ଚଣ୍ଡିଖୋଲର ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର କୁଆଡେ ଗଲା ? କାହିଁକି ଅଟକି ଗଲା ପ୍ରକଳ୍ପ କାମ ?

70

କନକ ବ୍ୟୁରୋ : ଘୋଷଣାରେ ସୀମିତ ଯାଜପୁର ଚଣ୍ଡିଖୋଲରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ପ୍ରସ୍ଥାବିତ ତୈଳ ସଂରକ୍ଷଣ କେନ୍ଦ୍ର । ୫ ବର୍ଷ ତଳେ କର୍ଣ୍ଣାଟକର ପାଦୁର ଓ ଓଡ଼ିଶାର ଚଣ୍ଡିଖୋଲ ଠାରେ ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାଥମିକ ସର୍ଭେ ପର ଠାରୁ ଆଉ ଆଗେଇ ପାରୁନି ପ୍ରକଳ୍ପ କାମ । ଏହି ପ୍ରକଳ୍ପ କର୍ଣ୍ଣାଟକରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଓଡ଼ିଶାକୁ କେନ୍ଦ୍ର ଅବହେଳା ନେଇ ଉଠିଛି ପ୍ରଶ୍ନ ।

୨୦୧୭ । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଡ଼ଙ୍କାରୀରେ ତୈଳ ସଂରକ୍ଷଣ କେନ୍ଦ୍ର କରିବାକୁ ଘୋଷଣା କରି ଅନେକ ସ୍ୱପ୍ନ ଦେଖାଇଥିଲେ କେନ୍ଦ୍ର ସରକାର । କର୍ଣ୍ଣାଟକର ପାଦୁର ଓ ଓଡ଼ିଶାର ଚଣ୍ଡିଖୋଲ ଠାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ଘୋଷଣା କରିଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ହେଲେ ଏହାରି ଭିତରେ କର୍ଣ୍ଣାଟକରେ ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଛି । କିନ୍ତୁ ଓଡିଶାରେ ପ୍ରକଳ୍ପର ଦେଖାନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ।

କେନ୍ଦ୍ର ସରକାର ଘୋଷଣା କରିଥିଲେ, କର୍ଣ୍ଣାଟକ ପାଦୁରରେ ୨.୫ ମିଲିୟନ ଏବଂ ଓଡ଼ିଶାର ଚଣ୍ଡିଖୋଲରେ ୬.୫ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର ହେବ । ୧୧ ହଜାର କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କରି ୪ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ । ଏହି ପ୍ରସ୍ତାବିତ ତୈଳ ସଂରକ୍ଷଣ କେନ୍ଦ୍ର ଦେଶର ଚତୁର୍ଥ ସର୍ବବୃହତ ସଂରକ୍ଷଣ କେନ୍ଦ୍ର ହେବ । ଏଥିପାଇଁ ପ୍ରାଥମିକ ସର୍ଭେ କରାଯାଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା, କେନ୍ଦ୍ର ପେଟ୍ରୋଲିୟମ ସଚିବ ଡ଼ଙ୍କାରୀ ଗସ୍ତ କରି ସ୍ଥିତି ମଧ୍ୟ ଅନୁଧ୍ୟାନ କଲେ । କିନ୍ତୁ ସେତିକିରେ ଅଟକି ଯାଇଛି ପ୍ରକଳ୍ପ, ଆଉ ଆଗେଇ ପାରିନି କାର୍ଯ୍ୟ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଓ କଂଗ୍ରେସ ନେତା ।

କର୍ଣ୍ଣାଟକରେ କାମ ଆରମ୍ଭ ହୋଇଥିବାବେଳେ ଯାଜପୁର ଚଣ୍ଡିଖୋଲର ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର କୁଆଡେ ଗଲା ? ପ୍ରାଥମିକ ସର୍ଭେ ପରେ କାହିଁକି ଅଟକି ଗଲା ପ୍ରକଳ୍ପ କାମ ? କର୍ଣ୍ଣାଟକରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଓଡିଶାକୁ ଅଣଦେଖା କାହିଁକି ? କେନ୍ଦ୍ର ସରକାରଙ୍କୁ ଏମିତି ପ୍ରଶ୍ନ କରିଛନ୍ତି ଯାଜପୁର ଜିଲ୍ଲାବାସୀ ।