ଯୋଜନାର ନାଁ ‘ଭୋକ’ ! ପାଣିରେ ମିଳେଇ ଗଲା ସରକାରଙ୍କ ‘ପେଟପୂରା’ ପ୍ରତିଶ୍ରୁତି…?

ଭୋକର ଭୁଜାଲୀ ଚୋଟରେ ମାଲକାନଗିରି ମାଆ ମରିଯିବା ପରେ ସରକାରଙ୍କ ଆଗରେ ଛିଡା ହୋଇଛି ପ୍ରଶ୍ନର ପାହାଡ ।

277

କନକ ବ୍ୟୁରୋ: କିଏ କହିଲା ଓଡିଶାର ଲୋକେ ଆଉ ଭୋକରେ ଶୋଉ ନାହାନ୍ତି? କିଏ କହିଲା ଓଡିଶାରେ ଗରିବ ଆଉ ଭୋକରେ ମରୁ ନାହାନ୍ତି? କୁଆଡେ ଗଲା ସରକାର ଦେଖାଇଥିବା ସେ ସୁନେଲୀ ସ୍ୱପ୍ନ, ଦେଇଥିବା ସେ ପେଟପୂରା ପ୍ରତିଶ୍ରୁତି । ‘ଓଡିଶାରେ କେହି ଭୋକିଲା ରହିବେନି’…ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ଏ ନାରା ନିର୍ବାଚନ ପରେ ମିଥ୍ୟାରେ ପ୍ରମାଣିତ ହୋଇଥିବା ଅଭିଯୋଗ ଆସିଛି ।
ଯୋଜନା ପ୍ରଣୟନର ଆଠ ମାସ ପରେ ବି ଆଗ ଭଳି ଅନ୍ଧାରରେ ଭୋକରେ ଛଟପଟ ହେଉଛି ଗରିବର ପେଟ । ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ ପରେ ବି ପେଟକୁ ଦିଓଳି ଦି ମୁଠା ଖାଇବାକୁ ମିଳୁନି । ଭାତ ମୁଠେ ନପାଇ ଭୋକ ଆଗରେ ଆତ୍ମସମର୍ପଣ କରୁଛି ମଣିଷ ଆଉ ଶେଷରେ ବାଛି ନେଉଛି ଆତ୍ମହତ୍ୟାର ବାଟ । ଭୋକର ଭୁଜାଲୀ ଚୋଟରେ ମାଲକାନଗିରି ମାଆ ମରିଯିବା ପରେ ସରକାରଙ୍କ ଆଗରେ ଛିଡା ହୋଇଛି ପ୍ରଶ୍ନର ପାହାଡ ।

ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ ବର୍ଷେ ବି ପୂରିନି ହେଲେ ଫୁଙ୍ଗୁଳା ହୋଇଛି ଯୋଜନା । ଅକ୍ଟୋବର ୨, ୨୦୧୮ରେ ସରକାର କରିଥିବା ଯୋଜନାରେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପରିବାରକୁ ମାସକୁ ୨୫ କେଜି ଲେଖାଏଁ ଚାଉଳ ଦିଆଯାଉଛି । କେଜି ପ୍ରତି ୧ ଟଙ୍କାରେ ମାସକୁ ୨୫ କେଜି ମିଳୁଛି । ହେଲେ ଯୋଜନାର ଆଠ ମାସ ପରେ ଆଣ୍ଠେଇ ପଡିଛି ସରକାରୀ ଯୋଜନା । ଏବେବି ଭାତ ମୁଠେ ନପାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ମାଲକାନଗିରି ଜିଲ୍ଲା ଗୋରେଗୁଡା ଗାଁର ସୀତା ମାଡକାମୀ ଭୋକ ଆଗରେ ହାର ମାନିଛନ୍ତି । ଟିବି ରୋଗରେ ନିଜ ସ୍ୱାମୀ ଦୁଇ ମାସ ତଳେ ଆରପାରିକୁ ଚାଲିଯିବା ପରେ ଘର ଚଳାଇବା ସୀତାଙ୍କ ପାଇଁ ଏକଦମ ମୁସ୍କିଲ ହୋଇ ପଡିଥିଲା ।

ନିଜେ ସିନା ଭୋକରେ ରହିଯିବେ ହେଲେ ନିଜ ପିଲା ଦିଟାଙ୍କ ମୁହଁରେ କେଉଁଠୁ କଣ ଆଣି ଦେବେ ? ଘରେ ଚାଉଳ ଥିଲେ, ପରିବା ନଥିବ । ତେଲ ଥିଲେ ଲୁଣ ନଥିବ, ଅଭାବୀ ଘରେ କିଛି ନା କିଛି ଅଭାବ ଥିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଶେଷରେ ଆତ୍ମହତ୍ୟାର ବାଟ ବାଛିନେଲେ ସୀତା । ଦାରିଦ୍ର‌୍ୟତାର ଚାବୁକ ମାଡ ଆଉ ଭୋକର ଭଉଁରୀରେ ପଡି ନିଜ ସହ ନିଜର ଦୁଇ ଛୁଆ, ୭ ବର୍ଷର ପୁଅ ଓ ୫ ବର୍ଷର ଝିଅକୁ ବି ବିଷ ପିଆଇଦେଲା ଭୋକ ଆଗରେ ହାର ମାନିଥିବା ମାଆ । ଜହର ଜ୍ୱାଳାରେ ଜଳିଯାଇ ମାଆ ସିନା ସ୍ୱର୍ଗରେ ଥିବା ବାପା ପାଖକୁ ପଳାଇଲା ହେଲେ ଅଳ୍ପକେ ବର୍ତ୍ତି ଯାଇଥିବା ୨ ଛୁଆଙ୍କୁ ସବୁଦିନ ପାଇଁ ଅନାଥ କରି ପଳାଇଲା ନିର୍ଦ୍ଦୟୀ ମାଆ ।

