ୍ ଆରମ୍ଭରେ ଦେଶର ୨୭୯ଟି ଜିଲ୍ଲାରୁ ଦୈନିକ ଶହେରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିଲେ । କିନ୍ତୁ ଏବେ ଦେଶର ମାତ୍ର ୫୭ଟି ଜିଲ୍ଲାରୁ ଦୈନିକ ଶହେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅର୍ଥାତ ୨୨ଟି ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଛି । କିନ୍ତୁ ସତର୍କ ରହିବାକୁ ପଡିବ ।