ଯାଜପୁର ପୋଲିସର ପାରିଲା ପଣ ଉପରେ ଉଠିଲା ପ୍ରଶ୍ନ ।  ପିହୁ ନିଖୋଜ ଓ ଝରାଫୁଲ ମୃତ୍ୟୁ ମାମଲାର ଖୋଲିପାରୁନି ରହସ୍ୟ । 

101

କନକ ବ୍ୟୁରୋ: ଯାଜପୁର ପୁଲିସ ପାରିବାପଣିଆ ପଣିଆ ଉପରେ ପ୍ରଶ୍ନ ଉଠାଇଛି ଦୁଇ ସମ୍ବେଦନଶୀଳ ମାମଲା । ପିହୁ ଅପହରଣରୁ ୬ ମାସରୁ ଅଧିକ ସମୟ ବିତିଗଲାଣି ନା ନିଖୋଜ ଝିଅର ପତ୍ତା ପୁଲିସ ପାଇପାରୁଛି ନା ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହେଉଛି । ଗଣମାଧ୍ୟମକୁ ତଦନ୍ତ ଚାଲୁଛି ବୋଲି କହୁଥିବା ଯାଜପୁର ପୁଲିସ ସତରେ ଅପରାଧୀ ନିକଟରେ ପହଁଚି ମାମଲାର ଖୁଲାସା କରିପାରିବ କି ନାହିଁ, ତା ଉପରେ ସନ୍ଦେହ ବି ତିଆରି ହେଲାଣି ।

ଯାଜପୁର ବିଂଝାରପୁର ପିହୁ ଅପହରଣ ମାମଲାରେ ବିଭିନ୍ନ ସ୍ଥାନ ଓ ଯାତ୍ରୀବାହୀ ଯାନରେ ପୁଲିସ ପୋଷ୍ଟର ଲଗାଉଛି । ପିହୁ ସଂକ୍ରାନ୍ତରେ ଯିଏ ସୂଚନା ଦେବେ ତାଙ୍କୁ ୨୦ ହଜାର ଟଙ୍କା ପୁରଷ୍କାର ଦେବାକୁ ଘୋଷଣା କରାଯାଇଛି । ସେହିଭଳି ପିହୁର ଘର ପାଖ ଦଳଭର୍ତ୍ତି ପୋଖରୀକୁ ସଫା କରାଯାଉଛି । ପୋଲିସ ସେତେବେଳେ କ୍ରିୟାଶୀଳ ହୋଇଛି, ଯେତେବେଳେ ପିହୁର ପରିବାର ସଦସ୍ୟ ଭୁବନେଶ୍ୱର ଆସି ମନ୍ତ୍ରୀ ଟୁକୁନି ସାହୁଙ୍କ ଘର ଆଗରେ ଧାରଣା ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି…

-କାହିଁକି ଏତେଦିନ ଧରି ପିହୁ ମାମଲାରେ ସକ୍ରିୟ ନଥିଲା ଯାଜପୁର ପୁଲିସ?

-ବିଧାନସଭା ପୂର୍ବରୁ ସରକାରଙ୍କୁ ଅଡୁଆ ହେବା ଆଶଙ୍କାରେ ନିଆଗଲା କି ପଦକ୍ଷେପ?

-ଆଗରୁ କାହିଁକି ପୋଷ୍ଟର ମାରିବାକୁ ଚିନ୍ତା କରୁନଥିଲା ପୁଲିସ?

-ବିଫଳତାକୁ ଲୁଚାଇବାକୁ କାମଚଳା ମନୋଭାବ ଦେଖାଉଛି କି ଜିଲ୍ଲା ପୁଲିସ?

ସେପଟେ ଝରାଫୁଲ ମାମଲାରେ ବି ପୁଲିସର ମନୋଭାବକୁ ନେଇ ପ୍ରଶ୍ନ ଉଠୁଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ପୁଲିସ କବଜାରେ।ରିମାଣ୍ଡ ଅବଧି ସରିଯାଇଛି । ଭିସେରା ରିପୋର୍ଟ ଆସିସାରିଛି । ହେଲେ କାହିଁକି ଆଉ କିଭଳି ଝରାଫୁଲକୁ ହତ୍ୟା କଲା ରାକେଶ ତାର ସମସ୍ତ ତଥ୍ୟ ସାମ୍ନାକୁ ଆଣିବାରେ ପୁଲିସ ଅସମର୍ଥ । ଅପରାଧିକ ମାମଲାରେ ତଦନ୍ତର ଦିଗ ପାଇବାରେ ଜିଲ୍ଲା ପୁଲିସ ବିଫଳ ନା ହାଲକା ମନୋଭାବ ପୋଷଣ କରୁଛି, ତାକୁ ନେଇ ପ୍ରଶ୍ନ ଉଠିଛି ।

ଯାଜପୁର ପୁଲିସର ନେତୃତ୍ୱ ନେଉଛନ୍ତି ରାହୁଳ ପିଆର ଏବଂ ଝରାଫୁଲ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପୁଲିସ ଅଧିକାରୀ ତଥା ଏସଡିପିଓ ଚିନ୍ମୟ ନାୟକ । କିନ୍ତୁ ଫଳଘର ଶୂନ । ତଦନ୍ତ ଚାଲିଛି ବୋଲି କହି କେତେଦିନ ଆଉ ନିଜର ବିଫଳତାକୁ ଲୁଚାଇବାକୁ ଜିଲ୍ଲା ପୁଲିସ ଉଦ୍ୟମ କରିବ?