ବଡ ଠାକୁରଙ୍କୁ ଧାଡ଼ିରେ ଦର୍ଶନ କରିବେ ଭକ୍ତ । ଖୋଳା ହେଲା ବାଇଶି ପାହାଚ, ଲାଗିଲା ଲୁହା ରେଲିଂ

60

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ । ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଏହି ଉଦ୍ୟମ କରାଯାଉଛି । ଏନେଇ ଆଜି ପୁରୀ ଜିଲ୍ଲାପାଳ ଏବଂ ଏସପି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତିା ଭକ୍ତମାନେ ଏପରି ବ୍ୟବସ୍ଥାକୁ ସ୍ୱାଗତ କରିଥିବା ବେଳେ ଜଗନ୍ନାଥ ସଂସ୍କୃତି ଗବେଷକ ବାଇଶପାହାଚ ଖୋଳାଯିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।

ଆସନ୍ତାକାଲି ସକାଳ ସାଢେ ୧୦ଟା ସମୟରେ ପୁରୀ ଶ୍ରୀମନ୍ଦିରରେ ଧାଡିରେ ଦର୍ଶନ ବ୍ୟବସ୍ଥା ଲାଗୁ ହେବ । ସେଥିପାଇଁ ବାଇଶି ପାହାଚର ଉଭୟ ପାଶ୍ୱର୍କୁ ଡ୍ରିଲିଂ ମେସିନ ଦ୍ୱାରା ଖୋଳାଯାଇଛି । ଏଠାରେ ଲୁହା ରେଲିଂ ଲଗାଯିବ । ଶ୍ରୀମନ୍ଦିରରେ ପରୀକ୍ଷା ମୂଳକ ଭାବେ ହେଉଥିବା ଧାଡିରେ ଦର୍ଶନ ବ୍ୟବସ୍ଥା କିପରି ସୁରୁଖୁରୁରେ ହେବ ସେନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଓ ଏସପି । ଏହି ନୂଆ ବ୍ୟବସ୍ଥାକୁ ଲାଗୁ କରିବାରେ ଦର୍ଶନାର୍ଥିଙ୍କ ସହଯୋଗ କାମନା କରିଛନ୍ତି । ସପ୍ତାହକୁ ମାତ୍ର ଥରେ ଏହି ଧାଡି ଦର୍ଶନ କରିବେ ଭକ୍ତ ।

ଶ୍ରୀମନ୍ଦିରର ବାଇଶି ପାହାଚ ଭକ୍ତଙ୍କ ଭାବାବେଗ ସହ ଜଡିତ । ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦିଆଯାଇଥାଏ । ଏପରିକି ମାନସିକ ପୂରଣ ପାଇଁ ପିଲାଙ୍କୁ ବାଇଶି ପାହାଚରେ ଗଡାଇବାର ପରମ୍ପରା ମଧ୍ୟ ରହିଛି । ତେଣୁ ଧାଡି ବ୍ୟବସ୍ଥା ଯୋଗୁଁ ବାଇଶି ପାହାଚରେ ହେଉଥିବା କର୍ମକାଣ୍ଡରେ ବାଧା ଉପୁଜିବାର ଆଶଙ୍କା ରହିଛି । ଯାହାକୁ ଭକ୍ତ ଓ ସେବକ ସମାଜ ସହଜରେ ଗ୍ରହଣ କରିନାହାନ୍ତି । ତେବେ କିଛି ଭକ୍ତ ଏପରି ବ୍ୟବସ୍ଥା ଦ୍ୱାରା ସୁବିଧା ହେବ ବୋଲି କହିଛନ୍ତି ।