କନକ ବ୍ୟୁରୋ : ପୁରୀ ଠାରୁ ଅଳ୍ପ ଦୂରେ ଏକ କେନାଲରେ ଫିଙ୍ଗିଦିଆଯାଇଛି କୁଇଣ୍ଟାଲ କୁଇଣ୍ଟାଲ ଅର୍ପଣ ଚାଉଳ । ଗୋପ ବ୍ଲକ ଛକ ନିକଟ, ବାୟାକୁଦା କେନାଲ ବ୍ରିଜ ଉପରୁ ଚାଉଳ ଫିଙ୍ଗୁଥିବାର ଦୃଶ୍ୟ ଜଗନ୍ନାଥ ପ୍ରେମୀଙ୍କୁ ବିଚଳିତ କରିଛି । କାରଣ ଚାଉଳ ମୁଠାଏ ପାଇଁ ଲୋକେ ପ୍ରତିଦିନ ସଂଘର୍ଷ କରୁଥିବା ବେଳେ, କିଏ ଓ କାହା ନିର୍ଦ୍ଦେଶରେ ଏଭଳି ଚାଉଳ ପିଙ୍ଗୁଛି? ଏକ ୪୦୭ ମିନିଟ୍ରକରେ ଚାଉଳ ବୋଝେଇ କରି ଆଣି କିଛି ଶ୍ରମିକ ଫିଙ୍ଗୁଥିବାର ଦେଖିବାକୁ ମିଳିଛି । ଶ୍ରମିକମାନେ କୌଣସି ଉତ୍ତର ଦେଇନଥିବାରୁ ସନ୍ଦେହ ବଢ଼ିଛି। ଏପରିକି ଗୋପ ବ୍ଲକ ଯୋଗାଣ ଅଧିକାରୀ ପ୍ରଦୀପ ସେଠୀଙ୍କୁ ଆମ ପ୍ରତିନିଧି ଫୋନ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ। ତେଣୁ ସନ୍ଦେହ ବଢୁଛି ଏହା ପରିକ୍ରିମା ପ୍ରକଳ୍ପ ପାଇଁ ସାରାରାଜ୍ୟରୁ ଭକ୍ତ ପଠାଇଥିବା ଅର୍ପଣ ଚାଉଳ ନୁହେଁ ତ?
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ଥିବା ଅର୍ପଣ ଚାଉଳକୁ ବାହାର କରାଯାଉଥିଲା। ସୂଚନା ଅନୁସାରେ ବଡଠାକୁରଙ୍କ ଉଦ୍ଦେଶ୍ୟରେ ଭକ୍ତ ପଠାଇଥିବା ଅର୍ପଣ ଚାଉଳ ନଷ୍ଟ ହୋଇଯିବା ପରେ ଏହାକୁ ମିଲକୁ ପଠାଇବା ପାଇଁ ବନ୍ଦୋବସ୍ତ କରାଯାଇଥିଲା। ପ୍ରାୟ ୨୦୦ ବସ୍ତା ଅର୍ପଣ ଚାଉଳକୁ ବାହାର କରି ମିଲକୁ ପଠାଇ ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସନ କର୍ତୃପକ୍ଷ। କୁହାଯାଉଛି ବିଭିନ୍ନ ସ୍ଥାନରେ ପଡିରହିଥିବା ପ୍ରାୟ ୧୦ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ପଡିପଡି ନଷ୍ଟ ହୋଇଯାଇଛି। ଏହା ଆଉ ଠାକୁରଙ୍କ ଭୋଗ ହେବାଯୋଗ୍ୟ ନଥିବାରୁ ଏଭଳି ଲୁଚାଇ ଫିଙ୍ଗି ଦିଆଯାଉଥିବା ସନ୍ଦେହ ବଢିବାରେ ଲାଗିଛି। ଯାହା ସାରାରାଜ୍ୟର ଜଗନ୍ନାଥପ୍ରେମୀଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।