କରୋନା କାଳରେ ବନ୍ଦେ ଉତ୍କଳ ଜନନୀ କାହିଁକି ଗାନ କରାଯାଇଥିଲା? ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ରେ ପୂରା କାହାଣୀ କହିଲେ  ଆର, ବାଲାକ୍ରିଷ୍ଣନ ।

237

କନକ ବ୍ୟୁରୋ : ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର. ବାଲାକ୍ରିଷ୍ଣନ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବାଲାକ୍ରିଷ୍ଣନଙ୍କ ସହ ଆଲୋଚନା କରିଛନ୍ତି ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ । ‘ଅଣ୍ଡରଷ୍ଟାଂଡି ହିଷ୍ଟ୍ରି ଟୁ ଇନୋଭେଟ୍ ଦ୍ ଫ୍ୟୁଚର’ ପ୍ରସଙ୍ଗରେ ଆଲୋଚନା କରି ଓଡିଶାର କଳା ସଂସ୍କୃତି ଓ ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ମତ ରଖିଛନ୍ତି । ଓଡିଶାରେ ୩୭ ବର୍ଷର ଚାକିରି ଜୀବନରେ ତାଙ୍କ  ଅଭଜ୍ଞତା ଓ ଅନୁଭବକୁ କନକ ନ୍ୟୁଜ ଜରିଆରେ ଲୋକଙ୍କ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମୁଖ୍ୟ ଉପଦେଷ୍ଟା ଆର୍. ବାଲକ୍ରିଷ୍ଣନ୍ ‘ା

ଏହି କାର୍ଯ୍ୟକ୍ରମରେ ବାଲାକ୍ରିଷ୍ଣନ କହିଛନ୍ତି, ଇତିହାସ ଠାରୁ ଆପଣ ଦୂରେଇ ରହିପାରିବେନି । ଇତିହାସ ବାବଦରେ ଜାଣିବା ନିହାତି ଜରୁରୀ । କେବଳ ଶିକ୍ଷା ପାଇଁ ନୁହେଁ ବରଂ ସମାଜକୁ ଆଗେଇ ନେବାକୁ ଇତିହାସ ବାବଦରେ ଜାଣିବାର ଆବଶ୍ୟକତା ରହିଛି । ୨୦୨୧ରେ ଯେଉଁ ବିଷୟବସ୍ତୁକୁ ନିଅନ୍ତୁ ନା କାହିଁକି ପ୍ରତିଟି କ୍ଷେତ୍ରର ଇତିହାସ ରହିଛି । ତେଣୁ ଇତିହାସକୁ ବୁଝିବା ଦ୍ୱାରା ବିକାଶଶୀଳ ଭବିଷ୍ୟତର ବାଟ ଫିଟିଥାଏ ।

ଓଡ଼ିଶା ମୋ ପାଇଁ ନୂଆ ନୁହେଁ । ପାଖାପାଖି ୩୭ ବର୍ଷ ହେବ ଓଡ଼ିଶାରେ ରହିଲିଣି । ତେଣୁ ଓଡ଼ିଶାର ଇତିହାସ ବାବଦରେ ଅନେକ କିଛି ଜାଣିଛି ।  ଇତିହାସକୁ ମନେ ପକାଇବା ସହ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ କଥା କହିଛନ୍ତି ଆର. ବାଲାକ୍ରିଷ୍ଣନ । ଯେତେବେଳେ ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଦେଖାଦେଇଥିଲା ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ପୁଡିଆ ପକାଯାଇଥିଲା । କିନ୍ତୁ ସେତେବେଳେ ଶ୍ରୀଲଙ୍କା ରାଷ୍ଟ୍ରପତି ଓଡ଼ିଶାର କଳାହାଣ୍ଡିର ଉଦାହରଣ ଦେଇଥିଲେ ।  କଳାହାଣ୍ଡିରେ ଖାଦ୍ୟ ପୁଡିଆ ପକାନ୍ତୁ ବୋଲି ରାଜୀବଙ୍କୁ ପରାମର୍ଶ ଦେଇଥିଲେ । ସେତେବେଳେ ମୋତେ ଏହା ବହୁତ ବାଧିଥିଲା । କିନ୍ତୁ ଏବେ ଏବେ ଓଡ଼ିଶା ଆଉ ପୂର୍ବଭଳି ଖାଦ୍ୟ ସଙ୍କଟର ସାମ୍ନା କରୁନି । ଧାନ ଉତ୍ପାଦନରେ ଓଡ଼ିଶା ଏବେ ଦେଶରେ ୩ ନମ୍ବର ସ୍ଥାନରେ ରହିଛି । ଏବେ ଖାଦ୍ୟବଳକା ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେଉଛି  ।

