ୱେବସାଇଟ୍ ଖୋଲିବା ବେଳକୁ ଟିକେଟ ଗାଏବ । ବାରବାଟୀ ମ୍ୟାଚର ଅନଲାଇନ ଟିକେଟ ବିକ୍ରିକୁ ନେଇ ଉଠିଲା ପ୍ରଶ୍ନ, ସାଧାରଣ ଲୋକଙ୍କ ଟିକେଟକୁ ହାଇଜାକ କରାଯାଇନି ତ?

1,830

କନକ ବ୍ୟୁରୋ : ବିକ୍ରି ଆରମ୍ଭ ହେଉ ହେଉ ଶେଷ ହୋଇଗଲା । ପ୍ରଥମେ ପ୍ରଥମେ ୱେବସାଇଟ୍ ଖୋଲିଲାନି ଆଉ ଯେତେବେଳେ ଖୋଲିଲା ସେତେବେଳେ ଟିକେଟ ଶେଷ । ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନରେ ଟିକେଟ ବିକ୍ରି ଶେଷ ହୋଇଛି । ଯାହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏପିରିକି ଅନଲାଇନ ଟିକେଟ ବିକ୍ରି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି କ୍ରିକେଟପ୍ରେମୀ ।

ଆସନ୍ତା ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ଶେଷ ଦିନିକିଆ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଦୀର୍ଘ ୨ ବର୍ଷ ପରେ ବାରବାଟୀରେ ମ୍ୟାଚ୍ ହେଉଥିବାରୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଉଭୟ ଅନଲାଇନ ଓ ଅଫଲାଇନରେ କ୍ରିକେଟପ୍ରେମୀଙ୍କୁ ଟିକେଟ ଯୋଗାଇଦିଆଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଥିଲା । ୫ ଡିସେମ୍ବରରୁ ୧୫ ଡିସେମ୍ବର ପର୍ଯ୍ୟନ୍ତ ଅନଲାଇନରେ ଟିକେଟ ବିକ୍ରି ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା । ଏପରିକି ଅନଲାଇନରେ ସାଧାରଣ ଲୋକଙ୍କ ପାଇଁ ୮୧୫୦ଟି ଟିକେଟ ରହିଥିଲା ।

ଆଜି ଦିନ ୨ଟାରୁ ଅନଲାଇନରେ ଟିକେଟ ବିକ୍ରି ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । ଲମ୍ବା ଧାଡିରେ ଛିଡା ହେବା ଅପେକ୍ଷା ଅନଲାଇନରେ ଟିକେଟ କାଟିବାକୁ ଅପେକ୍ଷା କରି ରହିଥିଲେ ହଜାର ହଜାର କ୍ରିକେଟପ୍ରେମୀ । ଦିନ ୨ଟା ପୂର୍ବରୁ ୱେବସାଇଟ୍ ଖୋଲି ବସିଥିଲେ ମଧ୍ୟ କିଛି ଫାଇଦା ମିଳିନଥିଲା । ୨ଟାରେ ଟିକେଟ ବିକ୍ରି ଆରମ୍ଭ ହେବା ମାତ୍ରେ ୱେବସାଇଟ୍ କିଛି ସମୟ ପର୍ଯ୍ୟନ୍ତ କାମ କରିନଥିଲା । ଆଉ ୱେବସାଇଟ ଠିକରେ କାମ କରିବା ବେଳକୁ ଟିକେଟ ହାଇଜାକ୍ ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି କ୍ରିକେଟପ୍ରେମୀ । ୪୦୦, ୫୦୦, ୫୦୦୦ ଟଙ୍କାର ଟିକେଟ ଶେଷ ହୋଇସାରିଥିଲା ଓ କେବଳ ସ୍ପେଶାଲ ଏନକ୍ଲୋଜରର କିଛି ଟିକେଟ ବାକି ରହିଥିଲା । ତାହା ମଧ୍ୟ କିଛି ସେକେଣ୍ଡ ମଧ୍ୟରେ ଶେଷ ହୋଇଯାଇଥିଲା ।

ଟିକେଟ ବିକ୍ରି ଆରମ୍ଭରୁ ୱେବସାଇଟ୍ କାମ ନକରିବା ଓ ଟିକେଟ ବିକ୍ରି ଶେଷ ହେବା ପରେ ୱେବସାଇଟ ପୁଣି କାମ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟପ୍ରେମୀ । ଏତେ କମ ସମୟ ମଧ୍ୟରେ କିଏ ଏତେ ଟିକେଟ ନେଲା, ଟିକେଟ ବିକ୍ରିରେ କଳାବଜାରୀ ହୋଇନାହିଁ ତ ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । କାରଣ ଏହାପୂର୍ବରୁ ବାରବାଟୀ ମ୍ୟାଚରେ ଅନେକ ଥର ଟିକେଟ ବିକ୍ରି କେଳେଙ୍କାରୀ ସାମ୍ନାକୁ ଆସିଛି । ଗୋଟିଏ ଟିକେଟକୁ ଦୁଇ ଜଣଙ୍କୁ ବିକ୍ରି କରିବା ହେଉ ବା ଧାର୍ଯ୍ୟ ଟିକେଟ ଠାରୁ କମ ଟିକେଟ ବିକ୍ରି କରିବା, ଏଭଳି ଅନେକ ସଙ୍ଗୀନ ଅଭିଯୋଗ ଆସିଛି । ତେଣୁ ପୂର୍ବଥର ଭଳି ଚଳିତ ଥର ଅନଲାଇନରେ ଟିକେଟ ବିକ୍ରି କରିବା ନାଁରେ ସାଧାରଣ ଲୋକଙ୍କ ଟିକେଟକୁ ହାଇଜାକ କରାଯାଇନି ତ?