ଓଡିଶା ବିଧାନସଭା ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ । କରୋନା ପାଇଁ ଅଧିବେଶନକୁ କାଂଟଛାଂଟ କରିପାରନ୍ତି ବାଚସ୍ପତି, ବିଜେପି କହିଲା ସଂପୂର୍ଣ୍ଣ ବନ୍ଦ ନକରି ସୀମିତ ରଖାଯାଉ, କଂଗ୍ରେସ କହିଲା ବିନା ପ୍ରଶ୍ନକାଳରେ ଅଧିବେଶନ ମୂଲ୍ୟହୀନ

167

କନକ ବ୍ୟୁରୋ : ଏଥର ବିଧାନସଭା ଅଧିବେଶନରେ ପ୍ରଶ୍ନ ପଚାରିବା ମନା । କରୋନା ଯୋଗୁଁ ବଦଳିପାରେ ବିଧାନସଭା ଅଧିବେଶନ ପରମ୍ପରା । ସଂସଦ ଅଧିବେଶନ ଭଳି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନକୁ କାଟଛାଂଟ କରିବାକୁ ନିଷ୍ପତି ନେଇପାରନ୍ତି ବାଚସ୍ପତି । ଏଥିପାଇଁ ପ୍ରଶ୍ନକାଳକୁ ବାତିଲ କରାଯିବ । କେବଳ ଅଣ-ତାରକା ପ୍ରଶ୍ନର ଉତର ରଖିବେ ମନ୍ତ୍ରୀ ।

ଏ ହେଉଛି ଗତ ବିଧାନସଭାର ପ୍ରଶ୍ନକାଳର ଦୃଶ୍ୟ । ବିଧାନସଭା ଅଧିବେଶନର ପ୍ରଶ୍ନକାଳରେ ହିଁ ସରକାରଙ୍କୁ ଘେରିଥାନ୍ତି ବିରୋଧୀ । ସ୍ଲୋଗାନ, ପ୍ରତିବାଦ ଓ ବିରୋଧୀଙ୍କ ପ୍ରଶ୍ନବାଣରେ ସରଗରମ ହୋଇ ଉଠିଥାଏ ବିଧାନସଭା । କିନ୍ତୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ଏପରି ଦୃଶ୍ୟ ଦେଖିବାକୁ ମିଳିବନି । ନିଜ ଅଂଚଳର ସମସ୍ୟାକୁ ବିଧାନସଭାରେ ପ୍ରଶ୍ନ କରି ପାରିବେନି ବିଧାୟକ ।

କୋଭିଡ୍ ଯୋଗୁଁ ବିଳମ୍ବ ହୋଇଥିବା ମୌସୁମୀ ଅଧିବେଶନକୁ କାଠଛାଂଟ କରିବା ପାଇଁ ନିଷ୍ପତି ନେବାକୁ ଯାଉଛନ୍ତି ବାଚସ୍ପତି । ଏହି କ୍ରମରେ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯିବ । କେବଳ ଅଣତାରକା ପ୍ରଶ୍ନର ଉତର ରଖିବେ ମନ୍ତ୍ରୀ । ଏ ନେଇ ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ତେବେ ପ୍ରଶ୍ନକାଳ ବାତିଲ ସପକ୍ଷରେ ନାହାନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ପ୍ରଶ୍ନକାଳକୁ ସଂପୂର୍ଣ୍ଣ ବନ୍ଦ କରାନଯାଉ । ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ପ୍ରଶ୍ନକାଳ ନରହିଲେ ବିଧାନସଭା ଚାଲିବାର କିଛି ମୂଲ୍ୟ ନାହିଁ । ଶାସକ ଦଳର ବିଧାୟକ ଅମର ଶତପଥୀଙ୍କ ଯୁକ୍ତି ହେଉଛି ସଂସଦ ଅଧିବେଶନ ଭଳି ଏଥର ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ ।

ବିଧାନସଭା ଅଧିବେଶନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶ୍ନକାଳ । ଏଥିରେ ବିଧାୟକଙ୍କ ପ୍ରଶ୍ନର ମୌଖିକ ଉତ୍ତର ଦେଇଥାନ୍ତି ମନ୍ତ୍ରୀ । ଏପରିକି ମନ୍ତ୍ରୀଙ୍କ ଉତ୍ତର ପରେ ବାଚସ୍ପତିଙ୍କ ଅନୁମତି ନେଇ ସଦସ୍ୟମାନେ ସପ୍ଲିମେଂଟାରୀ ପ୍ରଶ୍ନ ମଧ୍ୟ ପଚାରିଥାନ୍ତି । ବିଧାନସଭାର ପ୍ରଶ୍ନକାଳ ମନ୍ତ୍ରୀମାନଙ୍କୁ ଅଧିକ ଉତ୍ତରଦାୟୀ କରିଥାଏ । ଓଡ଼ିଶା ବିଧାନସଭା ଅଧିôବେଶନରେ କେବଳ ପ୍ରଶ୍ନକାଳକୁ ସିଧାପ୍ରସାରଣ କରିବା ପାଇଁ ଅନୁମତି ରହିଛି ।