ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ରୋଗୀଙ୍କୁ ଦିଆଗଲା ଅବଧି ସରିଥିବା ଔଷଧ । ପ୍ରଶ୍ନ ସୃଷ୍ଟି କଲା ଔଷଧ ନିଗମର ଚିଠି?

159

କନକ ବ୍ୟୁରୋ: ପ୍ରଶ୍ନ ସୃଷ୍ଟି କଲା ଔଷଧ ନିଗମର ଚିଠି? ରାଜ୍ୟର ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲାର ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଗୋଟିଏ ଚିଠି ଲେଖାଯାଇଛି । ଚିଠିରେ କଡା ଆଭିମୁଖ୍ୟ ରଖି କୁହାଯାଇଛି, ଏକ୍ସପାଏରି ଡେଟ ପାଖେଇ ଆସୁଥିବା ଅର୍ଥାତ୍ ଔଷଧ ଅକାମୀ ହୋଇଯିବାର ତାରିଖ ପାଖରେ ଥିଲେ ଔଷଧ ଗ୍ରହଣ କରାଯାଉନାହିଁ ବୋଲି ତାଙ୍କ ନଜରକୁ ଆସିଛି । ତେଣୁ ନିର୍ଦ୍ଦେଶ ଦେଇ କୁହାଯାଉଛି, ଏକ୍ସପାଏରି ତାରିଖ ପାଖେଇ ଆସିଥିଲେ ବି ଔଷଧ ଗ୍ରହଣ କରିବେ ।

ଏହାରି ଭିତରେ ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜକୁ ରାଜ୍ୟ ଔଷଧ ନିଗମରୁ ଆସିଥିବା ଏକ ତାଲିକାରୁ ଜଣାପଡିଛି – ସେପ୍ଟେମ୍ବର ୨ ତାରିଖରେ ସେଠାକୁ ଔଷଧ ଆସିଛି, ହେଲେ ଏକ୍ସପାଏରୀ ଡେଟ ରହିଛି ସେପ୍ଟେମ୍ବର ୩୦ ତାରିଖ । ଅର୍ଥାତ୍ ୨୮ ଦିନ ପରେ ଏହି ଔଷଧ ରୋଗୀଙ୍କ ପାଇଁ ଅକାମୀ ହୋଇଯିବ ।

ତେବେ ଯେଉଁ କଥାକୁ ଡର ଥିଲା, ଏକ୍ଷେତ୍ରରେ ସେୟା ଘଟିଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ଚିକିତ୍ସା ହେବା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଏକ୍ସପାରୀ ଔଷଧ ଦିଆଯାଇଛି । ଅଭିଯୋଗ ପରେ ହସ୍ପିଟାଲ ଅଧିକ୍ଷକ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିରାମୟ କେନ୍ଦ୍ରକୁ ଯୋଗାଣ ହେଉଥିବା ଔଷଧ ଗରିବ ଲୋକଙ୍କୁ ମାଗଣାରେ ବଣ୍ଟନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେବେ ପାଠ ପଢିନଥିବା କିମ୍ବା ଇଂରାଜୀ ପଢିପାରୁନଥିବା ଲୋକଙ୍କୁ ଏକ୍ସପାରୀ ଔଷଧ ଦିଆଗଲେ ସେମାନେ ଔଷଧ ସେବନ କରିବାର ଭୟ ରହିଛି ।