ଗରିବ ହେଲେ ମଲ । ସରକାର ଡେଙ୍ଗୁରା ପିଟୁଛନ୍ତି ଆମେ ଗରିବଙ୍କ ପାଇଁ ସମର୍ପିତ । ‘ଆମ ସରକାର ଗରିବଙ୍କ ସରକାର’…ଆଉ ଗରିବଙ୍କ ହିତ ପାଇଁ ସବୁ ଯୋଜନା । ହେଲେ ସରକାରଙ୍କ ସବୁ ଯୋଜନାକୁ ପକ୍ଷାଘାତ ହୋଇଥିବା ଏହି ଘଟଣାରୁ ସ୍ପଷଟ ଅନୁମେୟ । ପକ୍ଷାଘାତ ନହୋଇଥିଲେ ସୀତାଙ୍କ ଦୁଆର ଆଗକୁ କେମିତି ଯାଇପାରିଲାନି ଯୋଜନା । ସୀତାଙ୍କ ଘର ମାଲକାନଗିରି ହେଡକ୍ୱାର୍ଟର ଠାରୁ ମାତ୍ର ୪ କିମି ଦୂରରେ ଥାଇ ବି ତାଙ୍କ ଘରକୁ ଚାଲିଚାଲି ଯାଇପାରିଲାନି ସରକାରୀ ସୁବିଧା । ଜିଲ୍ଲାପାଳ ବି କେମିତି ଶୁଣି ପାରିଲେନି ନିଜ ବାସଭବନ ଠାରୁ ୪ କିମି ଦୂରରେ ଭୋକର ଭଉଁରିରେ ପଡି ଚିକ୍ରାର କରୁଥିବା ସୀତା ଓ ତାଙ୍କ ଛୁଆଙ୍କ ସ୍ୱର । ଜିଲ୍ଲାପାଳଙ୍କ ସରକାରୀ ବାସଭବନ ମରାମତି ପାଇଁ ଯେଉଁଠି ୫ ବର୍ଷରେ ୩୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି, ସେଠି ସୀତାଙ୍କ ଅଭାବୀ ପରିବାରର ଦୁଃଖ ସରକାରୀ ବାବୁଙ୍କ କାନରେ କେମିତି ପଡୁନଥିଲା?

ପଞ୍ଚମ ଥର ପାଇଁ ନବୀନ ଓଡିଶାରେ ସରକାର ଗଢିବା ପରେ ଆଗ ଅପେକ୍ଷା ସକ୍ରିୟ ହୋଇଛନ୍ତି । ସରକାରୀ ଯୋଜନା ତଥା ସରକାରୀ କର୍ମଚାରୀଙ୍କୁ ଲୋକାଭିମୂଖୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଲୋକଙ୍କ ସମସ୍ୟା ବୁଝି ତାର ସମାଧାନ କରିବାକୁ ସବୁ ସରକାରୀ ବାବୁଙ୍କୁ ନିର୍ଦ୍ଦେଶ ବି ଦେଇଛନ୍ତି ନବୀନ । ‘ମୁଁ ଯେମିତି ଆପଣଙ୍କ ଦକ୍ଷତାର ରିପୋର୍ଟ ଲେଖୁଛି, ଲୋକେ ମଧ୍ୟ ମୋ ଦକ୍ଷତାର ରିପୋର୍ଟ ଲେଖୁଛନ୍ତି, ତେଣୁ ଲୋକଙ୍କ ଅସୁବିଧା ଦୂର କରିବା ଆମର ଦାୟିତ୍ୱ’ ବୋଲି ନବୀନ ସରକାର ଗଢିବା ପରେ ଅଫିସରଙ୍କୁ କର୍ଣ୍ଣମନ୍ତ୍ର ଦେଇଥିଲେ ।

ହେଲେ ନବୀନଙ୍କ ସେସବୁ କଥା କୁ ଏ କାନରେ ପୂରାଇ ସେ କାନରେ କାଢି ଦେଇଛନ୍ତି କି ସରକାରୀ ବାବୁ ? ଯେଉଁଥି ପାଇଁ ସୀତା ଭଳି ଜଣେ ମାଆକୁ ମମତା ଭୁଲି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କଲା । ଖାଲି ସୀତା ନୁହେଁ ଯେତେ ଦିନ ଯାଏଁ ସରକାରୀ ବାବୁ ମାନେ ଲୋକଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବି ସମାଧାନ ନକରିଛନ୍ତି ସେତେଦିନ ଯାଏଁ ସୀତା ଭଳି ଜଣେ ଜଣେ ମାଆ ଭୋକ ଆଗରେ ଆତ୍ମସମର୍ପଣ କରିବା ଆଗରୁ ଆତ୍ମହତ୍ୟା କରିବେ…