କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର ଟଙ୍କାରେ ଲଜରେ ମଉଜ କରୁଥିଲେ ପୁଲିସ କର୍ମଚାରୀ। ଏ ସଂକ୍ରାନ୍ତରେ ଖବର ପ୍ରକାଶ ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ହାଇଦରକୁ କଟକ ବଡ଼ ଡାକ୍ତରଖାନାରେ ୬ ଜଣ ପୁଲିସ କର୍ମଚାରୀ ୨୪ ଘଣ୍ଟା ଜଗିବା ବଦଳରେ ଯେଉଁ ଲଜରେ ମଉଜ କରୁଥିଲେ, ସେହି ଲଜର ପଞ୍ଜୀକରଣ ରେଜିଷ୍ଟର୍ମ ଏବେ ସାମ୍ନାକୁ ଆସିଛି। ମଙ୍ଗଳାବାଗ କାଠଗୋଲା ସାହିର ଅହଲ୍ୟା ଲଜରେ ଗଲା ମାର୍ଚ୍ଚ ୨୩ ତାରିଖରୁ ଦୁଇଟି ରୁମ୍ କନଷ୍ଟେବଳ ମହମ୍ମଦ ମୌସିମ୍ ଓ ଉମାକାନ୍ତ ବେହେରାଙ୍କ ନାଁରେ ବୁକ୍ ହୋଇଥିଲା। ଲଜରେ ରୁମ୍ ବୁକ୍ କରିବାକୁ ଏହି ପୁଲିସ କର୍ମଚାରୀ ନିଜ ପୁଲିସ ବିଭାଗର ପରିଚୟପତ୍ରର ଜେରକ୍ସ କପି ଲଜରେ ଦାଖଲ କରିଛନ୍ତି। ଲଜ୍ ଭଡ଼ା ବାବଦକୁ ଏହି ପୁଲିସ କର୍ମଚାରୀ ପ୍ରାୟ ୧୭ ହଜାର ଟଙ୍କା ଜମା କରିଛନ୍ତି। ଏହି ଟଙ୍କା ଗ୍ୟାଙ୍ଗଷ୍ଟର ହାଇଦର ବହନ କରିଥିବା କୁହାଯାଉଛି। ମଙ୍ଗଳାବାଗ ଥାନା ପୁଲିସ ଅହଲ୍ୟା ଲଜରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଜବତ କରି ଏହାର କର୍ମଚାରୀଙ୍କୁ ଏବେ ଜେରା କରିଥିବା ସୂଚନା ମିଳିଛି।
ମାର୍ଚ୍ଚ ୨୨ ତାରିଖରେ ସମ୍ବଲପୁର ରିଜର୍ଭ ଅଫିସର ହାବିଲଦାର ରମେଶ ଚନ୍ଦ୍ର ଦେହୁରୀଙ୍କ ନେତୃତ୍ବରେ କନଷ୍ଟେବଳ ମହମ୍ମଦ ମୌସିମ୍, କନଷ୍ଟେବଳ ବୁଲବୁଲ ସାହୁ, ଦୀପକ ସାହୁ, ଉମାକାନ୍ତ ବେହେରା, ସୁଧା˚ଶୁ ମାଝି ହାଇଦରକୁ ଏସକର୍ଟ କରି ୨୩ ତାରିଖରେ ବଡ଼ ମେଡିକାଲରେ ପହଞ୍ଚିବା ପରେ ମଙ୍ଗଳାବାଗ ଫାଣ୍ତି ରୋଡ୍ କାଠଗୋଲା ସାହିରେ ଥିବା ଅହଲ୍ୟା ଲଜରେ ଦୁଇଟି ରୁମ୍ ବୁକ୍ କରିଥିଲେ। ୨୩ ତାରିଖ ଅପରାହ୍ନ ୫ଟା ୪୫ରେ କନଷ୍ଟେବଳ ଉମାକାନ୍ତ ବେହେରାଙ୍କ ନାଁରେ ରୁମ୍ ନ˚ ୧୧୦ ଏବ˚ କନଷ୍ଟେବଳ ମହମ୍ମଦ ମୌସିମଙ୍କ ନାଁରେ ରୁମ୍ ନ˚ ୨୦୧ ବୁକ୍ ହୋଇଥିଲା। ଉଭୟଙ୍କ ରୁମରେ ୪ ଜଣ ଲେଖାଏ ରହିବା ସମ୍ପର୍କରେ ରେଜିଷ୍ଟରରେ ଉଲ୍ଲେଖ କରାଯାଇଥିଲା। ପ୍ରଥମଦିନ ଅର୍ଥାତ ୨୩ ତାରିଖ ରାତିରେ ଦୁଇଟି ରୁମ୍ରେ ଆହୁରି ଦୁଇ ଜଣ ରହିଥିଲେ। ହାଇଦରର ସୁରକ୍ଷା ଦାୟିତ୍ବରେ ୬ ଜଣ ପୁଲିସ କର୍ମଚାରୀ ସମ୍ବଲପୁରରୁ ଆସିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରୁନାହିଁ। ୨୪ ତାରିଖ ଦିନ ପ୍ରାୟ ୧୧ଟା ୩୦ ବେଳେ ମହମ୍ମଦ ମୌସିମ୍ ନେଇଥିବା ରୁମ୍ ଛାଡ଼ି ଦେଇଥିଲେ। କେବଳ ରୁମ୍ ନ˚ ୧୧୦ରେ ଉମାକାନ୍ତ ନେଇଥିବା ରୁମରେ ମୌସିମ୍ଙ୍କ ସମେତ ୪ରୁ ୫ ଜଣ ପୁଲିସ କର୍ମଚାରୀ ରହିଥିଲେ। ଯେଉଁ ଦୁଇ ଜଣ ବ୍ୟକ୍ତି ପ୍ରଥମ ଦିନ ସେମାନଙ୍କ ସହିତ ରହିଥିଲେ, ପରେ ସେମାନଙ୍କର ହୋଟେଲ୍ରେ ଆଉ ଦେଖା ମିଳି ନଥିଲା। ସେମାନେ କିଏ, ତାହାକୁ ନେଇ ବି ପୁଲିସ ଏବେ ଖୋଳତାଡ଼ ଆରମ୍ଭ କରିଛି। ଲଜରେ ଉମାକାନ୍ତ, ମୌସିମଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ରହିବା ପାଇଁ ଦିନକୁ ୮୦୦ ଟଙ୍କା ଭଡ଼ା ଦେଇଥିବା ଜଣାପଡିଛି।
ଅହଲ୍ୟା ଲଜର ମ୍ୟାନେଜର୍ସ ନିର୍ମଳଚନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ, ୨୩ ତାରିଖରେ ପ୍ରଥମ ଦିନ ସେମାନେ ଦୁଇଟି ରୁମ୍ ନେଇଥିଲେ। ଏଥିରେ ମୋଟ ୮ ଜଣ ରହିଥିଲେ। ୨୪ ତାରିଖରେ ଗୋଟିଏ ରୁମ୍ ଛାଡ଼ି ଦେଇଥିଲେ। ଜେଲ୍ ବିଭାଗର ନିୟମ କହୁଛି, କଏଦୀକୁ ଜଗିବା ଦାୟିତ୍ବରେ ଆସିଥିବା ସୁରକ୍ଷାକର୍ମୀ ଉକ୍ତ ୱାର୍ଡ ଛାଡ଼ି ଅନ୍ୟ କେଉଁଠିକୁ ଯାଇପାରିବେ ନାହିଁ। କିନ୍ତୁ ଏମାନଙ୍କ ମଧ୍ୟରୁ ଜଣେ ମାତ୍ର ହାଇଦରକୁ ବଡ଼ ମେଡିକାଲ ୱାର୍ଡରେ ଜଗୁ ଥିବାବେଳେ ଅନ୍ୟ ୫ ଜଣ ଲଜରେ ରହୁଥିବା ସ୍ପଷ୍ଟ ହୋଇଯାଇଛି।