ଭିଜିଲାନ୍ସର ହାୱା ବେଶୀ କାମ କମ୍ । ସବୁଠାରୁ ବଡ ରେଡ୍ ମାମଲାରେ ଦେଇପାରିଲାନି ଚାର୍ଜସିଟ, ବେଲ୍ ପାଇଗଲେ ଅଭିଯୁକ୍ତ ।

ଭିଜିଲାନ୍ସର ହାୱା ବେଶୀ କାମ କମ୍ । ସବୁଠାରୁ ବଡ ରେଡ୍ ମାମଲାରେ ଦେଇପାରିଲାନି ଚାର୍ଜସିଟ, ବେଲ୍ ପାଇଗଲେ ଅଭିଯୁକ୍ତ ।

କନକ ବ୍ୟୁରୋ : ଭିଜିଲାନ୍ସ ବିଭାଗର କାମ କମ ହାୱା ବେଶୀ । ରାଜ୍ୟ ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ ରେଡ ବୋଲି କୁହାଯାଉଥିବା ପୋଲିସ ହାଉସିଂ ନିଗମର ଅଧିକାରୀ ପ୍ରତାପ ସାମଲଙ୍କୁ ଜାମିନ ମିଳିଗଲା । ଆଶ୍ଚର୍ଯ୍ୟର କଥା ହେଉଛି, ଭିଜିଲାନ୍ସ ନିର୍ଦ୍ଧାରିତ ସମୟ ଭିତରେ ଚାର୍ଜସିଟ ଦାଖଲ କରିନପାରିବାରୁ ପ୍ରତାପଙ୍କୁ ବେଲ ମିଲିଛି । ଗତ ନଭେମ୍ବର ୯ ତାରିଖରେ ହୋଇଥିବା ଏହି ହାଇ ପ୍ରୋଫାଇଲ ରେଡ୍ ବେଳେ ପ୍ରତାପ ଓ ତାଙ୍କ ସମ୍ପର୍କୀୟଙ୍କ ଘରୁ ୧୬ କୋଟି ଟଙ୍କାର ସମ୍ପତି ଠାବ ହୋଇଥିଲା ।

ଗିରଫ କଲେ, ମୁକୁଳିବାକୁ ବାଟ ଦେଲେ ! ଭିଜିଲାନ୍ସର ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ । ରାଜ୍ୟ ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ ରେଡ କରି ଗିରଫ କରିଥିବା ପୋଲିସ ହାଉସିଂ ନିଗମର ଅଧିକାରୀ ପ୍ରତାପ ସାମଲଙ୍କୁ ଜାମିନ ମିଳିଗଲା । ଭିଜିଲାନ୍ସ ଚଢାଉ କରିବା ଜାଣିପାରି ଯେଉଁ ଅଧିକାରୀ ୨୦ ଲକ୍ଷ ନଗଦ ଟଙ୍କା ଥିବା ଏକ ପେଟି ପଡୋଶୀ ଘର ଛାତ ଉପରକୁ ଫିଙ୍ଗି ଦେଇଥିଲେ, ଆଉ ଯାହାର ସମ୍ପତ୍ତି ଠାବ କରିବାକୁ ଦିନ ରାତି ଏକ୍ କରିଦେଇଥିଲା ଭିଜିଲାନ୍ସ, ସେହି ମାମଲାରେ ହଠାତ୍ କାହିଁକି ଚାର୍ଜସିଟ୍ ଦାଖଲ କରିପାରିଲାନି ତଦନ୍ତକାରୀ ସଂସ୍ଥା ତାକୁ ନେଇ ଉଠିଛି ପ୍ରଶ୍ନ ।

କାମ କମ, ହାୱା ବେଶୀ ! ଖସିବାକୁ ସୁଯୋଗ ପାଉଛି କି ଦୋଷୀ ? ସମ୍ବେଦନଶୀଳ ତଥା ହାଇ ପ୍ରୋଫାଇଲ ମାମଲାରେ ଭିଜିଲାନ୍ସ ଯେଭଳି କ୍ରିୟାଶୀଳ ହେବା କଥା ତାହା କାହିଁକି ଦେଖାଇଲା ନାହିଁ ? ଯଦି ଗଣମାଧ୍ୟମକୁ ଆୟ ବହିର୍ଭୁତ ସମ୍ପତିର ତାଲିକା ପ୍ରତି ମୁହୁର୍ତ୍ତରେ ତଦନ୍ତକାରୀ ଅଧିକାରୀ ଦେଉଛନ୍ତି, ତାହେଲେ ଚାର୍ଜସିଟ୍ କାହିଁକି ସଠିକ ସମୟରେ ଫାଇଲ୍ ହୋଇପାରୁ ନାହିଁ ? ମାମଲାର ଚେର ଆଉ କେଉଁ ପର୍ଯ୍ୟନ୍ତ ଲମ୍ବିଥିବାରୁ ଭିଜିଲାନ୍ସ ଟାଳଟୁଳ ନୀତି ଅବଲମ୍ବନ କରୁଛି କି? ଏସବୁ ଦିଗକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ପୁଣି ପ୍ରେସ ରିଲିଜ୍ ଦେଇ ନିଜ ସଫଳତାକୁ ଦର୍ଶାଇ ବାହାବା ଲୁଟିବାକୁ ଚେଷ୍ଟା କରିଛି ଭିଜିଲାନ୍ସ । ୨୦୨୧ରେ ୨୬୭ କ୍ରିମିନାଲ ମାମଲା ପଞ୍ଜିକରଣ ହୋଇଥିବା ବେଳେ ୨୪୪ ମାମଲାରେ ଚାର୍ଜସିଟ୍ ଦାଖଲ କରିଥିବା ସଫେଇ ଦେଇଛି ବିଭାଗ ।

ସମାନ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜରେ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଓଡିଶା ସଶସ୍ତ୍ର ବାହିନୀରେ କାର୍ଯ୍ୟରତ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡାପାଟଙ୍କ ଘରେ ଚଡାଉ କରିଥିଲା ଭିଜିଲାନ୍ସ । ରେଡ ବେଳେ କୋଟିଏରୁ ଅଧିକ ଟଙ୍କାର ସମ୍ପତି ଠାବ ହୋଇଥିଲା । କିନ୍ତୁ ବଡ କଥା ହେଲା ଜେରାବେଳେ ଛାତରୁ ଡେଇଁ ଫେରାର ହେଇଗଲେ ଏହି କୋଟିପତି କନଷ୍ଟେବଳ । ଯାହା ଭିଜିଲାନ୍ସ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe