କନକ ବ୍ୟୁରୋ: ବିମାନବନ୍ଦର ରନୱେରେ ଚାଲିଛି ସାଇକେଲ ଓ ମୋଟର ସାଇକେଲ। ଏୟାରପୋର୍ଟ ପରିସରରେ ଫୁଟବଳ ଖେଲୁଛନ୍ତି ଗାଁ ପିଲା। ବିମାନ ବନ୍ଦରରେ ବୁଲୁଛନ୍ତି ଗାଈ ଗୋରୁ। ରନୱେ ଟର୍ମିନାଲ ବିଲ୍ଡିଂ ଏବେ ବୁଲା କୁକୁରଙ୍କ ଆଶ୍ରୟସ୍ଥଳି ପାଲଟିଛି। ଆମେ କହୁଛୁ ନବ ନିର୍ମିତ ମାଲକାନଗିରି ବିମାନ ବନ୍ଦରର କଥା।

Advertisment

ଗତ ଜାନୁଆରୀ ୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଏହି ବିମାନ ବନ୍ଦରଟିକୁ ଉଦ୍ଘାଟନ କରିଥିଲେ। ଏବେ ଏବେ ଏହାର ଛବି ପୁରା ବଦଳିଯାଇଛି । ବିମାନ ବନ୍ଦରରେ ବିମାନ ଉଡିବା ତ ଦୂରରେ ଥାଉ, ଆଖପାଖ ଗାଁର ଗାଈଗୋରୁଙ୍କ ଚରାଭୁଇଁ ପାଲଟିଛି ଏହି ବିମାନ ବନ୍ଦର। ବୁଲା କୁକୁରମାନେ ଏବେ ରନୱେରେ ରାଜୁତି କରୁଛନ୍ତି। ପାଖଆଖ ଗାଁ ଲୋକେ ଏବେ ଏହି ରନୱେ ପାର କରି ଅନ୍ୟ ଗାଁକୁ ଯାତାୟାତ କରନ୍ତି। ଟର୍ମିନାଲ ବିଲ୍ଡିଂରେ ସବୁଠି ପାଣି ଗଳୁଛି। ଅଧିକାଂଶ ସ୍ଥାନରେ ଏସିପି ସିଲିଂ ଖସିବାରେ ଲାଗିଛି। ବିମାନ ବନ୍ଦର ପାଚେରୀ କେତେକ ସ୍ଥାନରେ ଭୁଷୁଡି ପଡିଛି, ତାହାର ହିସାବ ନାହିଁ । ନିର୍ବାଚନ ପାଇଁ ତରବରିଆ ଭାବେ ହୋଇଥିବା ଏହି ବିମାନବନ୍ଦରକୁ ନେଇ ଏବେ ଅନେକ ପ୍ରଶ୍ନ ।

ମାତ୍ର ୧୪ ମାସରେ ଶେଷ ହୋଇଥିଲା ବିମାନ ବନ୍ଦର ନିର୍ମାଣ କାମ
ଲାଲଗଡରେ ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଥିଲା ଲକ୍ଷ୍ୟ
୨୩୪ ଏକର ଜମିରେ ନିର୍ମାଣ ହୋଇଛି ବିମାନ ବନ୍ଦର
ମାଲକାନଗିରି ତହସିଲ ନିଲିମାରି, ବାଟପାଲି, ଗୌରେଗୁଡା ଓ ବୌଲାପିରି ମୌଜାରେ ନିର୍ମାଣ
୧୨୬ ଏକର ଘରୋଇ ଜମି ଓ ୩୩ ଏକର ଜଙ୍ଗଲ ଜମି ଏଧିଗ୍ରହଣ ହୋଇଥିଲା
୫୫ ଟି ପରିବାରକୁ ଅନ୍ୟତ୍ର ଥଇଥାନ କରାଯାଇଛି
ଅକ୍ଟୋବର ୨୦୨୨ରେ ଜୟପୁର ତାରାତାରିଣୀ କନଷ୍ଟ୍ରକସନ କମ୍ପାନୀ ନିର୍ମାଣ କାମ ହାତକୁ ନେଇଥିଲା
ରାଜ୍ୟ ସରକାର ୭୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ
ନିର୍ମାଣ ବେଳେ କାନ୍ଥ ଭୁଶୁଡି ଦୁଇ ଶ୍ରମିକ ପ୍ରାଣ ହରାଇଥିଲେ
ବିନା କଂକ୍ରିଟ ପିଲାରେରେ ନିର୍ମାଣ ହୋଇ ଥିଲା ପାଚେରୀ
ନିମ୍ନମାନର କାମ ଓ ତ୍ରୁଟିପୂର୍ଣ୍ଣ ଡିଜାଇନ ଯୋଗୁ ବହୁବାର କାନ୍ଥ ଭୁଶୁଡି ଥିଲା
୧୬୨୦ ମିଟର ଲମ୍ବ ଓ ୩୦ ମିଟର ଓସାର ରନୱେ ନିର୍ମାଣ ହୋଇଛି
ଗତ ଜାନୁଆରୀ ୯ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ
ଟର୍ମିନାଲ ବିଲ୍ଡିଂରେ ନାହିଁ ଯାତ୍ରୀଙ୍କ ପାଇଁ ଆନୁସାଙ୍ଗିକ ସୁବିଧା
ଏୟାର ଟ୍ରାଫିକ କଣ୍ଟ୍ରୋଲ ବ୍ୟାବସ୍ଥା ନାହିଁ
ସୁରକ୍ଷା କିମ୍ବା ଅଗ୍ନି ନିରାପତ୍ତା ବ୍ୟାବସ୍ଥା ନାହିଁ
ସ୍ଥାୟୀ ବିଦ୍ୟୁତ ସିବିଧା ଉପଲବ୍ଧ ହୋଇନାହିଁ
ମୁଖ୍ୟ ରାସ୍ତା ପାଇଁ ଏଯାଏଁ ଜମି ଅଧିଗ୍ରହଣ ହୋଇନାହିଁ
ଟର୍ମିନାଲ ବିଲ୍ଡିଂରେ ଗଳୁଛି ପାଣି
ଅନେକ ସ୍ଥାନରେ ସିଲିଙ୍ଗ ଖସୁଛି