କନକ ବ୍ୟୁରୋ : ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲାରେ ଏବେ ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି । ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ କର୍ମଚାରୀ, ୨ ଜଣ ସୁରକ୍ଷା କର୍ମୀଙ୍କ ସହ ଜଣେ ପୁଲିସ କର୍ମଚାରୀ ଏବଂ ଆଉ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ସହଯୋଗୀ ଏହି ଗଣବଳାକ୍ରାର ମାମଲାରେ ଅଭିଯୁକ୍ତ ଅଛନ୍ତି । ଏ ହେଉଛି ସେହି ଅଭିଯୋଗର ଏଫଆଇଆର କପି । ଯେଉଁଥିରେ ମହିଳା ଜଣକ ଲେଖିଛନ୍ତି, ତାଙ୍କ ନାବାଳିକା ଝିଅକୁ ମେ ପ୍ରଥମ ସପ୍ତାହରେ, ସଟଡାଉନ୍ର ୧୦-୧୨ ଦିନ ପରେ ଗଣଦୁଷ୍କର୍ମ କରାଯାଇଛି ।
ମାମଲାଟି ମହିଳା ଥାନାରେ ରିପୋର୍ଟ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଡିଏ ଅର୍ଥାତ ୧୬ ବର୍ଷରୁ କମ ବୟସ୍କା ଯୁବତୀଙ୍କୁ ଜଣେ କିମ୍ବା ଅଧିକ ବ୍ୟକ୍ତି ଦୁଷ୍କର୍ମ କରିବା, ୩୬୭(୨)(ଏନ୍) ଅର୍ଥାତ୍ ନିର୍ଦ୍ଦିଷ୍ଟ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା, ୫୦୬ ଅର୍ଥାତ୍ ଅପରାଧିକ ଧମକ ଦେବା, ୩୪ ଅର୍ଥାତ୍ ଏକାଧିକ ବ୍ୟକ୍ତି ମିଳିତ ଭାବେ ଅପରାଧ କରିବା ଏବଂ ପକ୍ସୋ ଆଇନର ଧାରା ୬ରେ ମଧ୍ୟ ମାମଲା ରୁଜୁ ହୋଇଛି ।
ସେପଟେ ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ କହିଛି, ସେମାନେ ଏକ ଅନ୍ତରୀଣ କମିଟି ବସାଇ ଏହାର ଅନୁସନ୍ଧାନ କରିଥିଲେ । ମହିଳା ଜଣକ ଆଣିଥିବା ଅଭିଯୋଗର କୈାଣସି ଆଧାର ନଥିବା ଜଣାପଡିଥିଲା ବୋଲି ସେମାନେ ସ୍ପଷ୍ଟୀକରଣ ଦେଇଛନ୍ତି । ସଂପୃକ୍ତ ମହିଳା ଜଣକ ମିଥ୍ୟା ମାମଲାର ଧମକ ଦେଇ ବ୍ଲାକମେଲ କରିବା ଏବଂ ସେହି ସଂସ୍ଥାରୁ ଟଙ୍କା ଆଦାୟ ପାଇଁ ଅପଚେଷ୍ଟା କରୁଥିବାର ଆଭିମୁଖ୍ୟ ପଦାକୁ ଆସିଥିଲା ବୋଲି ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।