ହେଲିକପ୍ଟରରେ ଗଲା ପ୍ରଶ୍ନପତ୍ର । ଛତିଶଗଡ଼ ମାଓ ପ୍ରବଣ ଜିଲ୍ଲା ସୁକୁମାରୁ ଆସିଲା ଏଭଳି ଚିତ୍ର । 

179

କନକ ବ୍ୟୁରୋ: ହେଲିକପ୍ଟରରେ ଗଲା ପ୍ରଶ୍ନପତ୍ର । କଥାଟା ଟିକିଏ ଅଡୁଆ ଲାଗୁଥିବ ନିଶ୍ଚୟ । ତେବେ ଏପରି ଖବର ଆସି ଛତିଶଗଡର ମାଓ ଇଲାକାରୁ । ଅତି ମାଓ ପ୍ରବଣ ଛତିଶଗଡର ସୁକୁମା ଜିଲ୍ଲାର ଗୋଟିଏ ପରୀକ୍ଷା କେନ୍ଦ୍ରରେ ହେଲିକପ୍ଟର ଯୋଗେ ଦଶମ ଓ ଦ୍ୱାଦଶ ପରୀକ୍ଷାର ପ୍ରଶ୍ନପତ୍ର ପଠାଇଛି ଜିଲ୍ଲା ପ୍ରଶାସନ । ସୁକୁମା ଠାରୁ ଜଗରଗୋଣ୍ଡା ପରୀକ୍ଷା କେନ୍ଦ୍ରକୁ ଏହି ପ୍ରଶ୍ନପତ୍ର ପଠା ଯାଇଛି ।

ଆଜିଠାରୁ ଛତିଶଗଡରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଛି । ଛତିଶଗଡ ମାଧ୍ୟମିକ ଶିକ୍ଷା ମଣ୍ଡଳ ଦ୍ୱାରା ଦଶମ ଓ ଦ୍ୱାଦଶ ପରୀକ୍ଷା ପରିଚାଳନା କରାଯାଉଥିବା ବେଳେ ଅତି ମାଓ ପ୍ରବଣ ଜଗରଗୋଣ୍ଡା ପରୀକ୍ଷା କେନ୍ଦ୍ରରେ ଦଶମ ଓ ଦ୍ୱାଦଶ ମିଶାଇ ଦୁଇଟି ବିଦ୍ୟାଳୟର ୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ତେବେ ଏହି ସବୁ ଅଂଚଳରେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଛକାପଂଝା ଲାଗି ରହି ଥିବାରୁ ସୁରକ୍ଷା କାରଣରୁ ଚପର୍ ଯୋଗେ ପ୍ରଶ୍ନ ପତ୍ର ପଠାଇବାକୁ ନିଷ୍ପତି ନେଇଛନ୍ତି ସୁକୁମା ଜିଲ୍ଲାପାଳ ହରିଶ ଏସ୍. । ସୁକୁମା ଜିଲ୍ଲାରେ ୩୨ଟି ପରୀକ୍ଷା କେନ୍ଦ୍ର ମାଓ ଅଂଚଳରେ ରହି ଥିବା ବେଳେ ୧୫ଟି କେନ୍ଦ୍ରରେ ପାରାମିଲିଟାରୀ ଫୋର୍ସ କିମ୍ବା ଯବାନଙ୍କ ସହାୟତାରେ ପ୍ରଶ୍ନପତ୍ର ପଠାଯାଇଛି ।