ଏମିତି ହେଲା ଏକକ ଷାଣ୍ମାସିକ ପରୀକ୍ଷା । କେଉଁଠି ପ୍ରଶ୍ନପତ୍ର ପହଞ୍ଚିପାରିଲାନି, ତ ପୁଣି କେଉଁଠି ରକ୍ଷା କରିଦେଲା ଜେରକ୍ସ ପ୍ରଶ୍ନପତ୍ର ।

499

କନକ ବ୍ୟୁରୋ : ଆରମ୍ଭରୁ ଅବ୍ୟବସ୍ଥା । ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସାରା ରାଜ୍ୟରୁ ଆସିଛି ଅବ୍ୟବସ୍ଥାର ଭିନ୍ନ ଭିନ୍ନ ଚିତ୍ର । ପ୍ରଶ୍ନପତ୍ର ଅଭାବ ଯୋଗୁଁ ରାଜ୍ୟର ବିଭିନ୍ନ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଷାଣ୍ମାସିକ ପରୀକ୍ଷାରେ ସମସ୍ୟା ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ନିଅଂଟ ହେବାରୁ କେଉଁଠି ଜେରକ୍ସ ତ କେଉଁଠି କଳପଟାରେ ପ୍ରଶ୍ନ ଲେଖି ପରୀକ୍ଷା କରାଇଛନ୍ତି ବିଦ୍ୟାଳୟ କର୍ତୃପକ୍ଷ ।

କେଉଁଠି ପିଲାଙ୍କୁ ଦିଆଗଲା ଜେରକ୍ସ ପ୍ରଶ୍ନପତ୍ର ତ ପୁଣି କେଉଁଠି ପ୍ରଶ୍ନପତ୍ର ଅଭାବ ହେବାରୁ କଳାପଟାରେ ପ୍ରଶ୍ନ ଲେଖିଲେ ଶିକ୍ଷକ ।ଏପରିକି କିଛି କିଛି ସ୍ଥାନରେ ଘଣ୍ଟା ଘଣ୍ଟା ବିଳମ୍ବରେ ପହଞ୍ଚିଲା ପ୍ରଶ୍ନପତ୍ର । ସାରା ରାଜ୍ୟରେ ଏକକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ଅର୍ଧବାର୍ଷିକ ପରୀକ୍ଷାରେ ପ୍ରଶ୍ନପତ୍ରର ଅଭାବ ଦେଖାଦେଇଛି । ଫଳରେ ପିଲାଙ୍କୁ ଦିଆଯାଇଛି ଜେରକ୍ସ ପ୍ରଶ୍ନପତ୍ର ।

ପରୀକ୍ଷା ଆରମ୍ଭରୁ କେଉଁଠି ପ୍ରଶ୍ନପତ୍ର ସରିଯାଇଥିିଲା ତ ଆଉ କେଉଁଠି ଦୁଇ ଘଂଟା ଯାଏ ପରୀକ୍ଷାର୍ଥୀଙ୍କ ପାଖରେ ପ୍ରଶ୍ନପତ୍ର ପହଁଚିପାରିନଥିଲା । ବାଧ୍ୟ ହୋଇ ଶିକ୍ଷକ-ଶିକ୍ଷୟତ୍ରୀ କଳାପଟାରେ ପ୍ରଶ୍ନ ଲେଖିଥିଲେ । ଆଉ କଳାପଟାର ପ୍ରଶ୍ନକୁ ଦେଖି ଉତର ଲେଖିଥିଲେ ଶହ ଶହ ଛାତ୍ରଛାତ୍ରୀ । ପୁରୀ ଜିଲ୍ଲାର ଅସ୍ତରଂଗ, ପିପିଲି, କାକଟପୁର ଏବଂ ଗୋପ ଅଂଚଳରେ ପରୀକ୍ଷା ପାଇଁ ପ୍ରଶ୍ନପତ୍ରକୁ ନେଇ ବଡ ଧରଣର ଅବ୍ୟବସ୍ଥା ଦେଖାଦେଇଛି । କେନ୍ଦ୍ରାପଡାର ଅନେକ ସ୍ଥାନରେ ବି ଉପୁଜିଛି ସମାନ ସ୍ଥିତି । ଅଧିକାଂଶ ସ୍ଥାନରେ ଶିକ୍ଷକ କଳାପଟାରେ, ଇତିହାସ ଓ ଭୂଗୋଳର ପ୍ରଶ୍ନ ଲେଖିଥିଲେ ଏବଂ ପିଲାଙ୍କୁ ଉତର ଲେଖିବାକୁ କହିଥିଲେ ।

ପୂର୍ବରୁ ରାଜ୍ୟର ସମସ୍ତ ସ୍କୁଲ ନିଜ ନିଜ ସମୟରେ ପିଲାଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା କରୁଥିଲେ । ତେବେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣି ଚଳିତ ବର୍ଷରୁ ସମସ୍ତଙ୍କ ପାଇଁ ଏକକ ପରୀକ୍ଷା କରିବାକୁ ସରକାର ନିଷ୍ପତି ନେଇଥିଲେ । ତେବେ ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ଏହି ସଂସ୍କାର, ଘରେ ନପଶୁଣୁ ଚାଳ ବାଜିବା ଭଳି ହୋଇଛି । ଏବଂ ସରକାରଙ୍କ ଏକକ ପରୀକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।