୨୦୦୯ରୁ ୨୦୨୦, ୧୧ ବର୍ଷ ଭିତରେ ୬ରୁ ୮୦ ଯାଏଁ ବଢିଛି ମନ୍ତ୍ରୀ ନବ ଦାସଙ୍କ ଗାଡି ସଂଖ୍ୟା । ନଜର ପକାନ୍ତୁ ୨୦୦୯ରୁୁ ନବଙ୍କ ସମ୍ପତ୍ତି ତାଲିକା ।

289

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ନେତା ଓ ମନ୍ତ୍ରୀ ହେବା ପରେ ତାଙ୍କର ବ୍ୟବସାୟ ଅଧିକ ବେଗରେ ବଢ଼ିଛି କି ? ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମନ୍ତ୍ରୀ ହେବା ପରେ ତାଙ୍କ ସମ୍ପତି ତାଲିକା ଦେଖିବା ପରେ କିଛି ଏମିତି ପ୍ରଶ୍ନ ଉଠିବା ସ୍ୱାଭାବିକ । ୨୦୦୯ ଓ ୨୦୧୪ ମସିହାରେ ନବ ଦାସଙ୍କର ୫-୬ଟି ସୌଖୀନ ଓ ବ୍ୟବସାୟିକ ଗାଡ଼ି ଥିବା ବେଳେ ୨୦୧୯-୨୦ ବେଳକୁ ଏହା ୮୦ରେ ପହଞ୍ଚିଯାଇଛି । ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

୨୦୦୯ରୁ ୨୦୨୦, ୧୧ବର୍ଷ । ଗାଡି ସଂଖ୍ୟା ୬ରୁ ବଢି ପହଞ୍ଚିଲା ୮୦ରେ । ନଜର ପକାନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ୨୦୦୯ର ସତ୍ୟପାଠ ଉପରେ । ୨୦୦୯ରେ ଝାରସୁଗ୍ୁଡ଼ାରୁ ପ୍ରଥମେ କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ନବ ଦାସ । ସେତେବେଳେ ତାଙ୍କର ସମ୍ପତି ଥିଲା ୫ କୋଟି ୮୨ ଲକ୍ଷ ଟଙ୍କା । ଆଉ ଋଣ ଥିଲା ୧୫ଲକ୍ଷ ୪୦ ହଜାର ଟଙ୍କା । ପାଖରେ ଥିଲା ମୋଟ ୬ଟି ସୌଖୀନ ଓ ବ୍ୟବସାୟିକ ଗାଡ଼ି ।

ନଜର ପକାନ୍ତୁ ନବ ଦାସଙ୍କ ୨୦୧୪ ସତ୍ୟପାଠ ଉପରେ । ଦ୍ୱି୍ତୀୟ ବାର କଂଗ୍ରେସ ଟିକେଟରେ ଜିତିବା ବେଳେ ତାଙ୍କ ସମ୍ପତି ୧୦କୋଟି ୨୧ଲକ୍ଷରେ ପହଁଚିଥିଲା ଓ ଋଣ ପରିମାଣ ଥିଲା ୨କୋଟି ୧୯ଲକ୍ଷ ଟଙ୍କା । ଆଉ ତାଙ୍କ ପାଖରେ ମାତ୍ର ୫ଟି ଗାଡ଼ି ରହିଥିଲା ।

ଏବେ ନଜର ପକାନ୍ତୁ ନବ ଦାସଙ୍କ ୨୦୧୯ର ସତ୍ୟପାଠ ଉପରେ । ଏଥର ସେ ଶାସକ ଦଳ ବିଜେଡିରୁ ଟିକେଟ ପାଇ ଜିତିଲେ । ନବଙ୍କ ପାଖରେ ଗାଡ଼ି ସଂଖ୍ୟା ବଢ଼ି ପହଁଚିଗଲା ୬୦ରେ । ସମ୍ପତି ପରିମାଣ ୩୩ କୋଟି ୪୨ଲକ୍ଷ ଟଙ୍କା ହୋଇଥିବା ବେଳେ ରଣ ପରିମାଣ ୧୮କୋଟି ୪୫ଲକ୍ଷ ଟଙ୍କା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିକଟରେ ମନ୍ତ୍ରୀ ଭାବେ ୨୦୨୦ ଘୋଷଣାପତ୍ରରେ ତାଙ୍କର ସୌଖୀନ ଓ ବ୍ୟବସାୟିକ ଗାଡ଼ି ସଂଖ୍ୟା ୬୦ରୁ ୮୦ରେ ପହଁଚିଯାଇଛି ।

ପ୍ରଶ୍ନ ଉଠୁଛି, ନେତା ଓ ମନ୍ତ୍ରୀ ହେବା ପରେ ନବ ଦାସଙ୍କ ବ୍ୟବସାୟ ଓ କାରବାର ବଢ଼ିଯାଉଛି କି? ମନ୍ତ୍ରୀ ଏବଂ ତାଙ୍କ ପରିବାରର ସମସ୍ତ ବ୍ୟବସାୟିକ କାରବାର ବାବଦରେ ଆୟକର ଦାଖଲ ହୋଇଛି ବୋଲି ମନ୍ତ୍ରୀ କହିଥିଲେ । କିନ୍ତୁ ବ୍ୟବସାୟର କଳେବର ବଢିବା ଓ ରାଜନୀତିରେ ପତିଆରା ବଢିବା ସହ କୌଣସି ସମ୍ପର୍କ ଅଛି କି ନାହିଁ ତାହା ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ଏହା ଭିତରେ ସମ୍ପତିି ବୃଦ୍ଧି ଏବେ ନବ ଦାସଙ୍କୁ ଚର୍ଚ୍ଚାର ଘେରକୁ ଆଣିଛି ।