କନକ ବ୍ୟୁରୋ: ଓଡିଶା ରାଜନୀତି ଇତିହାସରେ ଆଜିର ଦିନ ଏକ କଳାଦିନ ଭାବେ ଜଣାଯିବ । କାରଣ ଆମ ରାଜ୍ୟରେ ଚରମ ସ୍ଥିତିରେ ପହଂଚିଛି ପ୍ରତିଶୋଧ ପରାୟଣ ରାଜନୀତି । ପ୍ରଶ୍ନ ପଚାରିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସଚିବଙ୍କ ଖର୍ଚ୍ଚ ହିସାବ ମାଗିବାରୁ ଆଜି ସୌମ ରଂଜନ ପଟ୍ଟନାୟକଙ୍କୁ ବହିଷ୍କାର କରାଯାଇଛି । କେବେଳ ସୌମ୍ୟରଂଜନଙ୍କୁ ନୁହେଁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ମଧ୍ୟ ୪ ବର୍ଷ ତଳରର ଏକ ମାମଲା ପାଇଁ ବହିସ୍କାର କରାଯାଇଛି । କେବଳ ସୌମ୍ୟରଂଜନଙ୍କୁ ବହିସ୍କାର କଲେ କାଳେ ପ୍ରଶ୍ନ ଉଠିବ, ସେଥିପାଇଁ ସୁଧାଂଶୁ ପରିଡାଙ୍କୁ ବି ବହିସ୍କାର କରାଯାଇଥିବା ଚର୍ଚ୍ଚା ହେଉଛି ।

Advertisment

ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ପାଦକୀୟ ଆଲେଖ୍ୟରେ ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସଚିବ କାହିଁକି କୋଟି କୋଟି ଟଙ୍କା ଶ୍ରାଦ୍ଧ କରି ହେଲିକପ୍ଟରରେ ଉଡି ନେତା ଭଳି ଆଚରଣ ଦେଖାଇବେ, ସେ ନେଇ ପ୍ରଶ୍ନ କରିଥିଲେ । କିନ୍ତୁ ସୌମ୍ୟ ରଞ୍ଜନଙ୍କ ଏହି ପ୍ରଶ୍ନ ଶାସକ ଦଳ ବିଜେଡି ଛାତିରେ କଂଟାଭଳି ଫୋଡି ହୋଇଯାଇଛି । ଆଉ ପ୍ରତିଶୋଧ ପରାୟଣ ହୋଇ, ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରଥମେ ଦଳର ଉପସଭାପତି ପଦରୁ ହଟାଇଥିଲେ, ଏବେ ଦଳରୁ ବହିଷ୍କାର କରାଯାଇଛି ।

ବିଜେଡି ପକ୍ଷରୁ ପ୍ରେସରିଲିଜ୍ ଜାରି କରି ଏହି ସୂଚନା ଦିଆଯାଇଛି ।.. ଜନ ବିରୋଧୀ କାର୍ଯ୍ୟ କରିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଉଥିବା ପ୍ରେସରିଲିଜର ପ୍ରଥମ ଧାଡିରେ ଲେଖାଯାଇଛି । ତେବେ ସୌମ୍ୟଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ବିଜେଡି ଯେଉଁ କାରଣ ଦର୍ଶାଇଛି, ତାହା ସନ୍ଦେହରେ ପକାଇଛି । ବିଜେଡିର ପ୍ରେସରିଲିଜ୍ରେ କୁହାଯାଇଛି ସମ୍ବାଦର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ସୌମ୍ୟଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ମାମଲା ରୁଜୁ ହୋଇଛି । ଏହା ଏକ ବ୍ୟାଙ୍କ ଜାଲିଆତି ମାମଲା । ମିଛ ପ୍ରମାଣ ପତ୍ର ଓ ଅନୈତିକ ଉପାୟରେ ୩୦୦ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କା ରୁଣ ନେଇଥିବା ଅଭିଯୋଗ ରହିଛି । ତେବେସୌମ୍ୟଙ୍କୁ ଦଳରୁ ବହିଷ୍କାର କରାଯିବାକୁ ନେଇ, ବିଜେଡି ଏହି ଯେଉଁ ସବୁ କାରଣ ଦର୍ଶାଇଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପଛରେ ପ୍ରତିଶୋଧ ଜଳଜଳ ହୋଇ ଦେଖାଯାଉଛି ।

ପ୍ରଶ୍ନ ପଚାରିବାରୁ ସୌମ୍ୟରଞ୍ଜନଙ୍କୁ ଦଳର ବିଦା କରାଯିବାକୁ ସବୁ ମହଲରୁ ନିନ୍ଦା କରାଯାଉଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ରାଜ୍ୟର ବରିଷ୍ଠ ନେତାମାନେ ଏହାକୁ ନିନ୍ଦା କରିଛନ୍ତି । ଆଗାମି ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି ।

ବିଜେଡି ଦଳର ବହୁ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ, ସଂଗୀନ ଅପରାଧିକ ମାମଲା ରହିଥିବାବେଳେ, ପ୍ରାୟୋଜିତ ଅଭିଯୋଗକୁ ଆଧାର କରି ସୌମ୍ୟ ରଞ୍ଜନଙ୍କୁ ଦଳରୁ ବହିଷ୍କାର କରାଯିବା, ନବୀନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି,
- ସଚିବଙ୍କୁ କହିଲେ କାହିଁକି ଏତେ ପ୍ରତିଶୋଧ ପରାୟଣ ହେଉଛି ବିଜେଡି?
- ଏହି ନିଷ୍ପତି ବିଜେଡିରେ ଗଣତନ୍ତ୍ର ନଥିବା ଦର୍ଶାଉନାହିଁ କି?
- ସୌମ୍ୟଙ୍କୁ ଦଳରୁ ବାହାର କି ବାର୍ତ୍ତା ଦେବାକୁ ଚାହୁଁଛି ବିଜେଡି?