କନକ ବ୍ୟୁରୋ: ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ ହେବା ସମୟରେ ଘଟିଥିବା ଅଘଟଣ ସାରା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ବଡବାଡଗ୍ରାହୀ ବଡଠାକୁର ବଳଭଦ୍ରଙ୍କୁ ପହଣ୍ଡି କରି ଆଡପମଣ୍ଡପକୁ ନେବାବେଳେ ଚାରମାଳରେ ମହାପ୍ରଭୁ ଖସିଯାଇଥିଲେ, ଏପରିକି ଦାରୁବ୍ରହ୍ମ ନଇଁପଡିବା ପରି ମନେ ହୋଇଥିଲା । ହେଲେ ପଛରୁ ଅନ୍ୟ ସେବକମାନେ ଆସି ଠାକୁରଙ୍କୁ ଟାଣି ରଖିଥିଲେ । ତେବେ ଏଥିରେ କିଛି ସେବକ ଆହତ ହୋଇଥିବା ଜଣାପଡିଛି । ତେବେ ମହାପ୍ରଭୁଙ୍କ ସେବା ସମୟରେ ଏଭଳି ଘଟଣା ଘଟିଲା କାହିଁକି । ଏହା ପଛର କାରଣ କ’ଣ ଏହାକୁ ନେଇ ଏବେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ବି ଉଠୁଛି ପ୍ରଶ୍ନ ।
ରଥ ଉପରେ ଆବଶ୍ୟକତାଠାରୁ କାହିଁକି ଅଧିକ ସେବାୟତ ରହୁଛନ୍ତି । ଠାକୁରଙ୍କ ସେବା ଠିକ ଭାବେ ସମ୍ପନ୍ନ କରାଯାଉଛି ତ ଏସବୁକୁ ନେଇ ମଧ୍ୟ ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।