ଏହାଛଡା ବାଲାକ୍ରିଷ୍ଣନ କହିଛନ୍ତି, ମାତୃଭାଷା ପାଇଁ ସ୍ୱର ଉଠାଇବା ଅର୍ଥ ମା’ ପାଇଁ ସ୍ୱର ଉଠାଇବା । ମୁଁ ମଧ୍ୟ ତାମିଲରେ ପରୀକ୍ଷା ଦେଇ ପ୍ରଥମ ପ୍ରୟାସରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ପାସ୍ କରିଥିଲି । ଆଉ ମୋ ସଫଳତାକୁ ନେଇ ତାମିଲନାଡୁ ବିଧାନସଭାରେ ଆଲୋଚନା ହୋଇଥିଲା । ମୁଁ ମୋ ମାତୃଭାଷାକୁ ନେଇ ବହୁତ ଗର୍ବିତ । କାରଣ ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ତାହା କେବଳ ମୋ ମାତୃଭାଷା ପାଇଁ ସମ୍ଭବ ହୋଇଛି । ଏହାଛଡା ମୁଁ ପ୍ରତିଟି ମାତୃଭାଷାକୁ ସମ୍ମାନ ଦିଏ ବୋଲି ସେ କହିଛନ୍ତି । ଚୀନ, ଜାପାନ, ଜର୍ମାନୀରେ ମାତୃଭାଷାକୁ ଗୁରୁତ୍ୱ ଦିଅନ୍ତି । ସେଠାରେ ଇଂରାଜୀ ଭାଷାରେ ଏତେ କଥାବାର୍ତ୍ତା ହୁଅନ୍ତି ନାହିଁ । ସେମାନେ ମାତୃଭାଷାରେ କଥା ହେବାକୁ ପ୍ରାଥମିକତା ଦିଅନ୍ତି । ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ମାତୃଭାଷାକୁ ସ୍ଥାନ ଦେଇଥାନ୍ତି ।

କରୋନା କାଳରେ ରାଜ୍ୟବାସୀ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେତେବେଳେ କରୋନାର କୌଣସି ଟୀକା ଆସିନଥିଲା । ବରଂ ଲୋକଙ୍କ ମନୋବଳ ବଢାଇବାକୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହାଛଡା ମାତୃଭାଷାକୁ ସରକାର କିଭଳି ଗୁରୁତ୍ୱ ଦେଉଛନ୍ତି ତାହାର ଏକ ଛୋଟ ଉଦାହରଣ ଦେଇଛନ୍ତି । ବାଲାକ୍ରିଷ୍ଣନ କହିଛନ୍ତି, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା କ୍ଷେତ୍ରରେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାର ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । କାରଣ ସରକାରୀ ସ୍କୁଲରେ ଅଧିକାଂଶ ଓଡ଼ିଆ ଛାତ୍ରଛାତ୍ରୀ ହିଁ ପଢୁଛନ୍ତି ।

ଏହାଛଡା ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ରେ ମହାବାତ୍ୟାର କାହାଣୀ ମନେ ପକାଇଛନ୍ତି ଆର, ବାଲାକ୍ରିଷ୍ଣନ । ମହାବାତ୍ୟା ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ପୁରୁଣା ପୋଷାକ, ଚପଲ ଓଡ଼ିଶା ଆସିଥିଲା । ସେତେବେଳେ ଓଡ଼ିଶାକୁ ଲୋକେ ଏମିତି ଚିହ୍ନୁଥିଲେ ।  କିନ୍ତୁ ଏବେ ସ୍ଥିତି ବଦଳିଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ହେବା ମାତ୍ରେ ଓଡ଼ିଶା ମଡେଲ ଖୋଜା ପଡୁଛି । ପୂର୍ବରୁ ଓଡ଼ିଶା ଅନ୍ୟ ରାଜ୍ୟର ସହାୟତାକୁ ଅପେକ୍ଷା କରୁଥିଲା, ଏବେ ଓଡ଼ିଶା ଦେଶର ବିଭିନ୍ନ ରାଜ୍ୟକୁ ସହଯୋଗର ହାତ ବଢାଉଛି ।  ଇତିହାସରୁ ଶିକ୍ଷା ଲାଭ କରି କିଛି ଏମିତି ଢଙ୍ଗରେ ଓଡ଼ିଶା ଆଗକୁ ବଢୁଥିବା କହିଛନ୍ତି ବାଲାକ୍ରିଷ୍ଣନ ।