କନକ ବ୍ୟୁରୋ: ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ବା ଏଏସଓ’ର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରଠାରୁ ଫଳାଫଳକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ପରୀକ୍ଷା ପରିଚାଳନାରେ ଦୁର୍ନୀତି ଅଭିଯୋଗ ଆଣି ଆଶାୟୀ ପ୍ରାର୍ଥୀ ମାନେ ପ୍ରତିବାଦ କରି ଆସୁଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା ନଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି । ସେହିପରି କଟଅପ୍ ମାର୍କକୁ ନେଇ ମଧ୍ୟ ସ୍ପଷ୍ଟ କରାଯାଉ ବୋଲି ଦାବି କରିଛନ୍ତି । ତେବେ ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି । ଗତ ଅଗଷ୍ଟ ମାସରେ ଓପିଏସସି କର୍ତ୍ତୃପକ୍ଷ ୭୯୬ଟି ଏଏସଓ ପଦବୀ ପାଇଁ ଲିଖିତ ପରୀକ୍ଷା କରିଥିଲେ । ଗତ ସୋମବାର ଏହାର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମୋଟ୍ ୧୧୦୪ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ପ୍ରକାଶିତ ଫଳରୁ ଜଣାପଡ଼ିଛି । ସେମାନଙ୍କୁ ନଭେମ୍ବର ୧୪ ତାରିଖରୁ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ୨୭ ତାରିଖରେ କମ୍ପ୍ୟୁଟର ସ୍କିଲ ଟେଷ୍ଟ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି ।