କାଲି ପ୍ରତିବାଦ ପରେ ଆଜି ସ୍ପଷ୍ଟୀକରଣ ରଖିଲା ବୋର୍ଡ । ହେଲେ ବିବାଦ କମିବା ବଦଳରେ ବଢିଲା ସନ୍ଦେହ । ପିଲାଙ୍କ ମନରେ ଏବେ ବି ପ୍ରଶ୍ନ, ମୋ ମାର୍କ କମିଲା କାହିଁକି?

234

କନକ ବ୍ୟୁରୋ: ମାଟ୍ରିକ ରେଜଲ୍ଟ ବାହାରିବା ପରେ ଭବିଷ୍ୟତ ପାଇଁ ବାଟ ଭାବିବାରେ ଯେଉଁ ସମୟ ସରିବା କଥା, ଏବେ ସେହି ସମୟ ବୋର୍ଡ ବିପକ୍ଷରେ ନାରାବାଜିରେ କଟୁଛି । ମାର୍କକୁ ନେଇ କଳହ ପରେ ଛାତ୍ର ଛାତ୍ରଟିଏ ନିଜ ମନକୁ ପଚାରୁଛି, ଏତିକି ମାର୍କ ପାଇଁ କଣ ମୁଁ ଯୋଗ୍ୟ? ବୋର୍ଡର ନୀତିରେ କିଛି ତ୍ରୁଟି ରହିଲା କି? ମୋ ମାର୍କ କମିଲା କାହିଁକି?

ଏସବୁ ପ୍ରଶ୍ନର ଉତ୍ତର ବୋର୍ଡ ଅଧିକାରୀଙ୍କ ଠାରୁ ମିଳିବା ବଦଳରେ, ଏକ ଅସ୍ପଷ୍ଟ ତଥ୍ୟ ଉପସ୍ଥାପନ କରାଯାଇଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଆହ୍ୱାନ ଯଦିଓ ଦିଆଯାଇଛି, ହେଲେ କେବେ ସୁଦ୍ଧା ପରୀକ୍ଷା ହେବ ଓ ନିର୍ଦ୍ଧାରିତ ସମୟରେ ଫଳ ବାହାରିବା ଗ୍ୟାରେଣ୍ଟି ମିଳିବ ତ?  ସ୍କୁଲ ସ୍ତରରୁ ଆସିଥିବା ମାର୍କିଂକୁ ମଡରେସନ ପଲିସି ଜରିଆରେ ନିର୍ଦ୍ଧାରଣ କରାଯାଇଥିବା ନେଇ ବୋର୍ଡ ଯୁକ୍ତି ଦର୍ଶାଇଥିବା ବେଳେ, ଏହା ଅନେକ ପ୍ରଶ୍ନବାଚୀ ତିଆରି କରିଛି ।

  • କେଉଁ ଆଧାରରେ ବୋର୍ଡ ମଡରେସନ ପଲିସି ନିର୍ଦ୍ଧାରଣ କରିଥିଲା?
  • ସ୍କୁଲ ସ୍ତରରୁ ଆସିଥିବା ମାର୍କକୁ କେଉଁ ଆଧାରରେ ବୋର୍ଡ କାଣ୍ଟଛାଣ୍ଟ କଲା?
  • ଯାହାର ମାର୍କ କମିଲା, କେଉଁ ବିଷୟରେ କଟିଲା ଆଉ କାହିଁକି କଟିଲା?
  • ମଡରେସନ ପଲିସି ପାଇଁ ଯୋଗ୍ୟ ଛାତ୍ର ଛାତ୍ରୀ ମାର୍କ ହରାଇ ନାହାନ୍ତି ତ?
  • ଏ୧ ଗ୍ରେଡ ପାଇଁ ଯେଉଁ ନୀତି ନିର୍ଦ୍ଧାରଣ କରାଗଲା, ତାହା ସଠିକ କି?
  • ଛାତ୍ରଛାତ୍ରୀଙ୍କ ମନରେ ଆସୁଥିବା ଦ୍ୱନ୍ଦ୍ୱକୁ ଦୂର କରିବାରେ କାହିଁକି ବିଫଳ ବୋର୍ଡ?

ମାର୍କିଂ ବ୍ୟବସ୍ଥା ଉପରେ ପ୍ରଶ୍ନ କେବଳ ଯେ ଛାତ୍ର ଛାତ୍ରୀ ଉଠାଉଛନ୍ତି ତା ନୁହେଁ ବରଂ ଅଭିଭାବକ ଓ ଶିକ୍ଷକ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି । କାରଣ ଏକ ଅସ୍ୱାଭାବିକ ପରିସ୍ଥିତିରେ ଯେତେବେଳେ ପରୀକ୍ଷା ନକରି ଫଳ ବାହାର କରିବାକୁ ନିଷ୍ପତ୍ତି ନିଆଗଲା ସେତେବେଳେ ପୂରା ବ୍ୟବସ୍ଥା ସଠିକ ହେବାର ଆବଶ୍ୟକତା ଥିଲା । ହେଲେ ୯୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରାଇ ବୋର୍ଡ ଯେଉଁ ବାହାବା ଲୁଟୁଥିଲା, ତାହା ଦିନ କେଇଟାରେ ଉଭାଇ ଯାଇଛି । ଚାରିଆଡେ ତୀବ୍ର ପ୍ରତିବାଦ ପରେ ବୋର୍ଡ ସାମ୍ବାଦିକ ସମ୍ମିିଳନୀ ସିନା କରିଛି, ହେଲେ ସଠିକ ପ୍ରଶ୍ନର ଉତ୍ତର ଦେବାକୁ କିନ୍ତୁ ଏଯାଏଁ ଅସମର୍ଥ ରହିଛି ।