ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବ ବୋଲି…ଗୋଟିଏ ଜାଗାରେ ଛିଡା ହେଇରହିଲେ ଅଶ୍ୱିନୀ । ମ୍ୟାଚ୍ ସରିବା ପରେ କହିଲେ ପୂରା ଘଟଣା

426

କନକ ବ୍ୟୁରୋ: ବିଶ୍ୱାସ କୁହନ୍ତା ବା ଅନ୍ଧବିଶ୍ୱାସ । ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆର ବିଜୟ ପାଇଁ ଦଳର ଷ୍ଟାର ସ୍ପିନର ଆର ଅଶ୍ୱିନୀ ଯାହା କରିଛନ୍ତି, ତାହା ବୋଧହୁଏ କେହି ବିଶ୍ୱାସ କରିବେନି । କଙ୍ଗାରୁ ବିପକ୍ଷରେ ଭାରତ ଯେତେବେଳେ ନିଜର ୩ ବ୍ୟାଟ୍ସମ୍ୟାନଙ୍କୁ ହରାଇ, ମ୍ୟାଚ୍ ଜିତିବାକୁ ସଂଘର୍ଷ କରୁଥିଲା, ସେତିକିବେଳେ, ଗୋଟିଏ ସ୍ଥାନରେ ଛିଡା ହେଇ ପୂରା ମ୍ୟାଚ୍ ଦେଖିଥିଲେ ଆର୍ ଅଶ୍ୱିନୀ ।

ରବିବାର ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ଖେଳାଯାଇଥିଲା ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ମ୍ୟାଚ୍ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ କରିଥିଲା ଅଷ୍ଟ୍ରେଲିଆ ଦଳ । ତେବେ ୨୦୦ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ କିନ୍ତୁ ଏ ବିଜୟ ପାଇଁ କମ ସଂଘର୍ଷ କରିନଥିଲା । ଦଳର ତିନି ଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍ ହେବା ପରେ, ବିଜୟ ପାଇଁ ବଡ କସରତ କରିଥିଲା ରୋହିତ ବାହିନୀ । ତେବେ ଏତିକି ବେଳେ ବିରାଟଙ୍କର ଏକ କ୍ୟାଚକୁ ଡ୍ରପ୍ କରିଥିଲେ ଅଷ୍ଟ୍ରେଲିଆ ଦଳର ଫିଲଡର ମିଚେଲ୍ ମାର୍ଶ । ଯାହାକି ଥିଲା ମ୍ୟାଚର ଟର୍ଣ୍ଣି ପଏଂଟ ।

ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ଆର ଅଶ୍ୱିନୀ ମ୍ୟାଚ୍ ପରେ କହିଛନ୍ତି, ଯେତେବେଳେ କୋହଲି ଉପରକୁ ସଟ୍ ମାରିଥିଲେ । ସେତେବେଳେ ମୁଁ ଡ୍ରେସିଂ ରୁମର ବାହାରକୁ ଦୌଡିଥିଲି । ହେଲେ ହଠାତ୍ ଷ୍ଟାଡିୟମର ଦର୍ଶକ ଚିଲେଇବାକୁ ଆରମ୍ଭ କରିଥିଲେ, ଆଉ କୋହଲିଙ୍କ କ୍ୟାଚ୍ ଡ୍ରପ୍ ହେଇଥିଲା । ବାସ୍, ତା ପରଠୁ ସେଇ ଗୋଟିଏ ସ୍ଥାନରେ ଛିଡା ହେଇ ରହିଥିଲେ ଆର ଅଶ୍ୱିନୀ । ଗୋଡ ବିନ୍ଧୁଥିଲେ ମଧ୍ୟ, ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବା ପର୍ଯ୍ୟନ୍ତ ସେହି ଗୋଟିଏ ସ୍ଥାନରେ ଛିଡା ହେଇ ରହିଥିଲେ ଅଶ୍ୱିନୀ । ଯାହାକି ସେ ମ୍ୟାଚ୍ ପରେ ନିଜେ କହିଛନ୍ତି ।

ବିଶ୍ୱକପର ଏହି ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିସାରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଅଶ୍ୱିନୀ ୧୦ ଓଭର ବୋଲିଂ କରିବା ସହିତ ୩୪ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । ପିଚ୍ ମଝିରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ କ୍ୟାମରେନ୍ ଗ୍ରୀନଙ୍କର ଶିକାର କରିଥିଲେ ଆର ଅଶ୍ୱିନୀ । ଖାଲି ସେତିକି ନୁହେଁ, ପୂରା ମ୍ୟାଚରେ ଅଶ୍ୱିନୀ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନଙ୍କୁ ନିଜ ସ୍ପିନ ବୋଲିଂରେ ଚକମା ଦେଇଥିଲେ । ତେବେ ମ୍ୟାଚ୍ ଜିତିବା ପାଇଁ ଅଶ୍ୱିନୀ ଗୋଟିଏ ସ୍ଥାନରେ ଛିଡା ହେଇ ପୂରା ମ୍ୟାଚକୁ ଦେଖିବା, ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏଥର ବିଶ୍ୱକପ ଦଳରେ ଅଶ୍ୱିନୀ ପ୍ରଥମରୁ ସ୍ଥାନ ପାଇନଥିଲେ । ବିଶ୍ୱକପ୍ ପାଇଁ ଘୋଷଣା ହେଇଥିବା ଦଳରେ ଅକ୍ଷର ପଟେଲ ସ୍ଥାନ ଦିଆଯାଇଥିଲା । ହେଲେ ଶେଷ ମୁହୂର୍ତରେ ଅକ୍ଷର ପଟେଲ ଆହତ ହେବାରୁ ତାଙ୍କ ରିପ୍ଲେସମେଂଟରେ ଦଳରେ ସାମିଲ ହେଇଥିଲେ ଆର ଅଶ୍ୱିନୀ । ଆଉ ଏବେ ସେ ବିଶ୍ୱକପରେ କମାଲ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।