କନକ ବ୍ୟୁରୋ: ଶିକ୍ଷାକୁ ତୃଣମୁଳ ସ୍ତରରୁ ସୁଦୃଢ କରିବା ପାଇଁ ସରକାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି,ମାତ୍ର କିଛି ଅସାଧୁ କର୍ମଚାରୀ ଏବଂ ୟୁଟ୍ୟୂବରଙ୍କ ପାଇଁ ଭୁସୁଡିବାକୁ ବସିଛି ଶିକ୍ଷା ବ୍ୟବସ୍ଥା,ଆଉ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି ଛାତ୍ର ଛାତ୍ରୀଙ୍କ ଭବିଶ୍ୟତ,ପରିକ୍ଷା ପୂର୍ବରୁ ୟୁଟ୍ୟୂବରେ ଘୁରି ବୁଲୁଛି ପ୍ରଥମରୁ ଅଷ୍ଟମ ଶ୍ରେଣିର ପ୍ରଶ୍ନପତ୍ର,ଯାହା ପାଇଁ ବହି ଛାଡି ମୋବାଇଲ ଦେଖୁଛନ୍ତି ଛାତ୍ର ଛାତ୍ରୀ ।

Advertisment

ୟୁଟ୍ୟୁବରେ ପ୍ରଶ୍ନପତ୍ର ଭାଇରାଲ ହେଉଥିବା କଥା ନିଜ ମୁହଁରେ କହୁଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷାର ଦିନକ ପୂର୍ବରୁ ୟୁଟ୍ୟୁବରେ ଆସିଯାଉଛି ପ୍ରଶ୍ନପତ୍ର । ତାକୁ ଭଲଭାବେ ମୁଖସ୍ତ କରି ପରୀକ୍ଷା ଦେବାକୁ ଯାଉଛନ୍ତି । ଆଉ ଶତପ୍ରତିଶତ ମାର୍କ ମଧ୍ୟ ରଖୁଛନ୍ତି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଚଉମୁଖ ରାମପ୍ରସାଦ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏବେ ପାଠ୍ୟପୁସ୍ତକ ବଦଳରେ ୟୁଟ୍ୟୁବ ସାଜିଛି ସାହାରା । ବଡ଼ କଥା ହେଉଛି, ଶତପ୍ରତିଶତ ମାର୍କ ରଖିବା ନେଇ ଛାତ୍ରଛାତ୍ରୀମାନେ ଦମ୍ଭୋକ୍ତି ମଧ୍ୟ ଦେଖାଉଛନ୍ତି । କାରଣ ପରୀକ୍ଷାର ପୂର୍ବଦିନ ୟୁଟ୍ୟୁବରେ ଏମାନଙ୍କୁ ପ୍ରଶ୍ନପତ୍ର ମିଳିଯାଉଛି ।

ବର୍ତମାନ ସରକାରୀ ସ୍କୁଲ ଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା ଚାଲିଛି । ଆଉ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ୟୁଟ୍ୟୂବ ଏବଂ ଜେରକ୍ସ ଦୋକାନରେ ମିଳୁଥିବା ନେଇ ଅଭିଯୋଗ ହୋଇଛି । ପିଲାମାନେ ବହି ପାଠ ନପଢି ମୋବାଇଲରେ ପ୍ରଶ୍ନପତ୍ର ବାହାର କରି ଉତର ଲେଖୁଛନ୍ତି । ଆଉ ମୋବାଇଲ ପାଇଁ ଅଭିଭାବକଙ୍କୁ ବ୍ଲାକମେଲିଂ କରିବାକୁ ମଧ୍ୟ ପଛାଉନାହାନ୍ତି । ଏପଟେ ପରୀକ୍ଷାର ପ୍ରଶ୍ନପତ୍ର ୟୁଟ୍ୟୁବରେ ଭାଇରାଲ ହେଉଥିବା ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଅଭିଭାବକ । ପରୀକ୍ଷା ବାତିଲ କରିବା ସହିତ ପ୍ରଶ୍ନପତ୍ର ଭାଇରାଲ କରୁଥିବା ଅସାଧୁ କର୍ମଚାରୀ ଏବଂ ୟୁଟ୍ୟୁବରଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ପୂର୍ବରୁ ମାଟ୍ରିକ ଓ ଯୁକ୍ତ ଦୁଇ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଥିଲା । ଏବେ କିନ୍ତୁ କୁନିକୁନି ପିଲାଙ୍କ ପ୍ରଶ୍ନପତ୍ର ୟୁଟ୍ୟୁବରେ ଭାଇରାଲ ହେବା, ପୂରା ପ୍ରକ୍ରିୟାକୁ ଦୁର୍ବଳ ବୋଲି ଦର୍ଶାଉଛି । ତେବେ ଏବେଠୁ ସଜାଗ ନହେଲେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ବ୍ୟାଧି ପରି ମାଡ଼ିଯିବାର ଆଶଙ୍କା ରହିଛି ।